ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ : ମେଧାବୀ ବଢ଼ିଲେ, ୭୦.୨୧% ପାସ୍‌

ଜୁପିଟର ସାଇନ୍ସ କଲେଜର ସୁଦୀପ ଶୀର୍ଷରେ

୯୦%ରୁ ଅଧିକ ରଖିଲେ ୧୩୭ ପରୀକ୍ଷାର୍ଥୀ
ନୟାଗଡ଼ ଜିଲ୍ଲା ଆଗରେ, ଝାରସୁଗୁଡ଼ା ଶେଷରେ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଛି। ଲଗାତାର ତୃତୀୟ ବର୍ଷ ଲାଗି ପାସ୍‌ହାର ହ୍ରାସ ପାଇଥିଲେ ବି ‌ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରେକର୍ଡ ସଂଖ୍ୟକ ୧୩୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ମୋଟ ପାସ୍‌ହାର ୭୦.୨୧% ରହିଛି। ପ୍ରଥମ ଶ୍ରେଣୀରେ ୨୫ ହଜାର ୩୩୯ ଜଣ ପାସ୍‌ କରିଥିବା ବେଳେ ୨୪ ହଜାର ୧୨୧ ଜଣ ଦ୍ବିତୀୟ ଓ ୧୮ ହଜାର ୨୬୦ ଜଣ ତୃତୀୟ ଶ୍ରେଣୀ‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୯୭ହଜାର ୩୭୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮ ହଜାର ୩୭୪ ଜଣ ପାସ୍‌ କରିଛନ୍ତି। ରେଗୁଲାରରେ ୮୪ ହଜାର ୯୬୮ ଜଣ ପରୀକ୍ଷା ଦେଇଥିବା ବେଳେ ୬୩ ହଜାର ୬୮୩ ଜଣ ପାସ୍‌ କରିଛନ୍ତି। ଏକ୍ସ-ରେଗୁଲାରରେ ପରୀକ୍ଷା ଦେଇଥିବା ୧୨ ହଜାର ୪୦୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ହଜାର ୬୯୧ ଜଣ କୃତକାର୍ଯ୍ୟ ହୋଇଛନ୍ତି।

ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୮୬.୫୧% ହୋଇଥିବାବେଳେ ଝାରସୁଗୁଡ଼ା ଜିଲ୍ଲାର ପାସ୍‌ହାର ସର୍ବନିମ୍ନ ୪୦.୭୧% ରହିଛି। ଗତବର୍ଷ ୯ଟି କଲେଜର ପରୀକ୍ଷା ଫଳ ‘ଶୂନ’ ହୋଇଥିବା ବେଳେ ଏଥର ୧୫ଟି କଲେଜର ଜଣେ ‌ବି ପରୀକ୍ଷାର୍ଥୀ ପାସ୍‌ କରିପାରି ନାହାନ୍ତି। ତେବେ ୨୦ଟି କଲେଜ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ଭୁବନେଶ୍ବରସ୍ଥିତ ଜୁପିଟର ସାଇନ୍ସ କଲେଜର ଛାତ୍ର ସୁଦୀପ ସୁଦର୍ଶନ ରଣା ୬୦୦ରୁ ୫୭୪ ନମ୍ବର ରଖି ରାଜ୍ୟରେ ଟପର‌୍‌ ହୋଇଛନ୍ତି। ସେହିପରି ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ବିତୀୟ, କଟକ ଟାଙ୍ଗୀସ୍ଥିତ ଟେଟ୍ରାହେଡେନ୍‌ କଲେଜର ଛାତ୍ର ଶୁଭଜିତ୍‌ ସାହୁ ୫୬୫ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।

ଗତ ୪ ବର୍ଷ ତୁଳନାରେ ଏଥର ଅଧିକ ସଂଖ୍ୟାରେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ୨୦୧୬ରେ ୪୩ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିବା ବେଳେ ୨୦୧୭ରେ ୨୭, ୨୦୧୮ରେ ୪୧, ୨୦୧୯ରେ ୬୦ ଜଣ ଥି‌ଲେ। ଏଥର ରେକର୍ଡ ସଂଖ୍ୟକ ୧୩୭ ଜଣ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ୩ ହଜାର ୫୫ ଜଣ ୮୦%ରୁ ଅଧିକ ଓ ୭ ହଜାର ୪୫୮ ଜଣ ୭୦%ରୁ ଅଧିକ ମାର୍କ ରଖିଛନ୍ତି। ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟା ମଧ୍ୟ ବଢ଼ିଛି। ୨୦୧୯ରେ ୨୦ ହଜାର ୮୦୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ଏଥର ୨୫ ହଜାର ୩୩୯ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ଗତବର୍ଷ ୨୩ ହଜାର ୯୦୪ ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଥିବା ବେଳେ ଏଥର ତାହା ୨୪ ହଜାର ୧୨୧‌ରେ ପହଞ୍ଚିଛି। ତୃତୀୟ ଶ୍ରେଣୀରେ ୧୮ ହଜାର ୨୬୦ ଜଣ ପାସ୍‌ କରିଛନ୍ତି। କମ୍ପାର୍ଟମେଣ୍ଟାଲ ଦେବା ଲାଗି ୬୫୪ ଜଣ ରହିଛନ୍ତି।

ଏଥର ବି ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜିମାତ୍‌ କରିଛନ୍ତି। ଚଳିତବର୍ଷ ୫୬ ହଜାର ୩୩ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩୮ ହଜାର ୩୦୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୬୮.୩୫% ରହିଛି। ୧୩,୯୫୧ ଜଣ ପ୍ରଥମ, ୧୨,୭୭୮ ଜଣ ଦ୍ବିତୀୟ ଓ ୧୧,୨୫୪ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ପରୀକ୍ଷା ଦେଇଥିବା ୪୧ ହଜାର ୩୪୪ ଛାତ୍ରୀଙ୍କ ମଧ୍ୟରୁ ୩୦ ହଜାର ୭୩ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୨.୭୩% ରହିଛି। ୧୧ ହଜାର ୩୮୮ ଜଣ ପ୍ରଥମ ଶ୍ରେଣୀ, ୧୧ ହଜାର ୩୪୩ ଦ୍ବିତୀୟ ଓ ୭ ହଜାର ୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଅନୁସୂଚିତ ଜାତି ବର୍ଗର ୧୨ ହଜାର ୫୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭ ହଜାର ୪୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୬୧.୭୮% ରହିଛି। ଅନୁସୂଚିତ ଜନଜାତି ବର୍ଗରେ ପରୀକ୍ଷା ଦେଇଥିବା ୧୪ ହଜାର ୨୮ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭,୩୦୯ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୫୨.୧୦% ରହିଛି।

ଆଜି ମଧ୍ୟାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭର୍ଚୁଆଲ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ବୃନ୍ଦାବନ ବେହେରା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ଭୂପେନ୍ଦ୍ର ସିଂ ପୁନିଆ, ଉପାଧ୍ୟକ୍ଷ ବୃନ୍ଦାବନ ଶତପଥୀ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର