ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷାଫଳ ଆସନ୍ତା ବୁଧବାର (ଅଗଷ୍ଟ ୧୨)ରେ ପ୍ରକାଶ ପାଇବ। ଉକ୍ତ ଦିନ ମଧ୍ୟାହ୍ନ ସାଢ଼େ ୧୨ଟାରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯିବା ପରେ ପରୀକ୍ଷାର୍ଥୀ www.orissaresults.nic.in କିମ୍ବା http://www.orissaresults.nic.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ। ଏଥିସହ ସାମ୍ସର ଇ-ସ୍ପେସ୍ ମାଧ୍ୟମରେ କଲେଜଗୁଡ଼ିକ ସେମାନଙ୍କ ପିଲାଙ୍କ ପରୀକ୍ଷା ଫଳ ସମ୍ପର୍କରେ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ପୂର୍ବଘୋଷଣା ଅନୁଯାୟୀ, ବାଣିଜ୍ୟ ବିଭାଗ ପରୀକ୍ଷାଫଳ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଉତ୍ତର ଖାତାଗୁଡ଼ିକର ସ୍କ୍ରୁଟିନି ଜାରି ରହିଛି। ଆସନ୍ତା ୪ରୁ ୫ଦିନ ମଧ୍ୟରେ ପ୍ରକ୍ରିୟା ଶେଷ କରାଯାଇ ୨୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ। କଳା ଓ ଧନ୍ଦମୂଳକ ଶିକ୍ଷା ବିଭାଗର ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୂଲ୍ୟାୟନ ପ୍ରକ୍ରିୟା ଖୁବ୍ଶୀଘ୍ର ଶେଷ କରାଯିବ ଓ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ ପାଇବ ନାହିଁ। କେବଳ ତଥ୍ୟଗୁଡ଼ିକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂ ପୁନିଆ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଉପସ୍ଥିତ ରହି ଭର୍ଚୁଆଲ୍ ଉନ୍ମୋଚନ କରିବେ। ଚଳିତବର୍ଷ ୯୫ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିଲେ। ଯୁକ୍ତ୨ ପରୀକ୍ଷା ଲାଗି ମୋଟ ୧୧୪୩ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୭୦୩ଟି କେନ୍ଦ୍ରରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କରୋନା ଲକ୍ଡାଉନ୍ ପାଇଁ ବିଜ୍ଞାନ ବିଭାଗର ୬ଟି ବିଷୟର ପରୀକ୍ଷା ହୋଇପାରିନଥିଲା, ଯେଉଁଥିପାଇଁ ସିବିଏସ୍ଇ ଢାଞ୍ଚାରେ ବାକି ବିଷୟର ମୂଲ୍ୟାୟନ କରାଯାଇ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ କରାଯାଉଛି। ଗତବର୍ଷ ମେ’ ମାସରେ ଫଳ ବାହାରିଥିବା ବେଳେ ଏଥରକ ଅଗଷ୍ଟରେ ପ୍ରକାଶ ପାଇବ।