ଅଗଷ୍ଟ ୨୧ ସୁଦ୍ଧା ଯୁକ୍ତ୨ ବିଜ୍ଞାନ ରେଜଲ୍ଟ

ଶେଷ ସପ୍ତାହ ଭିତରେ ଅନ୍ୟ ବିଭାଗର ପରୀକ୍ଷା ଫଳ, ଚଳିତ ସପ୍ତାହରେ ସରିବ ବିଜ୍ଞାନ ଖାତାଦେଖା

ଭୁବନେଶ୍ୱର : ଅଗଷ୍ଟ ୨୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ। କରୋନା କଟକଣା ସତ୍ତ୍ବେ ଅନ୍‌ଲାଇନ୍‌ରେ ଚାଲିଥିବା ବିଜ୍ଞାନ ବିଭାଗ ଉତ୍ତର ଖାତା ମୂଲ୍ୟାୟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ସପ୍ତାହ ତଥା ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ଖାତା ମୂଲ୍ୟାୟନ ଶେଷ ହେବ। ଏହାର ୧୫ ଦିନ ମଧ୍ୟରେ ବାକି ଥିବା ସମସ୍ତ ପ୍ରକ୍ରିୟା ଶେଷ କରି ଅଗଷ୍ଟ ତୃତୀୟ ସପ୍ତାହ ଅର୍ଥାତ୍‌ ଅଗଷ୍ଟ ୧୬ରୁ ୨୧ ତାରିଖ ଭିତରେ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ ଆହୁରି ସୂଚନା ଦେଇଛନ୍ତି ଯେ ବାଣିଜ୍ୟ ବିଭାଗର ଉତ୍ତର ଖାତାଗୁଡ଼ିକର ଅନ୍‌ଲାଇନ୍‌ ମୂଲ୍ୟାୟନ ଏବେ ଜାରି ରହିଛି। ବିଜ୍ଞାନ ସହ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ଅଗଷ୍ଟ ତୃତୀୟ ସପ୍ତାହରେ ହିଁ ପ୍ରକାଶ କରିବାକୁ ଯୋଜନା ହୋଇଛି। ତେବେ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ସମାନ୍ୟ ବିଳମ୍ବ ହେବ। ଉକ୍ତ ଦୁଇ ବିଭାଗର ଉତ୍ତର ଖାତା ଅଫ୍‌ଲାଇନ୍‌ରେ ମୂଲ୍ୟାୟନ ହେଉଥିବାରୁ ସମସ୍ୟା ଦେଖାଦେଇଛି। ଏମ୍‌ଆଇଏଲ୍‌ ହିନ୍ଦୀ ବିଷୟର ଉତ୍ତର ଖାତାଗୁଡ଼ିକ କେବଳ ରାଉରକେଲାରେ ମୂଲ୍ୟାୟନ ହେଉଥିବା ବେଳେ ଏମ୍‌ଆଇଏଲ୍‌ ତେଲୁଗୁ ବିଷୟର ଖାତାଗୁଡ଼ିକ ବ୍ରହ୍ମପୁରରେ ଦେଖାଯାଉଛି। ଏହି ଦୁଇ ସହରରେ କରୋନା ସଂକ୍ରମଣ ବୃଦ୍ଧି ଓ ଲକ୍‌ଡାଉନ୍‌ ଜାରି ରହିଥିବାରୁ ମୂଲ୍ୟାୟନ ପ୍ରଭାବିତ ହୋଇଛି। ତେଣୁ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଅଗଷ୍ଟ ଶେଷ ସପ୍ତାହରେ ପ୍ରକାଶ ପାଇବ।

ମିଳିଥିବା ସୂଚନା ଅନୁଯାୟୀ ବିଜ୍ଞାନ ବିଭାଗର ୯୫% ଓ ବାଣିଜ୍ୟ ବିଭାଗର ୮୦% ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି। ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ପ୍ରଥମେ ବିଜ୍ଞାନ ଓ ପରେ ଅନ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ। ଇଂରାଜୀ ଓ ଓଡ଼ିଆ(ଏମ୍‌ଆଇଏଲ୍‌) ବିଷୟର ଖାତା ମୂଲ୍ୟାୟନରେ ସମସ୍ୟା ସୃଷ୍ଟି ହେଉଛି। ଉକ୍ତ ଦୁଇ ବିଷୟର ଖାତା ଦେଖିବାକୁ ପର୍ଯ୍ୟାପ୍ତ ଅଧ୍ୟାପକ ଆସୁନାହାନ୍ତି। ପରିଣାମସ୍ବରୂପ ଗୋଟିଏ ବିଭାଗର ଖାତା ଦେଖା ଶେଷ ହେବା ପରେ ଅଧ୍ୟାପକମାନେ ଆଉ ଗୋଟିଏ ବିଭାଗର ଉତ୍ତର ଖାତା ଦେଖୁଛନ୍ତି। ‌ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୬ ଲକ୍ଷ ୫୦ ହଜାର ଉତ୍ତର ଖାତା ଅନ୍‌ଲାଇନ୍‌ରେ ମୂଲ୍ୟାୟନ ଚାଲିଛି। ସେହିପରି ୧୫ ଲକ୍ଷ ଉତ୍ତର ଖାତା ଅଫ୍‌ଲାଇନ୍‌ରେ ମୂଲ୍ୟାୟନ ଚାଲିଛି।

ସମ୍ବନ୍ଧିତ ଖବର