ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ: ରେଭେନ୍ସା ପୁଣି ଶୀର୍ଷରେ

ନାମଲେଖା ଲାଗି ୬୮ ହଜାର ମନୋନୀତ, ୮ରୁ ୧୦ ତାରିଖ ଯାଏ ନାମ ଲେଖା

ଭୁବନେଶ୍ବର : ଯୁକ୍ତ୨ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ବୁଧବାର ଦିନ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ୬୭ ହଜାର ୯୧୯ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳାରେ ସର୍ବାଧିକ ୪୩ ହଜାର ୭୫୩ ଜଣ ମନୋନୀତ ହୋଇଥିବା ବେଳେ ବିଜ୍ଞାନରେ ୨୦ ହଜାର ୪୫୩, ବାଣିଜ୍ୟରେ ୩ ହଜାର ୧୧୪, ଧନ୍ଦାମୂଳକ ବିଭାଗରେ ୪୧୦ ଓ ସଂସ୍କୃତ ବିଭାଗରେ ୧୮୯ ଜଣ ନାମ ଲେଖାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩୬ ହଜାର ୯୭ଜଣ ଛାତ୍ର, ୩୧ ହଜାର ୮୧୯ଜଣ ଛାତ୍ରୀ ଓ ତିନି ଜଣ କିନ୍ନର ରହିଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୮ରୁ ୧୦ ତାରିଖ ମଧ୍ୟରେ କଲେଜରେ ନାମ ଲେଖା‌ଇ ପାରିବେ। ୧୫ ଓ ୧୬ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଞ୍ଜୀକରଣ କରିପାରିବେ। ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍‌ ନାମଲେଖା ଲାଗି ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୭ରୁ ୨୦ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ।

ଏଥର ବି କଟ୍‌ ଅଫ୍‌ ମାର୍କ ତାଲିକାରେ ରେଭେନ୍ସା କଲେଜ ସବୁଠୁ ଆଗରେ ରହିଛି। ସାଧାରଣ ବର୍ଗରେ କଳାରେ ରେଭେନ୍ସାର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୮୨.୨% ଥିବା ବେଳେ କଟକ ଜିଲ୍ଲା ନରସିଂହପୁର କଲେଜର ୮୧.୭%, ବାଲେଶ୍ବର ଜିଲ୍ଲା ବାଲିଆପାଳସ୍ଥିତ କୃଷ୍ଣଚନ୍ଦ୍ର ପିପିଲି କଲେଜର ୮୧%, ବିଜେବିର ୮୦.୩%, ଫକୀର ମୋହନ କଲେଜର ୮୦.୨%, ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର ପଞ୍ଚାୟତ ସମିତି କଲେଜର ୮୦.୨%, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ଡିଏଭି କଲେଜର ୭୯.୭%, ଯାଜପୁରସ୍ଥିତ ନରସିଂହ ଚୌଧୁରୀ କଲେଜର ୭୯.୩%, ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର କଲେଜର ୭୯.୩% ଓ ବାଲେଶ୍ବର ଜିଲ୍ଲା ଖଇରା କଲେଜର ୭୯.୩% ରହିଛି।

ବିଜ୍ଞାନ ବିଭାଗରେ ରେଭେନ୍ସାର ସର୍ବାଧିକ ୯୨.୭%, ସରସ୍ବତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗରରେ ୯୨.୪%, ସୋର ଉପେନ୍ଦ୍ରନାଥ କଲେଜର ୯୧.୭%, ବାଲେଶ୍ବର ଫକୀର ମୋହନ କଲେଜର ୯୧.୨%, ବିଜେବିର ୯୧%, କଟକ ଜେକେବିକେର ୮୮.୭%, ଭୁବନେଶ୍ବରର ବେସିକ୍‌ ସାଇନ୍ସ କଲେଜର ୮୮.୩%, ନୟାଗଡ଼ କଲେଜର ୮୭.୫%, ବାଲେଶ୍ବରର କୁନ୍ତଳା କୁମାରୀ ସାବତ ମହିଳା କଲେଜର ୮୭.୫%, ଖଲ୍ଲିକୋଟ କଲେଜର ୮୭.୫% ରହିଛି। ବାଣିଜ୍ୟରେ ରେଭେନ୍ସାର ୮୧.୮%, ରାଉରକେଲା ସରକାରୀ କଲେଜର ୭୬.୭%, ଶୈଳବାଳା କଲେଜର ୭୫%, କଟକ ଜେକେବିକେ‌ର ୭୪.୭%, ବିଜେବିର ୭୪.୭%, ରାଜଧାନୀ କଲେଜର ୭୨.୩%, ଭଞ୍ଜନଗରର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜର ୭୨%, ଭଦ୍ରକ କଲେଜର ୭୧.୮%, ଖଲ୍ଲିକୋଟ କଲେଜର ୭୧.୩% ଓ ଯାଜପୁର ଜିଲ୍ଲା ନରସିଂହ ଚୌଧୁରୀ କଲେଜର ୭୦.୩% କଟ୍‌ଅଫ୍‌ ମାର୍କ ରହିଛି। ସଂସ୍କୃତ ବିଭାଗରେ ବରଗଡ଼ ଜିଲ୍ଲାର ଲାଲ୍‌ ଗୋପାଳଜୀ ସଂସ୍କୃତ କଲେଜର କଟ୍‌ ଅଫ୍‌ ମର୍କ ୬୧.୩% ଥିବା ବେଳେ ଧନ୍ଦାମୂଳକ ବିଭାଗରେ କଳାହାଣ୍ଡି ଧର୍ମଗଡ଼ ସରକାରୀ କଲେଜର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୭୯.୫% ହୋଇଛି।

ସମ୍ବନ୍ଧିତ ଖବର