୨୩ରୁ ୟୁ-ଟ୍ୟୁବ୍‌ରୁ ପଢ଼ିବେ ଯୁକ୍ତ୨ ପିଲା

ଭୁବନେଶ୍ବର : ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେଲା। ପାଖାପାଖି ମାସେ ହେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି। ପ୍ରତିଦିନ ଏକାଧିକ କ୍ଲାସ୍‌ ମଧ୍ୟ ହେଉଛି। ମାତ୍ର ଅଧ୍ୟାପକ, ଅଧ୍ୟାପିକା ବିଦ୍ୟାଳୟ ଆସୁଥିଲେ ମଧ୍ୟ ପିଲା ଆସୁନାହାନ୍ତି। ଉପସ୍ଥାନ ନୈରାଶ୍ୟଜନକ ହେଉଛି। ଯେଉଁଥିପାଇଁ ଆସନ୍ତା ୨୩ ତାରିଖରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁ-ଟ୍ୟୁବ୍‌ରେ ପଢ଼ାଇବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏହି କ୍ଲାସ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଇଂରାଜୀ, ଓଡ଼ିଆ, ଶିକ୍ଷା, ରାଜନୀତି ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନ, ରେଭେନ୍ସା‌ ବିଦ୍ୟାଳୟରୁ ବାଣିଜ୍ୟ(ବିଏମ୍‌ଏସ୍‌), ଇତିହାସ, ଭୂଗୋଳ ଓ ଅର୍ଥନୀତି, ଖଲ୍ଲିକୋଟ କଲେଜରୁ ଜୀବ ବିଜ୍ଞାନ ଓ ବାଣିଜ୍ୟ(ଆକାଉଣ୍ଟିଂ), ଏମ୍‌ପିସି କଲେଜରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ବାଣିଜ୍ୟ(ବିଏସ୍‌ଏମ୍‌) ବିଷୟ‌ର ପାଠପଢ଼ା ହେବ। ସେହିପରି ପୁରୀ ଏସ୍‌ସିଏସ୍‌ ବିଦ୍ୟାଳୟରୁ ତର୍କଶାସ୍ତ୍ର ଓ ମନସ୍ତତ୍ତ୍ବ ବିଜ୍ଞାନ, ବାଲେଶ୍ବର ଫକୀର ମୋହନ ବିଦ୍ୟାଳୟରୁ ଗଣିତ, ଅର୍ଥନୀତି ଓ ଓଡ଼ିଆ(ଅପ୍‌ସନାଲ) ଶିକ୍ଷା ପ୍ରଦାନ କରାଯିବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକରେ ୟୁଟ୍ୟୁବ୍‌ ଷ୍ଟୁଡିଓ ପ୍ରସ୍ତୁତ ହୋଇଛି। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନେ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ସହ ମାନବ ସମ୍ବଳ ଯୋଗାଇବା ଦିଗରେ ପଦ‌କ୍ଷେପ ନେବେ। ଯଦି ଡିପିସିମାନେ ବିଫଳ ହୁଅନ୍ତି, ତେବେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷମାନେ ଜଣେ ଟେକ୍ନିକାଲ ବ୍ୟକ୍ତିକୁ ନିୟୋଜିତ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର