+୨ ପାଠପଢ଼ାର ଭୟାନକ ସ୍ଥିତି: ୬୬ ପିଲାଙ୍କୁ ଜଣେ ଶିକ୍ଷକ

ଦେଶର କୌଣସି ରାଜ୍ୟରେ ଏମିତି ସ୍ଥିତି ନାହିଁ

ଘରୋଇ ବିଦ୍ୟାଳୟରେ ନାହିଁ ଧନ୍ଦାମୂଳକ ପାଠ୍ୟକ୍ରମ
ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି ୮୦% ପିଲା

ଭୁବନେଶ୍ବର : ଯୁକ୍ତ ୨ରେ ପଢ଼ାଇବା ଲାଗି ଓଡ଼ିଶାରେ ଶିକ୍ଷକଙ୍କ ଘୋର୍‌ ଅଭାବ ପରିଲକ୍ଷିତ ହୋଇଛି। ଯେ‌ତିକି ଛାତ୍ରଛାତ୍ରୀ ରହିଛନ୍ତି, ସେହି ତୁଳନାରେ ଶିକ୍ଷକ ନାହାନ୍ତି। ଦେଶର କୌଣସି ବି ରାଜ୍ୟରେ ଓଡ଼ିଶା ପରି ଭୟାନକ ସ୍ଥିତି ନାହିଁ। ଏମିତିକି ଜାତୀୟ ସ୍ତରରେ ଛାତ୍ର-ଶିକ୍ଷକଙ୍କ ଅନୁପାତ ୨୬:୧ ଥିବା ବେଳେ ଓଡ଼ିଶାରେ ଏହା ୬୬:୧ ରହିଛି। ଅର୍ଥାତ୍‌ ୬୬ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଏହି ତଥ୍ୟ ବିସ୍ମୟ ଲାଗୁଥିଲେ ମଧ୍ୟ ସତ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ତେବେ ଆଶ୍ବସ୍ତିର ବିଷୟ ହେଉଛି ଯେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲସ୍ତରରେ ଓଡ଼ିଶା ସ୍ଥିତି ଭଲ ଅଛି। ଜାତୀୟ ହାରଠାରୁ ବହୁ ଆଗରେ ରହିଛି ଓଡ଼ିଶା। ପ୍ରାଥମିକସ୍ତରରେ ୧୬ଜଣ ପିଲାଙ୍କୁ ପଢ଼ାଇବା ଲାଗି ଜଣେ ଶିକ୍ଷକ ଥିବା ବେଳେ ଉଚ୍ଚ ପ୍ରାଥମିକରେ ୧୫ଜଣଙ୍କ ଲାଗି ଜଣେ ଓ ହାଇସ୍କୁଲରେ ୧୮ଜଣଙ୍କ ଲାଗି ଜଣେ ଶିକ୍ଷକ ରହିଛନ୍ତି। ଜାତୀୟସ୍ତରରେ ଏହି ଅନୁପାତ ଯଥାକ୍ରମେ ୨୬:୧, ୧୮:୧ ଓ ୧୮:୧ ରହିଛି। ଯୁକ୍ତ ୨ସ୍ତରରେ ଓଡ଼ିଶା ତଳକୁ ବିହାର ରହିଛି। ଏଠାରେ ୫୯ଜଣ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ଶିକ୍ଷକ ରହିଛନ୍ତି। ଝାଡ଼ଖଣ୍ଡରେ ୫୪ଜଣ ଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଦେଶର ଅନ୍ୟ ସମସ୍ତ ରାଜ୍ୟରେ ଯୁକ୍ତ୨ରେ ଶିକ୍ଷକ-ଛାତ୍ରଙ୍କ ଅନୁପାତ ୪୦:୧ ତଳକୁ ରହିଛି।

ଧନ୍ଦାମୂଳକ ଶିକ୍ଷା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି। ତେବେ ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ଆଜି ପର୍ଯ୍ୟନ୍ତ ପଯ୍ୟାପ୍ତ ଧନ୍ଦାମୂଳକ ପାଠ୍ୟକ୍ରମ ଖୋଲା ଯାଇପାରିନାହିଁ। ଓଡ଼ିଶାରେ ୧୧ ହଜାର ୯୬୧ଟି ବିଦ୍ୟାଳୟ ରହିଥିବା ବେଳେ ସେଥିମଧ୍ୟରୁ ଏନ୍‌ଏସ୍‌କ୍ୟୁଏଫ୍‌(ନ୍ୟାସନାଲ ସ୍କିଲ୍‌ କ୍ବାଲିଫିକେସନ ଫ୍ରେମ୍‌ୱାର୍କ) ଅଧୀନରେ ମା‌ତ୍ର ୫୭୨ଟି ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ପାଠ୍ୟକ୍ରମ ରହିଛି। ୫୬୭ଟି ସରକାରୀ ବିଦ୍ୟାଳୟ ଓ ୫ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହି ସୁବିଧା ଉପଲବ୍ଧ କରାଯାଇଛି। କିନ୍ତୁ କୌଣସି ଗୋଟିଏ ବି ଘରୋଇ ବିଦ୍ୟାଳୟରେ ଏହି ପାଠ୍ୟକ୍ରମ ନାହିଁ। ସରକାରୀ ବିଦ୍ୟାଳୟରେ ୫୪ ହଜାର ୪୭୫ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୩୬୭ଜଣ ଏହି ଶିକ୍ଷା ଗ୍ରହଣ କରୁଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଏତେ ସବୁ ଅବ୍ୟବସ୍ଥା ପରେ ବି ୮୦% ଛାତ୍ରଛାତ୍ରୀଙ୍କ ପସନ୍ଦ ପାଲଟିଛି ସରକାରୀ ବିଦ୍ୟାଳୟ। ମୋଟ ୮୦ଲକ୍ଷ ୩୩ ହଜାର ୮୧୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୬୪ ଲକ୍ଷ ୨୬ ହଜାର ୩୬୦ ପିଲା ପଢ଼ୁଛନ୍ତି। ୫୫ ଲକ୍ଷ ୧୪ ହଜାର ୮୭୬ ଜଣ ସରକାରୀ ଓ ୯ ଲକ୍ଷ ୧୧ହଜାର ୪୮୪ ଜଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଛନ୍ତି। ଘରୋଇ ବିଦ୍ୟାଳୟରେ ୧୪ ଲକ୍ଷ ୯୪ ହଜାର ୯୫୪ଜଣ ଶିକ୍ଷା ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମୋଟ ୬୭ ହଜାର ୨୦ ସ୍କୁଲ ରହିଛି। ସେଥିମଧ୍ୟରୁ ୩୩ ହଜାର ୩୪୦ ପ୍ରାଥମିକ, ୨୧ ହଜାର ୭୧୯ ଉଚ୍ଚ ପ୍ରାଥମିକ, ୯୫୧୫ ହାଇସ୍କୁଲ ଓ ୨୪୪୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ। ପ୍ରାଥମିକ ତଥା ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ୫୬ଲକ୍ଷ ୬୪ ହଜାର ୮୮୩ ଜଣ ରହିଛନ୍ତି। ହାଇସ୍କୁଲରେ ୧୨ଲକ୍ଷ ୫୨ ହଜାର ୫୧୪ ଓ ଯୁକ୍ତ ୨ସ୍ତରରେ ୭ ଲକ୍ଷ ୬୯ ହଜାର ୪୯୭ ଜଣ ପଢ଼ୁଛନ୍ତି। ରାଜ୍ୟରେ ମୋଟ ୩ ଲକ୍ଷ ୫୭ ହଜାର ୩୫ଜଣ ଶିକ୍ଷକ ରହିଛନ୍ତି।

ସମ୍ବନ୍ଧିତ ଖବର