ହାଇସ୍କୁଲରେ ଖୋଲିବ ଯୁକ୍ତ୨

ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ ହାଇସ୍କୁଲ ଚିହ୍ନଟ, ପର୍ଯ୍ୟାୟକ୍ରମେ ୧୦୦ ବିଦ୍ୟାଳୟ ଅପଗ୍ରେଡ୍‌ ହେବ

ଭୁବନେଶ୍ୱର : ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ରୂପାନ୍ତରିତ ହାଇସ୍କୁଲକୁ ଅପଗ୍ରେଡ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯାଇ ସେଠାରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରାଯିବ। ଉକ୍ତ ୪୦ଟି ସ୍କୁଲରେ ଏକାଦଶ ଶ୍ରେଣୀ ପାଠପଢ଼ା ହେବ। ବିଶେଷକରି କଲେଜ ନ ଥିବା ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦେଖି ତଥା ଡ୍ରପ୍‌-ଆଉଟ୍‌ ସମସ୍ୟାର ସମାଧାନ ନିମନ୍ତେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଇତିମଧ୍ୟରେ ପିଲାଙ୍କୁ ପଢ଼ାଇବା ଲାଗି ଶିକ୍ଷକ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଛି। ୫୩ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏଥିନିମନ୍ତେ ନିଯୁକ୍ତି ମିଳିଛି। ଆଗକୁ ଆହୁରି ଦିଆଯିବ। ଆବଶ୍ୟକ ପଡ଼ିଲେ, ଅତିଥି ଅଧ୍ୟାପକ ମଧ୍ୟ ନିଯୁକ୍ତ କରାଯିବ। ରୂପାନ୍ତରଣ ପ୍ରକ୍ରିୟାରେ ସ୍କୁଲ ଭିତ୍ତିଭୂମି ଭଲ ହୋଇସାରିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହ ଆଗକୁ ରାଜ୍ୟର ୧୦୦ଟି ସ୍କୁଲକୁ ଅପଗ୍ରେଡ୍ ପାଇଁ ଯୋଜନା କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପାର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଏଡିଇଓ)ଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ୍‌. ବିଦ୍ୟାଳୟର ଅଧ୍ୟକ୍ଷ ଓ ଏଡିଇଓଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେବା ସହ ଆଗାମୀ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଯୁକ୍ତ୨ପରୀକ୍ଷାରେ ରାଜ୍ୟର ବିଭିନ୍ନ ବର୍ଗର ବିଦ୍ୟାଳୟର ପ୍ରଦର୍ଶନ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆୟାର ଅଲୋକପାତ କରିଥିଲେ।

ସମ୍ମିଳନୀରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଡିଗ୍ରି କଲେଜ ବା ବିଶ୍ୱବିଦ୍ୟାଳୟରୁ ପୃଥକୀକରଣ, ଅତିଥି ଅଧ୍ୟାପକ ନିଯୁକ୍ତି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୈକ୍ଷିକ ତଦାରଖ ବ୍ୟବସ୍ଥା, ଧନ୍ଦାମୂଳକ ଶିକ୍ଷାର ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରକାର ଇ-ଶିକ୍ଷଣ ଓ ଇ-ମୂଲ୍ୟାୟନ ସମ୍ବନ୍ଧରେ ଏସ୍‌ସିଇଆର୍‌ଟି ପକ୍ଷରୁ ତାଲିମ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ୫୫୦ରୁ ଅଧିକ କ୍ୟାରିୟର୍‌ ଓ ୧୨୦୦ରୁ ଅଧିକ ବୃତ୍ତି ସମ୍ବଳିତ ଓଡ଼ିଶା କ୍ୟାରିୟର୍‌ ପୋର୍ଟାଲ ଉପରେ ୟୁନିସେଫ୍‌ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଥିଲା। ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶିକା ବିଜୟା ପାତ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର