ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ: ମାଟ୍ରିକ୍‌ ମାର୍କ ଆଧାରରେ ମୂଲ୍ୟାୟନ!

କଲେଜ କର୍ତ୍ତୃପକ୍ଷ ପ୍ରାକ୍ଟିକାଲ ମାର୍କ ଦେବେ
ମାଟ୍ରିକ୍‌ ଢାଞ୍ଚାରେ ରହିବ ମେଣ୍ଟର କଲେଜ
ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଗଠିତ ବିଶେଷଜ୍ଞ କମିଟିର ଚତୁର୍ଥ ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏଥିସହ ଆଜି ରାତି ସୁଦ୍ଧା କମିଟି ପକ୍ଷରୁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ କରାଯାଇ ପରିଷଦକୁ ହସ୍ତାନ୍ତର କରାଯାଇଛି। ଉକ୍ତ ରିପୋର୍ଟ ଅନୁମୋଦନ ଲାଗି ପରିଷଦ ପକ୍ଷରୁ ଶୁକ୍ରବାର ଗଣଶିକ୍ଷା ବିଭାଗକୁ ଦିଆଯିବ। ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ ଏବଂ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।

ମିଳିଥିବା ସୂଚନା ଅନୁଯାୟୀ, ବିକଳ୍ପ ମୂଲ୍ୟାୟନ ଲାଗି କେବଳ ମାଟ୍ରିକ୍‌ ମାର୍କକୁ ବିଚାରକୁ ନିଆଯିବ। ବିଷୟ ଭିତ୍ତିକ ମାର୍କିଂକୁ ମୁଖ୍ୟତଃ ଗୁରୁତ୍ବ ଦିଆଯିବ। ଉଦାହରଣ ସ୍ବରୂପ ମାଟ୍ରିକ୍‌ର ବିଜ୍ଞାନ ମାର୍କକୁ ଆଧାର କରି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଆଦି ବିଷୟକୁ ହିସାବକୁ ନିଆଯିବ। ସୋସିଆଲ ସାଇନ୍ସକୁ ଆଧାର କରି ରାଜନୀତି ବିଜ୍ଞାନ, ଇତିହାସ ପରି କଳା ବିଭାଗର ବିଭିନ୍ନ ବିଷୟର ମାର୍କିଂ ହେବ। ଓଡ଼ିଆ ଓ ଇଂରାଜୀ ବିଷୟର ମାର୍କ ଆଧାରରେ ସମ୍ପୃକ୍ତ ବିଷୟର ମାର୍କିଂ ହେବ। ଯେପରି କୌଣସି ତ୍ରୁଟି ନ ହୁଏ, ସେଥିପାଇଁ ଏକ ନିୟମାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ପ୍ରାକ୍ଟିକାଲ ବିଷୟ ମାର୍କ ସମ୍ପୂର୍ଣ୍ଣ କଲେଜ ଉପରେ ଛାଡ଼ି ଦିଆଯିବ। ଯେହେତୁ କଲେଜଗୁଡ଼ିକ ପ୍ରାୟ ୮୦ ଦିନ କ୍ଲାସରୁମ୍‌ ପାଠପଢ଼ା ସହ ପିଲାଙ୍କ ପ୍ରାକ୍ଟିକାଲ କରାଇଛନ୍ତି, ତେଣୁ ସେମାନେ ପିଲାଙ୍କର ମୂଲ୍ୟାୟନ କରି ପରିଷଦ ନିକଟରେ ମାର୍କ ଦାଖଲ କରିବେ। ୩୦% ମାର୍କରୁ ପିଲାଙ୍କ ଯୋଗ୍ୟତା ଅନୁଯାୟୀ ମାର୍କ ଦେବେ, ଯାହାକୁ ଆଧାର କରି ପରୀକ୍ଷାଫଳ ପ୍ରସ୍ତୁତ କରାଯିବ। ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମାଟ୍ରିକ୍‌ ବ୍ୟତୀତ ଆଉ କୌଣସି ବିକଳ୍ପ ନ ଥିଲା। ମୂଲ୍ୟାୟନରେ ଯେପରି ସ୍ବଚ୍ଛତା ରହିପାରିବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ମାଟ୍ରିକ୍‌ ପରି ଯୁକ୍ତ୨ରେ ବି ମେଣ୍ଟର କଲେଜ ବ୍ୟବସ୍ଥା ରହିବ। ଗୋଟିଏ କଲେଜ ଅଧୀନ‌ରେ ୮ରୁ ୧୦ଟି କଲେଜ ରହିବ। ସମ୍ପୃକ୍ତ କଲେଜର ଅଧ୍ୟକ୍ଷମାନେ ମେଣ୍ଟର କଲେଜରେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କ ଦାଖଲ କରିବେ। ମେଣ୍ଟର କଲେଜଗୁଡ଼ିକ ତାହାକୁ ଯାଞ୍ଚ କରି ପରିଷଦକୁ ପଠାଇବେ। ଏବେ ପରିଷଦର ମୁଖ୍ୟ କାମ ହେଉଛି ପରୀକ୍ଷାର୍ଥୀଙ୍କ ମାଟ୍ରିକ୍‌ ମାର୍କ ସଂଗ୍ରହ କରିବା। ଗଣଶିକ୍ଷା ବିଭାଗ ପକ୍ଷରୁ ରିପୋର୍ଟକୁ ଅନୁମୋଦନ ଦିଆଯିବା ପରେ ମାଟ୍ରିକ୍‌ ମାର୍କ ସିଟ୍‌ ସଂଗ୍ରହ କରାଯାଇ ମୂଲ୍ୟାୟନ ପ୍ରସ୍ତୁତି ଚାଲିବ।

ଅନ୍ୟପକ୍ଷରେ ପରିଷଦ କାର୍ଯ୍ୟାଳୟରେ ଆଜି ବସିଥିବା ବିଶେଷଜ୍ଞ କମିଟି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ନ ଥିଲେ। ହାତଗଣତି କେତେଜଣ ସଦସ୍ୟଙ୍କୁ ନେଇ ବୈଠକ ହୋଇଥିଲା। ଯେଉଁଥିରେ ମୂଲ୍ୟାୟନରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ପ୍ରାୟ ୩ଘଣ୍ଟା ଧରି ବସିଥିବା ବୈଠକରେ ବିକଳ୍ପ ମୂଲ୍ୟାୟନ ବାବଦରେ ବ୍ୟାପକ ମାନସମନ୍ଥନ ହେବା ପରେ ଚୂଡ଼ାନ୍ତ ନିଷ୍କର୍ସରେ ପହଞ୍ଚିଛନ୍ତି। ରାତି ୯ଟା ପର୍ଯ୍ୟନ୍ତ ପରିଷଦର ଅଧିକାରୀମାନେ କାର୍ଯ୍ୟାଳୟରେ ବସି ରହି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବା ନେଇ ସୂଚନା ମିଳିଛି। ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ କହିଛନ୍ତି ଯେ ମୂଲ୍ୟାୟନ ପାଇଁ ମାଟ୍ରିକ୍‌ ମାର୍କ ପ୍ରମୁଖ ଆଧାର। ରିପୋର୍ଟ ପ୍ରସ୍ତୁତ ହୋଇସାରିଥିବାରୁ ଖୁବ୍‌ଶୀଘ୍ର ସରକାରଙ୍କୁ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର