ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ୩୧ହଜାର ୩୨୭ଜଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୧ହଜାର ୮୩୦ଜଣ ଆବେଦନ କରିଥିବା ବେଳେ ୨୧ହଜାର ୬୨୪ଜଣ ଫି’ ଦାଖଲ କରିଛନ୍ତି।

Advertisment

ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୬ ସୁଦ୍ଧା ସାମ୍‌ସ ପୋର୍ଟାଲ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଦାଖଲ କରିପାରିବେ। ଜୁଲାଇ ୧୮ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବ। ଏଥର ରାଜ୍ୟର ୨୧୨୧ ଯୁକ୍ତ୨ କଲେଜର ୫ଲକ୍ଷ ୨୫ ହଜାର ୪୬୫ ସିଟ୍‌ରେ ନାମଲେଖା ହେବ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍‌, ବିଜ୍ଞାନରେ ୧ ଲକ୍ଷ ୬୬ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪, ସଂସ୍କୃତରେ ୧୩ହଜାର ୮୮ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାର ୫୦୪ ସିଟ୍‌ରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି।