ଯୁକ୍ତ୨ ମୂଲ୍ୟାୟନ: ମାର୍କ ଦାଖଲ କରୁନାହାନ୍ତି କଲେଜ

୨୦୧ କଲେଜ ଦେଇନାହାନ୍ତି ଦଶମ ମାର୍କ
ଏକ୍ସ-ରେଗୁଲାରଙ୍କ ତଥ୍ୟ ଦେଇନାହାନ୍ତି ୧୮୬ କଲେଜ
୩୧ ସୁଦ୍ଧା ଫଳ ପ୍ରକାଶ ସିଏଚ୍‌ଏସ୍‌ଇ ପାଇଁ ଆହ୍ବାନ

ଭୁବନେଶ୍ବର : ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ କରାଯିବ। ସୁପ୍ରିମ୍‌କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧିକାରୀଙ୍କ ନିଦ ହଜି ଯାଇଛି। ହାତରେ ଆଉ ମାତ୍ର ୧୦ଦିନ ସମୟ ଥିବା ବେଳେ ମୂଲ୍ୟାୟନକୁ କିଭଳି ତ୍ବରାନ୍ବିତ କରାଯିବ, ସେନେଇ ଜୋରଦାର ପ୍ରୟାସ କରୁଛନ୍ତି। ତେବେ କଲେଜଗୁଡ଼ିକ ସହଯୋଗ କରୁ ନଥିବାରୁ ଏବେ ନିର୍ଧାରିତ ସମୟ ସୁଦ୍ଧା ପରୀକ୍ଷାର୍ଥୀଙ୍କ ରେଜଲ୍ଟ ବାହାରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଥରେ କି ଦୁଇ ଥର ନୁହେଁ, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ବାରମ୍ବାର ଚିଠି ଲେଖିବା ପରେ ବି ଯୁକ୍ତ୨ କଲେଜଗୁଡ଼ିକ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିକାଲ ମାର୍କ ଦାଖଲ କରୁନାହାନ୍ତି। ଏମିତିକି ମାଟ୍ରିକ୍‌ ମାର୍କ ତାଲିକା ଦେଉନାହାନ୍ତି। ବେସରକରୀ କଲେଜଗୁଡ଼ିକ ଏ କ୍ଷେତ୍ରରେ ଆଗରେ ରହିଥିବା ବେଳେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ସହଯୋଗ କରୁ ନଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ରବିବାର ସୁଦ୍ଧା ୧୨୯ଟି କଲେଜ ପ୍ରାୟ ୧୫୦୦ ପରୀକ୍ଷାର୍ଥୀଙ୍କ ପ୍ରାକ୍ଟିକାଲ ମାର୍କ ଦାଖଲ କରି ନଥିଲେ। ସେଥିମଧ୍ୟରୁ ୪ଟି କଲେଜ ପ୍ରାକ୍ଟିକାଲ ମାର୍କ ଦାଖଲ ନେଇ ପ୍ରକ୍ରିୟା‌ ହିଁ ଆରମ୍ଭ କରି ନଥିବା ବେଳେ ୧୨୫ କଲେଜର ପ୍ରାକ୍ଟିକାଲ ମାର୍କ ଦାଖଲ ପ୍ରକ୍ରିୟା ଏବେ ବି ଜାରି ରହିଛି। ରବିବାର ସୁଦ୍ଧା ଖୋର୍ଧାସ୍ଥିତ ପ୍ରାଣନାଥ କଲେଜର ୧୦୬୨ଜଣ ଛାତ୍ରଛାତ୍ରୀଙ୍କ ମାର୍କ ଦାଖଲ ହୋଇ ନଥିଲା। ପରିଷଦ ପକ୍ଷରୁ କଲେଜଗୁଡ଼ିକ ତାଲିକା ପ୍ରକାଶ ପରେ ସୋମବାର ରାତି ସୁଦ୍ଧା କଲେଜର ଆହୁରି ୪୪ ଜଣ ପରୀକ୍ଷାର୍ଥୀ ମାର୍କ ଦାଖଲ କରିବା ବାକି ରହିଥିବା ଜଣାପଡ଼ିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କଲେଜଗୁଡ଼ିକ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମାର୍କ ଦାଖଲରେ ବି ଅସହଯୋଗ କରୁଛନ୍ତି। ସୋମବାର ରାତି ସୁଦ୍ଧା ୨୦୧ ଯୁକ୍ତ୨ କଲେଜ ପିଲାଙ୍କ ଦଶମ ଶ୍ରେଣୀ ମାର୍କ ଦାଖଲ କରିନାହାନ୍ତି। ସେହିପରି ୧୮୬ କଲେଜ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ତଥ୍ୟ ପରିଷଦ ନିକଟରେ ଦାଖଲ କରି ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମାର୍କ ପ୍ରୋସେସିଂ ପାଇଁ ୧୦ରୁ ୧୫ଦିନ ସମୟ ଲାଗିବ ବୋଲି ଫାର୍ମ ହାଉସ୍‌ ଇତିମଧ୍ୟରେ ପରିଷଦକୁ ଅବଗତ କରାଇଛି। ତେବେ ଯେତେଶୀଘ୍ର ସମ୍ଭବ ମାର୍କ ଦାଖଲ କରାଗଲେ, ତାହା ଆଧାରରେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାଫଳ ପ୍ରକାଶ କରାଯିବ। ହାତରେ ମାତ୍ର ୧୦ ଦିନ ସମୟ ରହିଥିବାରୁ ପରିଷଦ ପାଇଁ ଏବେ ଏକ ଆହ୍ବାନ ସୃଷ୍ଟି ହୋଇଛି। ଏତେ କମ୍‌ ସମୟ ମଧ୍ୟରେ କିଭଳି ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯିବ, ତାହା ଚିନ୍ତାର ବିଷୟ। ଯେଉଁ କଲେଜଗୁଡ଼ିକ ମାର୍କ ଦାଖଲ କରିସାରିଛନ୍ତି, ସେମାନଙ୍କ ପିଲାଙ୍କ ପ୍ରୋସେସିଂ ଆରମ୍ଭ ହୋଇଛି। ଯେଉଁ ପିଲାଙ୍କ ମାର୍କ ପରିଷଦ ନିକଟରେ ପହଞ୍ଚି ନାହିଁ, ସେମାନଙ୍କୁ ଆଉଥରେ ଶେଷ ସୁଯୋଗ ଦେବାକୁ ଯୋଜନା ରହିଛି। ଯଦି ଉକ୍ତ ସମୟ ପରେ କୌଣସି କଲେଜ ପରୀକ୍ଷାର୍ଥୀଙ୍କ ମାର୍କ ଦାଖଲ କରନ୍ତି ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର