ଭୁବନେଶ୍ବର: ପ୍ରତି ବର୍ଷ ପରି ଏଥର ମଧ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଆସନ୍ତାକାଲି(ମଙ୍ଗଳବାର) ପୂର୍ବାହ୍ଣ ୯ଟାରେ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପୁରୁଣା ପ୍ରେକ୍ଷାଳୟରେ ‘ଯୁକ୍ତ୨ ଚାମ୍ପ୍’ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେବାକୁ ଯାଉଛି।
ଉତ୍ସବରେ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚଣ୍ଡୀଚରଣ ରଥ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଜ୍ଞାନ ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶହେ ସ୍ଥାନରେ ଥିବା ଛାତ୍ରଛାତ୍ରୀଙ୍କ ସମେତ ବାଣିଜ୍ୟ ଓ କଳା ବିଭାଗର ଶ୍ରେଷ୍ଠ ୫୦ ସ୍ଥାନରେ ରହିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧିତ କରାଯିବ।