ଜୁନ୍‌‌ରେ ହେବନି ଯୁକ୍ତ୨ ପରୀକ୍ଷା, ସ୍ଥିତି ସୁଧୁରିଲେ ଜୁଲାଇ କିମ୍ବା ଅଗଷ୍ଟରେ ହୋଇପାରେ

ସିବିଏସ୍‌ଇ ନିଷ୍ପତ୍ତିକୁ ଅପେକ୍ଷା କରିଛି ରାଜ୍ୟ

ଭୁବନେଶ୍ବର : ଜୁନ୍‌ରେ ହେବନି ଯୁକ୍ତ୨ ପରୀକ୍ଷା। ବର୍ତ୍ତମାନ ସମୟରେ ରାଜ୍ୟର କରୋନା ସ୍ଥିତିକୁ ଦେଖି ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଯଦି ଜୁନ୍‌ରେ ସ୍ଥିତିରେ ସୁଧାର ଆସେ, ତେବେ ଜୁଲାଇ କିମ୍ବା ଅଗଷ୍ଟ ମାସରେ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇପାରେ। ନ ହେଲେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ନିଷ୍ପତ୍ତିକୁ ରାଜ୍ୟ ସରକାର ଅପେକ୍ଷା କରିବେ। ସିବିଏସ୍‌ଇ ଯେଉଁ ପଦ୍ଧତି ଆପଣାଇବ, ଓଡ଼ିଶାରେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ନିୟମିତ ଭାବେ ‌ସିବିଏସ୍‌ଇ ଅଧିକାରୀଙ୍କ ଯୋଗାଯୋଗରେ ରହିଥିବା ନେଇ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିକଳ୍ପ ମୂଲ୍ୟାୟନ ଜରିଆରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବା ନେଇ ନିଷ୍ପତ୍ତି ‌ପରେ ଯୁକ୍ତ୨ ପରୀକ୍ଷା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଛାତ୍ରଛାତ୍ରୀଙ୍କ କ୍ୟାରିଅର୍‌ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଏହି ପରୀକ୍ଷା ହେବ ନା ନାହିଁ। ଯଦି ହୁଏ, ତେବେ କେବେ? ଜୁନ୍‌ ପ୍ରଥମ ସପ୍ତାହରେ ସିବିଏସ୍‌ଇ ବୋର୍ଡ ନିଷ୍ପତ୍ତି ନେବାକୁ ଥିବାରୁ ଓଡ଼ିଶା ସରକାର ମଧ୍ୟ ସେହି ସମୟକୁ ଧାର୍ଯ୍ୟ କରିଛନ୍ତି। ତେବେ ମେ’ ଅଧା ହେବାକୁ ବସିଥିଲେ ମଧ୍ୟ ଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଯେଉଁଥିପାଇଁ ସିବିଏସ୍‌ଇଏ ପର୍ଯ୍ୟନ୍ତ ଯୁକ୍ତ୨ ପରୀକ୍ଷା ସମ୍ପର୍କରେ କିଛି ବି ପଦକ୍ଷେପ ନେଇ ପାରୁନାହିଁ।

ଏହାରି ଭିତରେ ସିବିଏସ୍‌ଇ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜୁନ୍‌ ମାସରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନ କରିବାକୁ ସିବିଏସ୍‌ଇ ଆପାତତଃ ନିଷ୍ପତ୍ତି ନେଇଛି। ଜୁନ୍‌ ମାସରେ ଯଦି ସ୍ଥିତିରେ ସୁଧାର ଆସେ, ତେବେ ଜୁଲାଇରେ ପରୀକ୍ଷା କରାଯାଇପାରେ। ନ ହେଲେ ଆଉ ପରୀକ୍ଷା କରିବା ସମ୍ଭବ ନୁହେଁ। କାରଣ ଅଗଷ୍ଟରେ ପରୀକ୍ଷା କରାଗଲେ ସମସ୍ତ ପ୍ରକ୍ରିୟା ଶେଷ ହେଲା ବେଳକୁ ପ୍ରାୟ ଦୁଇ ମାସ ସମୟ ଲାଗିବ। ଫଳରେ ପିଲାମାନେ ଉଚ୍ଚଶିକ୍ଷା କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଦଶମ ଶ୍ରେଣୀ ପରି ବିକଳ୍ପ ମୂଲ୍ୟାୟନ ପନ୍ଥା ଆପଣାଇବାକୁ ସିବିଏସ୍‌ଇ ଯୋଜନା ରଖିଛି। ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସିବିଏସ୍‌ଇ ସୂତ୍ରରୁ ପ୍ରକାଶ।

ଓଡ଼ିଶାରେ କରୋନା ସଂକ୍ରମଣ ଉପରମୁହାଁ ରହିଥିଲେ ମଧ୍ୟ ଯୁକ୍ତ୨ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ପ୍ରସ୍ତୁତ ସରିଛି। ପ୍ରଶ୍ନପତ୍ର ମଧ୍ୟ ତିଆରି ହୋଇଛି। କେବଳ ଛପା କାର୍ଯ୍ୟ ବାକି ରହିଛି। ସ୍ଥିତିରେ ସୁଧାର ଆସିଲେ ଯେକୌଣସି ସମୟରେ ପରୀକ୍ଷା କରାଯାଇପାରେ। ଜୁନ୍‌ ଶେଷ କିମ୍ବା ଜୁଲାଇରେ ପରୀକ୍ଷା କରିବା ଲାଗି ପ୍ରସ୍ତୁତ ରହିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଷଦକୁ କୁହାଯାଇଛି। ତାହାକୁ ନଜରରେ ରଖି ପରିଷଦ ନିୟମିତ ପ୍ରକ୍ରିୟାରେ କାର୍ଯ୍ୟ ଜାରି ରଖିଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଯୁକ୍ତ୨ ପରୀକ୍ଷା ସମ୍ପର୍କରେ କିଛି ବି କହିବା ସମ୍ଭବ ନୁହେଁ। ଜୁନ୍‌ ପ୍ରଥମ ସପ୍ତାହରେ ବୈଠକ ବସିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଯୁକ୍ତ୨ ପରୀକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଆମେ ହଠାତ୍‌ କୌଣସି ନିଷ୍ପତ୍ତି ନେଇପାରିବୁ ନାହିଁ। ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଶିକ୍ଷାବିତ୍‌ଙ୍କ ପରାମର୍ଶ ବି ନିଆଯାଉଛି। ସିବିଏସ୍‌ଇ ବୋର୍ଡ ମଧ୍ୟ ଏପର୍ଯ୍ୟନ୍ତ କିଛି ସ୍ଥିର କରି ନାହିଁ। ତେଣୁ ଆମେ ତାଙ୍କ ନିଷ୍ପତ୍ତିକୁ ବି ଅପେକ୍ଷା କରିଛୁ।

ସମ୍ବନ୍ଧିତ ଖବର