ଯୁକ୍ତ୨ ପରୀକ୍ଷା: ସିସିଟିଭି ଲଗାଇବାକୁ ନିର୍ଦେଶ

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିସିଟିଭି କ୍ୟାମେରାଗୁଡ଼ିକ ପ୍ରସ୍ତୁତ ରଖିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର, ଉପକେନ୍ଦ୍ର, ପରୀକ୍ଷା ପରିଚାଳନା ହବ୍‌, ସେଲ୍ଫ ଫାଇନାନ୍ସିଂ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ପରିଷଦ ପରୀକ୍ଷା ନିୟନ୍ତ୍ରକ ଆଜି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି ଯେ ଆଗକୁ ପରୀକ୍ଷା ହେବାକୁ ଥିବାରୁ ଆସନ୍ତା ୨୬ ତାରିଖ ସୁଦ୍ଧା ସିସିଟିଭି କ୍ୟାମେରାଗୁଡ଼ିକୁ ପ୍ରସ୍ତୁତ କରି ରଖ। ଯେଉଁ କଲେଜଗୁଡ଼ିକ ପରୀକ୍ଷା ରୁମ୍‌/ହଲ୍‌ରେ ଏପର୍ଯ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି ସେମାନେ ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ। ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ମାର୍ଚ୍ଚ ୧୫ ସୁଦ୍ଧା ସିସିଟିଭି ଲଗାଇବା ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି। ଆସନ୍ତା ୧୭ ତାରିଖ ସୁଦ୍ଧା ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ସାମ୍‌ସ ଇ-ସ୍ପେସ୍‌ରେ ସିସିଟିଭି କ୍ୟାମେରା ଲିଙ୍କ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏଥିସହ ୨୫ ତାରିଖ ସୁଦ୍ଧା ଅନ୍ୟ କଲେଜଗୁଡ଼ିକ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଯଦି କୌଣସି କଲେଜ ସିସିଟିଭି ଲଗାଇବାରେ ବିଫଳ ହୁଅନ୍ତି ସେଠାକାର ପରୀକ୍ଷା କେନ୍ଦ୍ର ବାତିଲ୍‌ କରିବା ଦିଗରେ ପଦକ୍ଷେପ ନିଆଯିବ। ଏଥିସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର