ଭୁବନେଶ୍ବର: ଏପ୍ରିଲରେ ଯୁକ୍ତ୨ ପରୀକ୍ଷା। ତା’ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଚଳିତ ମାସ ଶେଷ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ପରିଷଦ ଯୋଜନା ରଖିଥିବା ବେଳେ ପରୀକ୍ଷାର ମାର୍କିଂ ପଦ୍ଧତିରେ ପରିବର୍ତନ କରିବାକୁ ଏକ ପ୍ରସ୍ତାବ ଆସିଛି। ଯୁକ୍ତ୨ ମୁଖ୍ୟ ପରୀକ୍ଷା ମାର୍କ ସହ ଶେଷ ତ୍ରୈମାସିକ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ କରିବା ଉପରେ ବିଚାରବମର୍ଷ ଜାରି ରହିଛି। ଏହା ଉପରେ ବ୍ୟାପକ ଆଲୋଚନା ଲାଗି କମିଟି ମଧ୍ୟ ଗଠନ କରାଯାଇଛି। ଯେଉଁଥିରେ ଶିକ୍ଷାବିତ୍‌, ପରିଷଦ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ରହିଛନ୍ତି। ଉକ୍ତ କମିଟି ରିପୋର୍ଟ ଆଧାରରେ ପରବର୍ତୀ ପଦକ୍ଷେପ ନିଆଯିବ। କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଏନେଇ ଆଲୋଚନା ହୋଇଛି।

Advertisment

ଅନ୍ୟପକ୍ଷରେ ଯୁକ୍ତ୨ ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ ଉପରେ ଗୁରୁତ୍ବ ଦିଆଯାଇଛି। ବିଶେଷକରି କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ ଗଠନ କରାଯିବ। ଜୋନ୍‌ ଓ ସେଣ୍ଟ୍ରାଲସ୍ତରରେ ଗଠନ ହେବାକୁ ଥିବା ଫ୍ଲାଇଂ ସ୍କ୍ବାଡ୍‌ରେ ଅଭଜ୍ଞତା ସମ୍ପନ୍ନ ଅଧ୍ୟାପକଙ୍କୁ ସାମିଲ କରାଯିବ। ୧୦ ବର୍ଷର ଅଭିଜ୍ଞତା ସହ କନିଷ୍ଠ ଅଧ୍ୟାପକ ବର୍ଗ କିମ୍ବା ତଦୁର୍ଦ୍ଧ ପ୍ରାର୍ଥୀ ସ୍କ୍ବାଡ୍‌ରେ ସଦସ୍ୟ ରହିବେ। ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜଗୁଡ଼ିକଠାରୁ ଅଧ୍ୟାପକଙ୍କ ତାଲିକା ମଗାଯାଇଛି। ଇଚ୍ଛୁକ ଥିବା ଅଧ୍ୟାପକଙ୍କ ତାଲିକା ଆସନ୍ତା ୫ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଅଧ୍ୟାପକଙ୍କ ନାମ, ପଦବି ସମେତ ମୋବାଇଲ୍‌ ଓ ଇ-ମେଲ୍‌ ଆଇଡି, ବିଷୟ, କାର୍ଯ୍ୟରେ ଯୋଗଦେବା ସମୟ, କେଉଁ ସ୍କ୍ବାଡ୍‌ରେ ସାମିଲ ହେବାକୁ ଆଗ୍ରହୀ ଅଛନ୍ତି ଆଦି ବିଷୟରେ ଜଣାଇବେ। ଭୁବନେଶ୍ବରସ୍ଥିତ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟ ଅଧୀନ କଲେଜଗୁଡ଼ିକର ଅଧ୍ୟକ୍ଷମାନେ ସିଧାସଳଖ ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କୁ ପଠାଇବେ। ବାରିପଦା ଓ ବ୍ରହ୍ମପୁର ଅନ୍ୟ ଜୋନ୍‌ ଅଫିସ୍‌ ଅଧୀନ ଯୁକ୍ତ୨ କଲେଜର ଅଧ୍ୟକ୍ଷମାନେ ଜୋନ୍‌ର ଉପ ସଚିବଙ୍କ ନିକଟକୁ ପଠାଇବେ। ସମ୍ବଲପୁର ଜୋନ୍‌ ଅଧୀନ ଯୁକ୍ତ୨ କଲେଜର ଅଧ୍ୟକ୍ଷମାନେ ଅତିରିକ୍ତ ସଚିବଙ୍କ ନିକଟକୁ ପଠଇବାକୁ କୁହାଯାଇଛି। ଅଧ୍ୟାପକଙ୍କ ତାଲିକା ପହଞ୍ଚିବା ପରେ ସ୍କ୍ବାଡ୍‌ ଗଠନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।