ଜୁଲାଇ ୨୪ ସୁଦ୍ଧା ଶେଷ ହେବ +୩ ଫାଇନାଲ୍ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହାବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର (ଫାଇନାଲ୍) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟଗୁଡିକର କୁଳପତିମାନଙ୍କ ସହିତ ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଥିବା ସଂପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି । ଏଥି ସହିତ ମେ ୭ ତାରିଖଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ସଂପାଦନ ନିମନ୍ତେ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି ।

ଆଜି ଲୋକସେବା ଭବନଠାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ କୁଳପତିମାନେ ଭିଡିଓ କନ୍ଫରେନ୍ସିଂ ଯୋଗେ କୋଭିଡ୍-୧୯ ସଂକ୍ରମଣର ମୁକାବିଲା ନିମନ୍ତେ ଦେଶ ସମେତ ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ବିଭିନ୍ନ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀ ନାମଲେଖା ଓ ଶିକ୍ଷା ଦାନ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡିକ +୩ ଶ୍ରେଣୀର ୬ଷ୍ଠ ସେମିଷ୍ଟାର ପରୀକ୍ଷା ନିମନ୍ତେ ପରୀକ୍ଷା ସୂଚୀ ସ୍ଥିର କରି ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ଜଣାଇବା ପାଇଁ କୁହାଯାଇଛି । ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ପରୀକ୍ଷା ନିମନ୍ତେ ସଂପୃକ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ କରିବେ ।

ଏହି ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଓଡିଶା ମୁକ୍ତ ବିଶ୍ୱବିଦ୍ୟାାୟର କୁଳପତି ଲୋକସେବା ଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର