ମହଙ୍ଗା ପଡ଼ିଲା ମୋବାଇଲ୍‌ ଲାଇଟ୍‌ରେ ଯୁକ୍ତ୨ ଖାତା ଦେଖା, ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଉତ୍ତର ଖାତାଗୁଡ଼ିକର ପୁନଃଯାଞ୍ଚ କରାଯିବ, ଅନୁପସ୍ଥିତ ଅଧ୍ୟାପକଙ୍କ ତାଲିକା ମାଗିଲା ପରିଷଦ

ଭୁବନେଶ୍ବର : ଗତକାଲି ବାରିପଦାସ୍ଥିତ ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ମୋବାଇଲ ଲାଇଟରେ ଖାତା ମୂଲ୍ୟାୟନ ଘଟଣା ପଦାକୁ ଆସିଥିଲା। ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଏଭଳି ଦାୟିତ୍ବହୀନ କାର୍ଯ୍ୟକୁ ଗୁରୁତ୍ବର ସହ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମୋବାଇଲ୍‌ ଲାଇଟ୍‌ରେ ଦେଖାଯାଇଥିବା ଉତ୍ତର ଖାତାଗୁଡ଼ିକର ପୁନଃଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁମାନେ ମୋବାଇଲ୍‌ ଲାଇଟ୍‌ରେ ଖାତା ମୂଲ୍ୟାୟନ କରୁଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ହଠାତ୍ ଝଡ଼ବର୍ଷା ପାଇଁ ସମ୍ପୃକ୍ତ ମୂଲ୍ୟାୟନ କେନ୍ଦ୍ରରେ ଲାଇନ୍‌ କଟିଯାଇଥିଲା। ଡିଜି ସେଟ୍ ନଥିବାରୁ ମୂଲ୍ୟାୟନ କେନ୍ଦ୍ର ଅନ୍ଧାରରେ ରହିଥିଲା। ଏହି ସମୟରେ ସାଧାରଣତଃ ଖାତା ଦେଖାଯିବା କଥା ନୁହେଁ। ତେବେ ଅଧ୍ୟାପକମାନେ ମୋବାଇଲ୍‌ ଲାଇଟ୍‌ରେ ଖାତା ଦେଖିଥିଲେ। ଅଫ୍‌ଲାଇନ କେନ୍ଦ୍ରରେ ମୋବାଇଲ ବ୍ୟାନ୍‌ ଥିବାବେଳେ ଅଧ୍ୟାପକମାନେ କେଉଁଭଳି ଭାବେ ମୋବାଇଲ୍‌ ନେଇ ଯାଇଥି‌ଲେ। ଏନେଇ ସଂପୃକ୍ତ ଜୋନ୍ ସୁପରଭାଇଜର୍‌ଙ୍କଠାରୁ ତାଲିକା ମଗାଯାଇଛି। ଏହାପରେ ଅଧ୍ୟାପକମା‌ନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ ନିର୍ଦ୍ଧାରିତ ସମୟରେ ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ନିର୍ବାଚନ ସାଙ୍ଗକୁ ବାତ୍ୟା ‘ଫନି’ ଯୋଗୁଁ ଖାତା ଦେଖା ପ୍ରଭାବିତ ହୋଇଛି। ଭୁବନେଶ୍ବରଠାରୁ ବାଲେଶ୍ବର ହେଉ ଅଥବା ପୁରୀଠାରୁ କଟକ। ସବୁଠି ୧୦ ଦିନ ବିଳମ୍ବରେ ଚାଲିଛି ଖାତା ମୂଲ୍ୟାୟନ। ତା’ ସାଙ୍ଗକୁ ଅଧ୍ୟାପକଙ୍କ ଅସହଯୋଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିନ୍ତା ବଢ଼ାଇ ଦେଇଛି। ଯେଉଁଥିପାଇଁ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ବିଳମ୍ବ ହୋଇଛି। ଗତବର୍ଷ ମେ’ ୧୯ରେ ଯୁକ୍ତ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଏଥର ବିଜ୍ଞାନ ଖାତାଗୁଡ଼ିକର ଇ-ମୂଲ୍ୟାୟନ ଶେଷ ହୋଇନି। ଏଥିପାଇଁ ଆହୁରି ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ପରିଷଦ କର୍ତୃପକ୍ଷ କଠୋର ନିଷ୍ପତ୍ତି ନେଇଛନ୍ତି।

ମୂଲ୍ୟାୟନକୁ ଆସୁ ନଥିବା ଅଧ୍ୟାପକଙ୍କ ତାଲିକା ପ୍ରଦାନ କରିବାକୁ ଗତ ସପ୍ତାହରେ ପରିଷଦ ପକ୍ଷରୁ କୁହାଯାଇଥିଲା। ଏହାପରେ ବି କିଛି ଅଧ୍ୟାପକ ଓ ଅଧ୍ୟାପିକା ଖାତିର କଲେ ନାହିଁ। ମୂଲ୍ୟାୟନରେ ଅସହଯୋଗ କରୁଛନ୍ତି। ଯେଉଁଥିପାଇଁ ଗତକାଲି ପରିଷଦ ପକ୍ଷରୁ ପୁଣିଥରେ କଡ଼ା ଚେତାବନୀ ଦିଆଯାଇଛି। ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ମୂଲ୍ୟାୟନ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି କହିଛନ୍ତି ଯେ ମୂଲ୍ୟାୟନ ନ ସରିବା ପର୍ଯ୍ୟନ୍ତ କୌଣସି ବି ପରିସ୍ଥିତିରେ ମୂଲ୍ୟାୟନ କେନ୍ଦ୍ର ବନ୍ଦ କରାଯିବ ନାହିଁ। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନ ଜାରି ରହିବ। ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ବେଳେ ଯେଉଁ ଅଧ୍ୟାପକ ଓ ଅଧ୍ୟାପିକା ଅସହଯୋଗ କରିଛନ୍ତି ସେମାନଙ୍କ ତାଲିକା ମେ’ ୧୬ ତାରିଖ ସୁଦ୍ଧା ପ୍ରଦାନ କର। ଫଳରେ ନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର