ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳିଥିବା ୯.୫୯ଲକ୍ଷ ଘର ଆବଣ୍ଟନରେ ରାଜ୍ୟ ସରକାର ଯେପରି ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବେ ସେନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିର୍ଦ୍ଦେଶ ଦେବାକୁ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଇଛି। ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଯାଇଥିବାବେଳେ ରାଜ୍ୟପାଳ ରାଜଭବନରେ ଅନୁପସ୍ଥିତଥିବାରୁ ତାଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଜେପି ପ୍ରତିନିଧି ଦଳ ଠାରୁ ଦାବି ପତ୍ର ଗ୍ରହଣ କରିଥିଲେ।

Advertisment

ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ,ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୮ଲକ୍ଷ ଘର ମିଳିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ତେଣୁ ଆବାସ ଯୋଜନାର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ସମୟରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର ଶୁଭାରମ୍ଭ କରିବାକୁ ନିମନ୍ତ୍ରଣ କରନ୍ତୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତମାନ ଥିବା ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୨ ଲକ୍ଷ ହିତାଧିକାରୀଙ୍କ ଘର ଆବଣ୍ଟନ, କାର୍ଯ୍ୟାଦେଶ ଓ ବ୍ୟାଙ୍କ ପେମେଣ୍ଟ ଆଦିରେ ଅନିୟମିତତା ପରିଲକ୍ଷିତ ହୋଇଛି। ରାଜ୍ୟରେ ଏହି ଅନିୟମିତତା ଯୋଗୁ ପାଖାପାଖି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା। ବର୍ତମାନ ଆବାସ ପ୍ଲସ ପୋର୍ଟାଲରେ ଓଡ଼ିଶାକୁ ୯.୫୯ ଲକ୍ଷ ଘର ଆବଣ୍ଟନ ପାଇଁ ଲକ୍ଷ୍ୟ ଦିଆଯାଇଛି। ଏହା ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ହେବା ଦରକାର। ଯଦି ଯୋଗ୍ୟ ଲୋକଙ୍କୁ ଘର ନ ମିଳିବ ତେବେ ରାଜ୍ୟର ଗରିବ ଜନସାଧାରଣଙ୍କ ବହୁ ଦିନର ପକ୍କା ଘରର ସ୍ୱପ୍ନ ଧୂଳିସାତ୍‌ ହୋଇଯିବ।

ସେହିପରି ୨୦୧୯ରେ ଆବାସର ପରମାନେଟ୍ ୱେଟିଂ ଲିଷ୍ଟରେ ଥିବା ବହୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସଦ୍ୟ ପ୍ରକାଶିତ ସମ୍ଭାବ୍ୟ ତାଲିକାରେ ସ୍ଥାନ ମିଳିନାହିଁ । ବିଭିନ୍ନ ଜିଲ୍ଲାରୁ ମିଳୁଥିବା ଖବର ଅନୁସାରେ ଦଳୀୟ ଆଧାରରେ ବହୁ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଦୀର୍ଘ ୨ ବର୍ଷ ହେବ ନିଜ ହକ୍‌ର ଘର ପାଇବା ପାଇଁ ଅପେକ୍ଷା କରିଥିଲେ, ଓଡ଼ିଶା ସରକାର ଚଞ୍ଚକତାର ସହିତ ସେମାନଙ୍କୁ ବାଦ୍ ଦେଇଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରକାଶିତ ନିୟମାବଳୀରୁ ଜଣାପଡ଼ୁଛି ଯେ, ଓଡ଼ିଶା ସରକାର ସ୍ୱଚ୍ଛତା ଓ ପାରଦର୍ଶିତା ରଖିବାର ନିଜ ଦାୟିତ୍ୱକୁ ଅନ୍ୟ କାହାକୁ ହସ୍ତାନ୍ତର କରିଦେଇଛନ୍ତି। ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତର ଅଧିକାରୀଙ୍କ ହସ୍ତକ୍ଷେପ ବିନା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ତଥା ସମ୍ଭାବ୍ୟ ତାଲିକାର ମାନ୍ୟତା ମଧ୍ୟ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି।

ଜନସାଧାରଣଙ୍କ ଦ୍ୱାରା ଅଭିଯୋଗର ପ୍ରକ୍ରିୟାକୁ ବିନା କୌଣସି ବ୍ୟବସ୍ଥିତ ତଦାରଖରେ ସ୍ଥାନୀୟ ନେତା, ରାଜନୈତିକ ବ୍ୟକ୍ତିବିଶେଷ ହଡ଼ପ କରିବାର ସମ୍ଭାବନା ରହିଛି। ଗ୍ରାମୀଣ ଓଡ଼ିଶାରେ ଅଭିଯୋଗ ଦାଖଲ କରିବା ପାଇଁ ଲୋକଙ୍କୁ ନିଜର ଫୋନ୍‌ ନମ୍ବର ସହ ଜନସାଧାରଣଙ୍କ ସମ୍ମୁଖରେ ନିଜ ପରିଚୟ ଦେବାକୁ ପଡୁଛି, ଯାହାଦ୍ୱାରା ସେମାନେ ଅଭିଯୋଗ କରିପାରୁନାହାନ୍ତି। ଏହାଦ୍ୱାରା ପ୍ରଭାବଶାଳୀ ବ୍ୟକ୍ତି ଅଭିଯୋଗକାରୀଙ୍କ ଜୀବନକୁ ବିପଦରେ ପକାଇପାରନ୍ତି। ଏହାବ୍ୟତୀତ ହିତାଧିକାରୀଙ୍କ ଚିହ୍ନଟ ଅସ୍ୱୀକୃତି କରିବା ବର୍ଗ ବିଷୟରେ ଜନସାଧାରଣମାନେ ଜାଣିନାହାନ୍ତି। ସାଧାରଣ ଲୋକ ଅନେକ କାରଣବଶତଃ ସରକାରୀ ଅଧିକାରୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିପାରନ୍ତି ନାହିଁ। ଏହି ସବୁ କାରଣ ଯୋଗୁଁ ଲୋକଙ୍କ ଦ୍ୱାରା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିବ। ତେଣୁ ଅଭିଯୋଗକାରୀଙ୍କ ପରିଚୟ ଯେପରି ଗୁପ୍ତ ରହିବ ସେନେଇ ବ୍ୟବସ୍ଥା କରିବାକୁ ବିଜେପି ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢ଼ୀ, ଭବାନୀ ଭୋଇ, ବୁଦ୍ଧାନ ମୁର୍ମୁ, ସନାତନ ବିଜୁଳି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।