କୋଟପାଡ଼ରେ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟିବା ଘଟଣା: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି

ନୂଆଦିଲ୍ଲୀ/ଭୁବନେଶ୍ବର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁ ନିକଟରେ ରବିବାର ରାତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲୋଖାଏଁ ଅନୁକମ୍ପାମୂଳକ ରାଶି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏହି ଅନୁକମ୍ପାମୂଳକ ରାଶିକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନ୍ୟାସନାଲ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରର ସଦସ୍ୟଙ୍କୁ ଏହି ଅନୁକମ୍ପାମୂଳକ ରାଶି ପ୍ରାପ୍ତ ହେବ। ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତର ଆହତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ଲେଖାଏଁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।

 

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୯ଟାରେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ‌ହରାଇ ଏକ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା। ୧୧ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପର୍ଯ୍ୟାୟକ୍ରମେ ଗୋଟିଏ ଆମ୍ବୁଲାନ୍ସରେ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଇଥିଲା।

ସୀମାନ୍ତ ଛତିଶଗଡ଼ ରାଜ୍ୟର କୁଲଚା ଗାଁରୁ ୩୦ରୁ ଊର୍ଦ୍ଧ୍ବ ‌ଲୋକ ଗୋଟିଏ ପିକ୍‌-ଅପ୍ ଭ୍ୟାନ (ସିଜି ୧୭କେୟୁ ୪୬୨୩) ଯୋଗେ ସିନ୍ଧିଗାଁକୁ ଦଶାହ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ସଂଧ୍ୟାରେ ପୁଣି ଗାଁକୁ ଫେରିବା ସମୟରେ ସିନ୍ଧିଗାଁ ଛକ ବୁଲାଣିରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଯାହାଫଳରେ ଭ୍ୟାନଟି ନିୟନ୍ତ୍ରଣ ହରାଇ ଗୋଟିଏ ଜମି ମଧ୍ୟକୁ ଖସିପଡ଼ି ଓଲଟି ଯାଇଥିଲା।

 

ସମ୍ବନ୍ଧିତ ଖବର