ରାଉରକେଲା: ବସ୍ତିବାସିନ୍ଦାଙ୍କ ପକ୍କାଘର ସ୍ବପ୍ନ ଘୁଞ୍ଚି ଘୁଞ୍ଚି ଯାଉଛି। ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ଅବହେଳାରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଅବଧି ଆଉ ମାତ୍ର ଦୁଇ ମାସ ବାକି ଅଛି। ତଦାରଖ ଦାୟିତ୍ବରେ ଥିବା ଅଧିକାରୀ ଆସନ୍ତା ୨୦୨୪ ଜାନୁଆରି ଶେଷ ସୁଦ୍ଧା କାମ ସରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ହେଲେ ଯେମିତି କାମ ଚାଲିଛି, ଆହୁରି ବର୍ଷେରୁ ଅଧିକ ସମୟ ଲାଗିବ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ମାଣ ଚାଲିଥିବା ୫୦୦ ଗୃହ ଚିହ୍ନଟ ବସ୍ତିବାସିନ୍ଦାଙ୍କୁ କେବେ ମିଳିବ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଯଦି ପ୍ରଥମ ପର୍ଯ୍ୟାୟରେ ୫୦୦ ଗୃହ ଆବଣ୍ଟନକୁ ବର୍ଷ ବର୍ଷ ଲାଗୁଛି। ଲକ୍ଷ୍ୟ ଥିବା ୨୪ ହଜାର ଗୃହ ନିର୍ମାଣ କରି ବସ୍ତିବାସିନ୍ଦାଙ୍କୁ ଆବଣ୍ଟନ କରିବାକୁ କେତେ ସମୟ ଲାଗିବ, ଚାଲିଥିବା ନିର୍ମାଣ କାର୍ଯ୍ୟରୁ ଜଳ ଜଳ ହୋଇ ଦିଶୁଛି। ଛେଣ୍ଡକଲୋନି ବିପିୟୁଟି ପଛପାର୍ଶ୍ବରେ ୫.୫ ଏକର ଜାଗାରେ ୫୦୦ ଗୃହର ନିର୍ମାଣ କାର୍ଯ୍ୟ ଚାଲିଛି। ସିଭିଲଟାଉନସିପ୍ର ମନ୍ଟୋଲା ବସ୍ତି (ଏ), ମନ୍ଟୋଲା ବସ୍ତି (ବି), ପାନପୋଷ ବ୍ରାହ୍ମଣୀ କ୍ଲବ ନିକଟ ବାଙ୍ଗଲାଟୋଲା, ପାନପୋଷ ବସ୍ତିବାସୀଙ୍କୁ ନିର୍ମାଣ ହେଉଥିବା ଗୃହ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।
ସେପଟେ ବସ୍ତିବାସିନ୍ଦାଙ୍କ ବିରୋଧରେ ଯୋଗୁଁ ଅନେକ ସ୍ଥାନରେ ହେବାକୁ ଥିବା ପ୍ରକଳ୍ପ କାମ ବାତିଲ ହୋଇଛି। ଏଥି ମଧ୍ୟରେ ରହିଛି ରେଲୱ କଲୋନି ନିକଟ ମଧୂସୁଦନପାଲୀ, ଗୋପବନ୍ଧୁପାଲୀ। ହଜାର ହଜାର ବସ୍ତି ରହିଥିବା ଏହି ସ୍ଥାନରେ ପ୍ରାୟ ୬୦ ଏକର ସରକାରୀ ଜାଗା ରହିଛି। ଗତ ୨୦୧୭ରେ ୩୬ ଏକର ଜାଗାରେ ଆବାସ ଯୋଜନାରେ ବିଲ୍ଡିଂ ନିର୍ମାଣ ହେବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ବଲ୍ଡିଂ ନିର୍ମାଣ ସ୍ଥାନକୁ ମାଟି ପକାଇ ସମତୁଲ କରାଯାଇଥିଲା। ମାତ୍ର ବସ୍ତିବାସିନ୍ଦାଙ୍କ କଡା ବିରୋଧ ଯୋଗୁଁ ବିଲ୍ଡିଂ ନିର୍ମାଣ କାର୍ଯ୍ୟକୁ ଶେଷ ମୂହୂର୍ତ୍ତରେ ବାତିଲ କରାଯାଇଥିଲା। ରେଲୱେ ଲାଇନ ପାର୍ଶ୍ବରେ ଥିବା ବସ୍ତିଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇ ଏସବୁ ସ୍ଥାନରେ ପକ୍କା ଯୋଗାଇ ଦେବାକୁ ଆର୍ଏମ୍ସି ଲକ୍ଷ୍ୟ ରଖିଛି। ୨୦୧୬ ସର୍ଭେ ଅନୁଯାୟୀ ସହରରେ ପ୍ରାୟ ୨୪ ହଜାର ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଆର୍ଏମ୍ସି ଲକ୍ଷ୍ୟ ରଖିଛି। ଧାମରା ସଂଘ ନିକଟରେ ଆହୁରି ୧୦ ଏକର ଜାଗାରେ ୧୫ ଶହ ଗୃହ ନିର୍ମାଣ ହେବ। ଏଥିସହ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ତରକେରା ନିକଟରେ ୭୦ ଏକର ଜାଗା ଯୋଗାଇ ଦେବ। ଏ ସଂକ୍ରାନ୍ତରେ ଆର୍ଏସ୍ପି ଆର୍ଏମ୍ସିରକୁ ଗ୍ରୀନ୍ ସିଗ୍ନାଲ ଦେଇସାରିଛି।
ଏହି ସ୍ଥାନରେ ପାଖାପାଖି ୧୦ରୁ ୧୫ ହଜାର ବସ୍ତିବାସିନ୍ଦାଙ୍କୁ ଗୃହ ଯୋଗାଇ ଦିଆଯିବ। ଏଠାରେ ବିଶେଷ କରି ଆର୍ଏସ୍ପି ଅଧୀନରେ ବସ୍ତିବାସିନ୍ଦାଙ୍କୁ ପ୍ରାଥମିକତା ଦିଆଯିବ। କେଉଁ କେଉଁ ବସ୍ତିକୁ ଉଚ୍ଛେଦ କରାଯିବ ଆର୍ଏସ୍ପି ପକ୍ଷରୁ ନିଷ୍ପତ୍ତି ନିଆଯାଇ ନାହିଁ। ସେପଟେ ଚିହ୍ନଟ ବସ୍ତିବାସିନ୍ଦାଙ୍କ ପାଇଁ କିଛି ସର୍ତ୍ତ ରହିଛି। ଘର ଦଖଲ ନେବା ପୂର୍ବରୁ ଥ୍ରାର୍ଡ ପାର୍ଟି ସହ ଚୁକ୍ତିନାମା ସ୍ବାକ୍ଷରିତ ହେବ। ୪୫୦ ବର୍ଗଫୁଟ୍ ଘର ପାଇଁ ବସ୍ତିର ଜଣେ ପରିବାରକୁ ପ୍ରାୟ ୧ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ। ୧ ଲକ୍ଷ ୫୦ ହଜାର ଟଙ୍କା କେନ୍ଦ୍ର ସରକାର, ଅବଶିଷ୍ଟ ୧ ଲକ୍ଷ ୫୦ ହଜାର ଟଙ୍କା ନିର୍ମାଣକାରୀ ଘରୋଇ କନଷ୍ଟ୍ରକ୍ସନ ସଂସ୍ଥା ବହନ କରିବ। ପ୍ରତି ଘର ବାବଦରେ ଘରୋଇ କନଷ୍ଟ୍ରକ୍ସନ ସଂସ୍ଥା ୧ ଲକ୍ଷ ୫୦ ହଜାର ଟଙ୍କା ଯୋଗାଇ ଦେଉଥିବାରୁ ତାଙ୍କୁ ନିର୍ମାଣଧୀନ ସ୍ଥାନରେ ୪୦% ଜାଗା ବିନା ମୂଲ୍ୟରେ ଛାଡି ଦିଆଯିବ। ଯେଉଁ ସ୍ଥାନରେ ସମ୍ପୃକ୍ତ ସଂସ୍ଥା ଆପାର୍ଟମେଣ୍ଟ କରିବ। ଏନେଇ ନିର୍ବାହୀ ଯନ୍ତ୍ରୀ ଇପ୍ସିତା ବିଶ୍ବାଳଙ୍କୁ ପଚାରିବାରୁ ଆସନ୍ତା ୨୦୨୪ ଜାନୁଆରି ଶେଷ ସୁଦ୍ଧା କାମ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।