ରାଉରକେଲା: ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ପ୍ରକ୍ରିୟା ଘୁଞ୍ଚିଘୁଞ୍ଚି ଯାଉଛି। କହାଯାଇଥିଲା ପୁରୁଷ ହକି ବିଶ୍ବକପ୍ ପରେ ଘର ମିଳିବ। ହକି ବିଶ୍ବକପ୍କୁ ଇତି ମଧ୍ୟରେ ବର୍ଷେ ବିତିଗଲାଣି। ଅଦ୍ୟାବଧି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସରି ନାହିଁ। ଆର୍ଡିଏର ନିର୍ବାହୀ ଯନ୍ତ୍ରୀ ଇପ୍ସିତା ବିଶ୍ବାଳ କହିଛନ୍ତି, ଆସନ୍ତା ୨ ମାସ ମଧ୍ୟରେ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରହିଛି। ନିର୍ମାଣ କାମ ସରିବା ପରେ କୋଠାଗୁଡ଼ିକ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ। ଏହାପରେ ଜିଲ୍ଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ବସ୍ତିବାସିନ୍ଦାଙ୍କୁ ଗୃହ ଗୁଡ଼ିକ ବଣ୍ଟନ କରିବେ। ହେଲେ ଯେତିକି କାମ ବାକି ଅଛି, ତାହା ଦୁଇମାସଠୁ ଢେର ଅଧିକ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।
ବସ୍ତିବାସିନ୍ଦାଙ୍କୁ କେବେ ପ୍ରଧାନମନ୍ତ୍ରୀ ଆବାସ ମିଳିବ, ତା’କୁ ହିଁ ସହରବାସୀ ଚାହିଁ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫୦୦ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପର ପର୍ଯ୍ୟାୟରେ ଆହୁରି ୧୫୦୦ରୁ ଅଧିକ ଗୃ୍ହ ନିର୍ମାଣ କରିବା ଯୋଜନା ଅଛି। ଏହି କୋଠା ଗୁଡ଼ିକରେ ସିଭିଲଟାଉନସିପ୍ର ମନ୍ଟୋଲା ବସ୍ତି (ଏ), ମନ୍ଟୋଲା ବସ୍ତି (ବି), ପାନପୋଷ ବ୍ରାହ୍ମଣୀ କ୍ଲବ୍ ନିକଟ ବାଙ୍ଗଲାଟୋଲା, ପାନପୋଷ ବସ୍ତିବାସୀଙ୍କୁ ଘର ଯୋଗାଇ ଦିଆଯିବ। ସେପଟେ ବସ୍ତିବାସିନ୍ଦାଙ୍କ ବିରୋଧରେ ଯୋଗୁଁ ଅନେକ ସ୍ଥାନରେ ହେବାକୁ ଥିବା ପ୍ରକଳ୍ପ କାମ ବାତିଲ ହୋଇଛି। ଏଥି ମଧ୍ୟରେ ରହିଛି ରେଲୱ କଲୋନି ନିକଟ ମଧୂସୁଦନପାଲି ଓ ଗୋପବନ୍ଧୁପାଲି। ହଜାରହଜାର ପରିବାର ରହୁଥିବା ଏହି ବସ୍ତିରେ ପ୍ରାୟ ୬୦ ଏକର ସରକାରୀ ଜାଗା ରହିଛି।
୨୦୧୭ରେ ୩୬ ଏକର ଜାଗାରେ ଆବାସ ଯୋଜନାରେ କୋଠା ନିର୍ମାଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ବଲ୍ଡିଂ ନିର୍ମାଣ ସ୍ଥାନକୁ ମାଟି ପକାଇ ସମତୁଲ କରାଯାଇଥିଲା। ମାତ୍ର ବସ୍ତିବାସିନ୍ଦାଙ୍କ କଡ଼ା ବିରୋଧ ଯୋଗୁଁ ନିର୍ମାଣ କାମକୁ ଶେଷ ମୂହୂର୍ତ୍ତରେ ବାତିଲ କରାଯାଇଥିଲା। ରେଳ ଲାଇନ ପାର୍ଶ୍ବରେ ଥିବା ବସ୍ତିଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇ ପକ୍କାଘର ଯୋଗାଇ ଦେବାକୁ ଆର୍ଏମ୍ସି ଲକ୍ଷ୍ୟ ରଖିଛି। ୨୦୧୬ରୁ ଆଜି ପର୍ଯ୍ୟନ୍ତ ନିଜସ୍ବ ଜାଗା ଥିବା ପ୍ରାୟ ୧୦୦୦ରୁ ଅଧିକ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଇଛି। ୨୦୧୬ରେ ୨୮୦, ୨୦୧୮ରେ ୨୭୭ ଓ ୬୫, ୨୦୧୯ରେ ୫୩ ଓ ୩୫୧ ଗରିବ ପରିବାରଙ୍କୁ ଗୃହ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିଲା।
୨୦୧୬ ସର୍ଭେ ଅନୁଯାୟୀ ସହରର ବିଭିନ୍ନ ବସ୍ତିରେ ରହୁଥିବା ପ୍ରାୟ ୨୪ ହଜାର ବସ୍ତିବାସିନ୍ଦାଙ୍କୁ ଆବାସ ଯୋଜନାରେ ଘର ଦେବାକୁ ଆର୍ଏମ୍ସି ଲକ୍ଷ୍ୟ ରଖିଛି। ଦ୍ବିତୀୟ ପର୍ଯ୍ୟାୟରେ ଧାମରା ସଂଘ ନିକଟରେ ୧୦ ଏକର ଜାଗାରେ ଆହୁରି ୧୫ ଶହ ଗୃହ ନିର୍ମାଣ ହେବ। ଘର ଦଖଲ ନେବା ପୂର୍ବରୁ ତୃତୀୟପକ୍ଷ ସହ ଚୁକ୍ତିନାମା ସ୍ବାକ୍ଷରିତ ହେବ। ୪୫୦ ବର୍ଗଫୁଟ୍ ଘର ପାଇଁ ବସ୍ତିର ପ୍ରତି ପରିବାରକୁ ୧ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ। ୧ ଲକ୍ଷ ୫୦ ହଜାର ଟଙ୍କା କେନ୍ଦ୍ର ସରକାର, ଅବଶିଷ୍ଟ ୧ ଲକ୍ଷ ୫୦ ହଜାର ଟଙ୍କା ନିର୍ମାଣକାରୀ ଘରୋଇ ନିର୍ମାଣ ସଂସ୍ଥା ବହନ କରିବ। ପ୍ରତି ଘର ବାବଦରେ ଘରୋଇ କନଷ୍ଟ୍ରକ୍ସନ ସଂସ୍ଥା ୧ ଲକ୍ଷ ୫୦ ହଜାର ଟଙ୍କା ଯୋଗାଇ ଦେଉଥିବାରୁ ତାଙ୍କୁ ନିର୍ମାଣସ୍ଥଳରେ ୪୦% ଜାଗା ବିନା ମୂଲ୍ୟରେ ଛାଡି ଦିଆଯିବ। ଯେଉଁ ସ୍ଥାନରେ ସମ୍ପୃକ୍ତ ସଂସ୍ଥା ଆପାର୍ଟମେଣ୍ଟ କରିବ।