ଭୁବନେଶ୍ବର/ଅନୁଗୁଳ : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଆପତ୍ତି ଉଠାଇଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ବି ଅନେକ ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି। ଏସବୁର ଯାଞ୍ଚ କରାଯିବ।
ଶ୍ରୀ ସିଂହ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ପ୍ରତିବଦ୍ଧ। ୟୁପିଏ ସରକାର ସମୟରେ ଓଡ଼ିଶାର ବିକାଶ ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟରୁ କେବଳ ୨୬ହଜାର କୋଟି ଟଙ୍କା ଦିଆଯାଇଥିଲା। ହେଲେ, ମୋଦୀ ସରକାର ୧ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଦେଇଛନ୍ତି। ସବୁ ନିୟମର ଊର୍ଦ୍ଧ୍ବକୁ ଯାଇ ଓଡ଼ିଶାକୁ ୩୮ଲକ୍ଷ ଘର ଦିଆଯାଇଥିବା ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଅନୁଗୁଳ ଗସ୍ତରେ ଆସି ଆଠମଲ୍ଲିକ ବ୍ଲକ୍ରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ଫେରିବାପରେ ସନ୍ଧ୍ୟାରେ ଅନୁଗୁଳ ସର୍କିଟ ହାଉସଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଦୀର୍ଘସମୟ ଧରି କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବିଶେଷକରି, ପଂଚାୟତିରାଜ ବିଭାଗରେ ରାଜ୍ୟ ସରକାର ଯେଉଁଭଳି ଦୁର୍ନୀତି କରୁଛନ୍ତି ସେ ସଂପର୍କରେ ନଜର ରଖିବାକୁ କୁହାଯାଇଥିଲ। ଏଥିସହିତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜିଲ୍ଲା ଖଣିଜ ପାଣ୍ଠି, ମନରେଗାରେ ହେଉଥିବା ଦୁର୍ନୀତି ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ କାର୍ଯ୍ୟକର୍ତ୍ତା।
ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ।