ପିଏମ୍‌ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ସୁରକ୍ଷା ଦେବାକୁ ଷଡ଼ଯନ୍ତ୍ର: ବିଜେପି

ଭୁବନେଶ୍ବର : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଗତ ବର୍ଷ ଅକ୍ଟୋବର ୧୦ରେ ପ୍ରଥମ ତାଲିକା ପ୍ରକାଶ କରିଥିଲେ। ସେଥିରେ ୧୨ ଲକ୍ଷ ୭୫ ହଜାର ପକ୍କା ଘର ହିତାଧିକାରୀଙ୍କ ନାମ ତାଲିକାରେ ଥିଲା। ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିଲେ ଓ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବଞ୍ଚିତ କରାଯାଇଥିଲା। ଫେବ୍ରୁ୍ଆରି ୧୦ରୁ ୧୬ ତାରିଖ ଭିତରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଆବାସ ଯୋଜନାର ହିତାଧିକାରୀଙ୍କ ତାଲିକା ମରାଯିବା ସହିତ ଏକ ଅଭିଯୋଗ ବାକ୍ସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ନିଜକୁ ଅଯୋଗ୍ୟ ମନେ କରିବ ବା ନିଜକୁ ଯୋଗ୍ୟ ଭାବିବ, ସେମାନେ ଏଠାରେ ଆବେଦନ କରିପାରିବ। କିନ୍ତୁ କିଏ କାହିଁକି ନିଜକୁ ଅଯୋଗ୍ୟ ଘୋଷଣା କରି ଅଭିଯୋଗ ବାକ୍ସରେ ନିଜର ନାଁ ହିତାଧିକାରୀ ତାଲିକାରୁ କାଟିବା ପାଇଁ ଚାହିଁବ ବୋଲି ବିଜେପି ପ୍ରଶ୍ନ କରିଛି। କେବଳ ଅଯୋଗ୍ୟ ହିତାଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏହି ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ବିଭୁ ତରାଇ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦେବା ଓ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ବିଜେପି ପକ୍ଷରୁ ଅନେକ ଥର ଦାବି କରାଯିବା ପରେ ବି ରାଜ୍ୟ ସରକାର ଚେତୁ ନାହାନ୍ତି। ଏବେ ରାଜ୍ୟ ସରକାର ତରବରିଆ ଭାବେ ଫେବ୍ରୁ୍ଆରି ୧୦ରୁ ୧୬ ତାରିଖ ଭିତରେ ଅଭିଯୋଗ କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିବା ବେଳେ ଏବେ ସୁଦ୍ଧା ଅନେକ ପଞ୍ଚାୟତରେ, ବ୍ଲକ୍‌ରେ ସର୍ବସାଧାରଣ ନୋଟିସ୍‌ ଲାଗି ନାହିଁ ବା ଅଭିଯୋଗ କରିବା ପାଇଁ ବାକ୍ସ ରଖାଯାଇ ନାହିଁ। ୧୫ ତାରିଖ ବିତିସାରିଥିଲା ବେଳେ ବିଡିଓଙ୍କ ପାଖରେ କୌଣସି ସୂଚନା ନାହିଁ। ତେଣୁ ଏହି ଅଭିଯୋଗର ବ୍ୟବସ୍ଥାକୁ ୧ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ପ୍ରତି ପଞ୍ଚାୟତରେ ଅଭିଯୋଗ ବାକ୍ସ ରଖାଯାଉ। ଅଭିଯୋଗ କରିବାର ପୂରା ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯିବା ସହିତ ଆବେଦନ କରୁଥିବା ‌ଲୋକଙ୍କୁ ଏକ ‘ପ୍ରାପ୍ତି ସ୍ବୀକାର’ ଦିଆଯାଉ। ଅଭିଯୋଗ ଗ୍ରହଣ କରିବାର ପଦ୍ଧତ୍ତିରେ ସ୍ବଚ୍ଛତା ରଖାଯାଉ।

ସାମ୍ବାଦିକ ସମ୍ମିଳନୀ ପରେ ବିଜେପିର ଏକ ପ୍ରତିନିଧି ଦଳ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହଙ୍କୁ ଭେଟି ଏ ସମ୍ପର୍କରେ ଦାବି ପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର