ଜୟପୁର: ଭୁଲ କଲା ପ୍ରଶସାନ। ଦଣ୍ଡ ଭୋଗୁଛି ହିତାଧିକାରୀ। ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ମିଳିଲା ଜଣଙ୍କ ନାମରେ ଆଉ ଅନୁଦାନ ଟଙ୍କା ଗଲା ଆଉ ଜଣଙ୍କ ବ୍ୟାଙ୍କ ଖାତାକୁ। ନିଜ ଅନୁଦାନ ଟଙ୍କା ଫେରିପାଇବା ପାଇଁ ପଂଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ଏହି ଗରିବ ପରିବାର। ଏପେଟ ପିଇଓ ମାନଙ୍କ ଆନ୍ଦୋଳନ। ସେ ପଟେ କେହି ଠିକରେ ଶୁଣୁନଥିବା ଅଭିଯୋଗ କରିଛନ୍ତି ପରିବାର। ପ୍ରଶାସନ ଜଣେ ଆଉ ଜଣଙ୍କୁ ଦେଖାଇ ନିଜର କିଛି ଭୁଲ ନଥିବା ସଫେଇ ଦେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଳକର ହରଡ଼ା ପୁଟ ପଚାଂୟତରେ।
ସୂଚନା ଅନୁଯାୟୀ, ଜୟପୁର ବ୍ଲକର ହରଡାପୁଟ ପଚାଂୟତର କମଳା ଜାନି ନାମକ ଜଣେ ଗରିବ ମହିଳାଙ୍କୁ ଆବାସ ଯୋଜନାରେ ଘର ତିଆରି କରିବା ପାଇଁ (କାର୍ଯ୍ୟାଦେଶ) ୱାର୍କ ଅର୍ଡ଼ର ମିଳିଥିଲା। ଏକ ଲକ୍ଷ ୩୦ ହଜାର ଟଙ୍କାରେ ୨୫ ବର୍ଗ ମିଟର ମଧ୍ୟରେ ଘର କାମ ବର୍ଷକ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷକ ମଧ୍ୟରେ ଘର ନିର୍ମାଣ କାମ ନ ସାରିଲେ କାର୍ଯ୍ୟାଦେଶକୁ ରଦ୍ଦ କରିବା ସହ ପ୍ରଦାନ କରାଯାଇଥିବା ଅର୍ଥ ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ପ୍ରଥମ କିସ୍ତିରେ ୪୦ ହଜାର, ଦ୍ବିତୀୟ କିସ୍ତିରେ (ଛାତସ୍ତର)ରେ୬୫ ହଜାର, ଘର ସମ୍ପୁର୍ଣ୍ଣ ହୋଇଯିବା ପରେ ବଳକା ୨୫ ହଜାର ଟଙ୍କା ନିଜର ବ୍ୟାଙ୍କ ଖାତାକୁ ଆସିବ ବୋଲି କାର୍ଯ୍ୟାଦେଶରେ ନିର୍ଦ୍ଦେଶ ଜାରୀ ରହିଛି। ଏହା ସହ ଘର ନିର୍ମାଣ ବାବଦରେ ମନରେଗା ଯୋଜନାରେ ଦିନକୁ ମଜୁରୀ ବାବଦକୁ ୨୩୭ଟଙ୍କା ହିସାବରେ ୯୫ଦିନ ଦେବା, ୪ମାସ ମଧ୍ୟରେ କାର୍ଯ୍ୟ ସାରିଲେ ୨୦ହଜାର ପ୍ରତ୍ସାହନ ଓ ୬ମାସରେ ସାରିଲେ ୧୦ହଜାର ଟଙ୍କାର ପ୍ରତ୍ସାହନ ରାଶି ଦେବାକୁ ବି ନିର୍ଦ୍ଦେଶ ରହିଛି। ଏହି କ୍ରମରେ କମଳା ଓ ତାଙ୍କ ସ୍ବାମୀ ସୋନୁ ଜାନୀ ନିଜ ଘରର ନିଅ ପକାଇବା ସହ ଫାଉଣ୍ଡେସନ୍ କାମ ବି ଏହାରି ମଧ୍ୟରେ ସାରିଛି। ତେବେ କାର୍ଯ୍ୟାଦେଶ ଦେବ ସମୟରେ ହିଁ ୪୦ହଜାର ଟଙ୍କା ହିତାଧିକାରୀ କମଳାର ବ୍ୟାଙ୍କ ଆକାଉଣ୍ଟକୁ ଯିବା କଥା। ଏହି ଟଙ୍କା ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଳି ଯାଇଛି।
ଅପରପକ୍ଷରେ କମଳା ନିଜ ଟଙ୍କା ଫେରିପାଇବା ପାଇଁ ପଂଚାୟତ, ବ୍ଲକ ଆଦିକୁ ବୁଲି ବୁଲି ଥକ୍କି ପଡ଼ିଲେଣି। ତଥାଫି ତାଙ୍କ ଟଙ୍କା କିନ୍ତୁ ମିଳିପାରୁନାହିଁ । ଜଣଙ୍କ ନାମରେ କାର୍ଯ୍ୟାଦେଶ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଭଳି ଏହି ଟଙ୍କା ଗଲା ତାହାର ସ୍ପଷ୍ଟ ଉତ୍ତର ବ୍ଳକ ପ୍ରଶାସନ ଦେଇପାରୁନାହାନ୍ତି । କମଳାଙ୍କ ଭଳି ବହୁ ହିତାଧିକାରୀ ଏଭଳି ଗୋଲକଧନ୍ଦା ମଧ୍ୟରେ ପସି ବ୍ଲକ କାର୍ଯ୍ୟାଳୟକୁ ଘୁରି ବୁଲୁଛନ୍ତି। ପିଇଓ ମାନେ ଧାରଣାରେ ରହିଥିବା ବେଳେ ବ୍ଲକ କାର୍ଯ୍ୟାଳୟରେ କେହି ବି ଏ ନେଇ ସ୍ପଷ୍ଟ ଉତ୍ତର ଦେଉ ନଥିବାରୁ ହିତାଧିକାରୀ ମାନେ ନାହିଁ ନଥିବା ହଇରାଣର ଶୀକାର ହେଉଛନ୍ତି। ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପ୍ରଶାସନ କିଭଳି ହିତାଧିକାରୀ ମାନେ କାର୍ଯ୍ୟାଦେଶ ପାଇବା ପରେ ତାଙ୍କ ପ୍ରାପ୍ୟ ଟଙ୍କା ପାଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି। କମଳାଙ୍କ କ୍ଷେତ୍ରରେ କାହିଁକି ଏଭଳି ହୋଇଛି ତଦନ୍ତ ସାପେକ୍ଷ। କମଳା ନିଜ ଭିନ୍ନକ୍ଷମ ସ୍ବାମୀ ଓ ଛୋଟ ଛୋଟ ପିଲାଙ୍କୁ ନେଇ ଏଭଳି ବୁଲିବା କେତେ ଦୁର ଯୁକ୍ତି ସଂଗତ। ଏହି ସ୍ଥିତିରେ ସେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଘର ନିର୍ମାଣ କରିବା ସମ୍ଭବ ପର କି ବୋଲି ପ୍ରଶ୍ନ ଉଠିଛି।