ପିଏମ୍‌ କେୟାର୍‌ ପାଣ୍ଠି ସମୀକ୍ଷାକୁ ବିରୋଧ ପ୍ରସଙ୍ଗ : ବିଜେଡି-ବିଜେପି ଭୂମିକାକୁ ପ୍ରଶ୍ନ କଲେ ପିସିସି ସଭାପତି

ଚୀନ୍‌ର ବହୁ କମ୍ପାନି ଏହି ପାଣ୍ଠିକୁ ମୋଟା ଅଙ୍କର ଚାନ୍ଦା ଦେଇଛନ୍ତି

ଭୁବନେଶ୍ବର : କୋଭିଡ-୧୯ ମୁକାବିଲା ପାଇଁ ପି.ଏମ୍‌ କେୟାର ପାଣ୍ଠିର ଗଠନ କରାଯାଇଛି। ଏହାର ସ୍ବଚ୍ଛତା ନେଇ ପ୍ରଥମରୁ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏବେ ସଂସଦର ପବ୍ଲିକ ଆକାଉଣ୍ଟ୍‌ସ୍‌ କମିଟିରେ ଏହାର ସମୀକ୍ଷା ପ୍ରସ୍ତାବକୁ ବିଜେପି ଅଟକାଇବାରେ ସଫଳ ହୋଇଛି। ଆଶ୍ଚର୍ଯ୍ୟର କଥା, ବିଜୁ ଜନତା ଦଳ ମଧ୍ୟ ଏହି ପାଣ୍ଠିର ସମୀକ୍ଷାକୁ ବିରୋଧ କରିଛି। ଏବେ ଉଭୟ ଦଳ ରାଜ୍ୟବାସୀଙ୍କୁ ଏହି ପାଣ୍ଠି ସମୀକ୍ଷାକୁ କାହିଁକି ବିରୋଧ କରୁଛନ୍ତି ସେ ନେଇ ଅବଗତ କରାନ୍ତୁ। ପିଏମ୍‌ କେୟାର ପାଣ୍ଠିକୁ ନେଇ ଏପରି ଦାବି କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ପାଣ୍ଠିକୁ ଚୀନ୍‌ର ବହୁ କମ୍ପାନି ଚାନ୍ଦା ଦେଇଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ସ୍ବଚ୍ଛ ଶାସନର ଡେଙ୍ଗୁରା ପିଟୁଛି ବିଜୁ ଜନତା ଦଳ। ୫’ଟି’ର ନାରା ଦେଉଥିବା ସରକାରୀ ଦଳ ଏଭଳି ଜନସ୍ବାର୍ଥ ପ୍ରସଙ୍ଗରେ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଗରୁ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ସମ୍ପର୍କ ନେଇ କଂଗ୍ରେସ ଲୋକଲୋଚନକୁ ଆଣିଥିବା ବେଳେ ଏବେ ପୁଣି ଥରେ ଉଭୟ ଦଳ ଭିତରେ ବୁଝାମଣା ଥିବା ପ୍ରମାଣିତ ହୋଇଛି। ରାଜ୍ୟରେ କଳି ଓ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି। ପିଏସି ଅଧ୍ୟକ୍ଷ ତଥା କଂଗ୍ରେସ ସାଂସଦ ସୁଧୀର ରଞ୍ଜନ ଚୌଧୁରୀ ପିଏମ୍‌ କେୟାର ପାଣ୍ଠିକୁ ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ପିଏସିରେ ସଦସ୍ୟ ଥିବା ବିଜେପି ସାଂସଦମାନେ ବିରୋଧ କରିବା ସହ ବିଜେଡିର ସାଂସଦ ମଧ୍ୟ ବିରୋଧ କରିଥିଲେ। ଏହି ପାଣ୍ଠି ଅର୍ଥ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ଏହା କେଉଁଠାରୁ ଆସିଲା ଓ କିପରି ଖର୍ଚ୍ଚହେଲା ତାର ସମୀକ୍ଷା କରିବା ଦରକାର। କଣ ପାଇଁ ବିଜେଡି ଓ ବିଜେପି ପାଣ୍ଠିର ସମୀକ୍ଷାକୁ ବିରୋଧ କରୁଛନ୍ତି ତାହା ଜନସାଧାରଣଙ୍କ ଜାଣିବାର ଅଧିକାର ଅଛି। ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟରେ ବିଜେଡି ସରକାର କେବଳ ସ୍ବଚ୍ଛତାର ନାରା ଦେଉଛି ଏବଂ ଜନସ୍ବାର୍ଥର ଦ୍ବାହି ଦେଇ ରାଜ୍ୟବାସୀଙ୍କ ସହ ଛଳନା କରିଚାଲିଛି ବୋଲି ପିସିସି ସଭାପତି କହିଛନ୍ତି।

ସମ୍ବନ୍ଧିତ ଖବର