ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିଟ୍ ଓ ଜେଇଇ ପରୀକ୍ଷା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ କଥା ହୋଇଛନ୍ତି। କୋଭିଡ୍ ପରିସ୍ଥିତି ଓ ରାଜ୍ୟରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ଯେ ଓଡ଼ିଶାର କୋଭିଡ୍ ପରିସ୍ଥିତି ଓ ଆମ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ହେତୁ ନିଟ୍ ଏବଂ ଜେଇଇ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଉ । କାରଣ ସ୍ଥଗିତ ନ କରାଯିବା ଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଏଠାରେ ସ୍ମରଣଯୋଗ୍ୟ ଯେ ଦୁଇ ଦିନ ପୂର୍ବେ ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଚିଠି ଲେଖିଥିଲେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ (ମେନ୍) ଏବଂ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ଅନୁରୋଧ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ୍ ନିଶଙ୍କଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମଙ୍ଗଳବାର ଚିଠି ଲେଖିଥିଲେ। ରାଜ୍ୟର ୫୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଉଥିବା ବେଳେ ୪୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ (ମେନ୍) ପରୀକ୍ଷା ଦେବେ। ଏଥଲାଗି ରାଜ୍ୟରେ ମାତ୍ର ୭ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି। ଫଳରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଏକତ୍ର ହେବେ ଓ କୋଭିଡ୍ ସଂକ୍ରମଣ ଆଶଙ୍କା ବୃଦ୍ଧିପାଇବ ଏବଂ ମାହାମାରୀ ଦୃଷ୍ଟିରୁ ଏହା ବିପଦମୁକ୍ତ ନୁହେଁ। ତେଣୁ ପରୀକ୍ଷା ଘୁଞ୍ଚାଇବା ଜରୁରୀ ବୋଲି ସେ ଦର୍ଶାଇଥିଲେ।

Facebook

ବହୁ ଛାତ୍ରଛାତ୍ରୀଙ୍କ ଘର ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ| ରାଜ୍ୟର ଏହିପରି ଅଞ୍ଚଳର ଛାତ୍ରମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି | ଏହି ଛାତ୍ରମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବହୁ ଦୂର ଯାତ୍ରା କରିବାକୁ ପଡ଼ିବ | ଏବେ କରୋନା ସଂକ୍ରମଣ ହେତୁ ତାହା କଷ୍ଟକର ହେବ। ଏଣୁ ସେମାନେ ୨/୩ ଘଣ୍ଟା ଯାତ୍ରା କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇ ପୁଣି ସେହି ଦିନ ଯେପରି ଘରକୁ ଫେରିପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।

ଉଲ୍ଲେଖଯୋଗ୍ୟ, ଏନଟିଏ ଯଥାକ୍ରମେ ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ ରେ ବୈଷୟିକ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଜେଇ (ମେନ୍) ଏବଂ ନିଟ୍ ପରୀକ୍ଷା କରିବାକୁ ଯୋଜନା କରିଛି | ଏହି ବର୍ଷ ଓଡ଼ିଶାର ୫୦ ହଜାରରୁ ଅଧିକ ଛାତ୍ର ନିଟ ଏବଂ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଜେଇ (ମେନ୍) ପରୀକ୍ଷା ଦେବେ।

ସମ୍ବନ୍ଧିତ ଖବର