ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିର ମଙ୍ଗ ଧରିଥିବା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ୭୨ ତମ ଜନ୍ମ ଦିବସ। ଏଥିପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ରାଜନୈତିକ ଦଳ, ଅନୁଷ୍ଠାନ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିବା ସହିତ ତାଙ୍କ ରାଜନୈତିକ ଜୀବନରେ ସେ ଆହୁରି ଉନ୍ନତି କରନ୍ତୁ ବୋଲି କାମନା କରିଛନ୍ତି। ୭୨ ବର୍ଷ ବୟସରେ ପାଦ ଥାପିଥିବା ଶ୍ରୀ ପଟ୍ଟନାୟକ ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟର ଶାସନ ଭାର ସମ୍ଭାଳିବା ସହିତ ଚଳିତବର୍ଷ ଏକ ଜାତୀୟସ୍ତରର ପତ୍ରିକା  ଦ୍ୱାରା ଶ୍ରେଷ୍ଠ ପ୍ରଶାସକର ସମ୍ମାନ ପାଇଛନ୍ତି। ଚାରି ଚାରି ଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ସେ କେବଳ ରେକର୍ଡ ସୃଷ୍ଟି କରି ନାହାଁନ୍ତି, ଆଞ୍ଚଳିକ ଦଳର ଏହି ସୁପ୍ରିମୋ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାଇଁ ରାଜ୍ୟରେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛନ୍ତି।

ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରେକର୍ଡ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ। ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ପଟ୍ଟନାୟକ ଯେତେବେଳେ ୨୦ ବର୍ଷ ତଳେ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପରଲୋକରେ ଖାଲି ପଡ଼ିଥିବା ଆସ୍କା ଉପର୍ନିବାଚନରେ ବିଜୟୀ ହୋଇ ସାଂସଦ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ, ସେତେବେଳେ ହୁଏତ କେହି ଅନୁମାନ ଲଗାଇ ପାରି ନ ଥିଲେ ଯେ ଏହି ଶାନ୍ତ ସ୍ୱଭାବର ରାଜନେତା ଜଣକ ଦୀର୍ଘ ୧୭ ବର୍ଷ ଧରି କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ଜଣେ ପ୍ରବୀଣ ଖେଳାଳି ଭାବେ ଉଭା ହେବେ। ୧୯୯୭ରୁ ୨୦୧୭ ମସିହାର ଏହି ୨୦ ବର୍ଷର ରାଜନୈତିକ ଜୀବନରେ ବହୁ ଘାତପ୍ରତିଘାତ ଦେଇ ଆଗେଇ ଥିବା ନବୀନ ପଟ୍ଟନାୟକ ଏବେ ରାଜ୍ୟ ରାଜନୀତିର ଅପ୍ରତିନ୍ଦ୍ୱନ୍ଦ୍ୱୀ ବ୍ୟକ୍ତିତ୍ୱ।

ଆଜି ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ଵିଟ୍‌ କରି ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହିତ ସୁସ୍ଥ ନିରୋଗ ଦୀର୍ଘ ଜୀବନ କାମନା କରିଛନ୍ତି। ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର