ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଟ୍ଵିଟ୍ କରି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟ ଇଂରାଜୀ ଓ ଓଡ଼ିଆରେ ସେ ଟ୍ଵିଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ମହାନ ସଂସ୍କୃତି ଓ ଐତିହ୍ୟ ପାଇଁ ଦେଶ ଗର୍ବ କରେ। ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଲୋକମାନେ ଉତ୍କର୍ଷତା ଲାଭ କରିବା ସହ ଦେଶର ପ୍ରଗତିର ରାସ୍ତାରେ ଅଲିଭା ଛାପ ଛାଡ଼ିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହୁ ଏବଂ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ପ୍ରଗତିର ଶୀର୍ଷରେ ପହଞ୍ଚନ୍ତୁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ଵିଟ୍ ମାଧ୍ୟମରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସ୍ୱତନ୍ତ୍ର ପ୍ରଦେଶ ଗଠନର ମନିଷୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱବ୍ୟାପୀ କରିବା ସହ ସବୁ କ୍ଷେତ୍ରର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି କରି ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ଆମ ସଂକଳ୍ପ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରି କହିଛନ୍ତି, ଆଜି ଆମ ରାଜ୍ୟକୁ ୮୨ ପୂରି ୮୩ ଚାଲିଲା। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା। ଏହି ଲମ୍ବା ସମୟ ଭିତରେ ଓଡ଼ିଶାରେ ଅନେକ ଘଟଣା ଘଟିଛି। ଓଡ଼ିଶାରେ ଅନେକ ସୁଖଦ ଅନୁଭବ ହୋଇଛି ଓ ବହୁତ ଆହ୍ଵାନ ବି ସାମ୍ନାକୁ ଆସିଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପାଇ ଆମ ରାଜ୍ୟ, ଭାଷା, ସମାଜ, ସଂସ୍କୃତି ଆଗେଇ ଚାଲିଛି। ଆଜିର ଦିବସରେ ଆମେ ସଂକଳ୍ପ ନେବା ଯେ ଆମେ ନୂଆ ଓଡ଼ିଶା ତିଆରି କରିବା।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ସୁରେଶ ପ୍ରଭୁ, ମହେଶ ଶର୍ମା, ଗିରିରାଜ ସିଂହ, ପ୍ରକାଶ ଜାଭଡ଼େକର, ରାଜ୍ୟବର୍ଦ୍ଧନ ରାଠୋର ଓ କ୍ରିକେଟ୍ ତାରକା ବୀରେନ୍ଦ୍ର ସେହ୍ଵାଗ ପ୍ରମୁଖ ଟ୍ଵିଟ୍ କରି ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଛନ୍ତି।