ବିତର୍କରେ ହେଲିକପ୍ଟର ଯାଞ୍ଚ

ପ୍ରଶ୍ନ ଉଠାଇଲେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର, ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍‌

ନବୀନଙ୍କୁ ସାଲ୍ୟୁଟ ଜଣାଇଲେ କ୍ୟୁରେସି
ଘେରିଲା କଂଗ୍ରେସ ଏବଂ ଆମ୍ ଆଦ୍‌ମି ପାର୍ଟି
ଯାଞ୍ଚ ପାଇଁ ଏସ୍‌ପିଜି ଅନୁମତି ଦେଲା କେମିତି?

ଭୁବନେଶ୍ବର : ଗତ ମଙ୍ଗଳବାର ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଯାଞ୍ଚ ଘଟଣାରେ ସାଧାରଣ ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ମହମ୍ମଦ ମହସିନଙ୍କୁ ନିର୍ବାଚନ କମିସନ ନିଲମ୍ବିତ କରିବା ଘଟଣା ଏବେ ନାଟକୀୟ େମାଡ ନେଲାଣି। ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ନିର୍ବାଚନ କମିସନଙ୍କୁ ଘେରିଛି। ଜାତୀୟ ଗଣମାଧ୍ୟମନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠିଲାଣି। ସବୁଠାରୁ ବଡ଼ କଥା େହଲା, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଡ. ଏସ୍‌.ଆର.କ୍ୟୁରେସି ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଷ୍ଟ୍ରନୀତିଜ୍ଞ ସଦୃଶ ମର୍ଯ୍ୟାଦାଜନକ ଆଚରଣକୁ ପ୍ରଶଂସା କରିଥିବା ବେଳେ ହେଲିକପ୍ଟର ଯାଞ୍ଚ ନେଇ ଉଭୟ ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିସନଙ୍କ ସଂପର୍କରେ ଭିନ୍ନ ଟିପ୍ପଣୀ େଦଇଛନ୍ତି।

ନିର୍ବାଚନ କମିସନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହେଲିକପ୍ଟର ଯାଞ୍ଚ େହାଇଥିଲା ଓ େସ ଏଥିରେ ସହଯୋଗ କରିବା ସହିତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିଭଳି ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଯାଞ୍ଚ ଘଟଣାରେ ସେ ଅଧିକାରୀମାନଙ୍କ ସହିତ ପାଟିତୁଣ୍ଡ କରିବା ଘଟଣାର ଭିଡିଓ ଭାଇରାଲ୍ େହାଇଥିଲା। ଏହି ତିନିଟି ପ୍ରସଙ୍ଗ ଏବେ ରାଜ୍ୟ ସୀମା ଡେଇଁ ଜାତୀୟ ରାଜନୀତି ଓ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ େହଲାଣି।

ଦେଶର ପୂର୍ବତନ (୧୭ତମ) ମୁଖ୍ୟ ନିର୍ବାଚନ କମିସନର ଡ. କ୍ୟୁରେସି କହିଛନ୍ତି ଯେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଘଟଣାରେ ଜଣେ ଆଇଏଏସ୍‌ ଅଧିକାରୀଙ୍କୁ ନିଲମ୍ବିତ କରାଯିବା କେବଳ ଦୁଭାର୍ଗ୍ୟଜନକ ନୁହେଁ, ବରଂ ଭାବମୂର୍ତି ସଜାଡିବା ଲାଗି ସୁଯୋଗ ହାତଛଡ଼ା କରିଛନ୍ତି ମୋଦୀ ଓ ନିର୍ବାଚନ କମିସନ। ଉଭୟ ନିର୍ବାଚନ କମିସନ ଓ ପ୍ରଧାନମନ୍ତ୍ରୀଙ୍କ ଭଳି ଅନୁଷ୍ଠାନ ଉପରେ ଜନସାଧାରଣଙ୍କ ସତର୍କ ନଜର ରହିଛି। ଏହାର କାରଣ ଭାବେ ସେ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ବାରମ୍ବାର ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଚାଲିଛନ୍ତି ଏବଂ ନିର୍ବାଚନ କମିସନ ସେଗୁଡ଼ିକୁ ଅଣଦେଖା କରିଚାଲିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଦ୍ବାରା ପ୍ରମାଣିତ ହୋଇପାରିଥାନ୍ତା ଯେ ଆଇନ ଆଗରେ ସମସ୍ତେ ସମାନ। ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିସନଙ୍କ ବିରୋଧରେ ଲୋକମାନଙ୍କର ଯେଉଁ ନକରାତ୍ମକ ଧାରଣା ରହିଛି ତାହା ଏହାଦ୍ବାରା ଅନେକାଂଶରେ ଦୂର ହୋଇଥାନ୍ତା। ଦୁର୍ଭାଗ୍ୟଜନକ ବିଷୟ ହେଉଛି ଯେ ଉଭୟ ଭିନ୍ନ ରାସ୍ତା ଆପଣେଇଲେ। ଫଳରେ ଉଭୟଙ୍କ ବିେରାଧରେ ପୂର୍ବରୁ ଚାଲିଥିବା ସମାଲୋଚନାର ସ୍ବର ବହୁଗୁଣିତ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତେ‌େବ ଏହାର ସଂପୂର୍ଣ୍ଣ ବିପରୀତ ଆଚରଣ ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ତାଙ୍କ ସାମ୍ନାରେ ତାଙ୍କ ହେଲିକପ୍ଟର ଯାଞ୍ଚ ହେଲା। ସେ ମର୍ଯ୍ୟାଦାଜନକ ଆଚରଣ ପ୍ରଦର୍ଶନ କଲେ। ଫଳରେ ତାଙ୍କର ଭାବମୂର୍ତି ଆହୁରି ଉଜ୍ଜ୍ବଳ ହୋଇଛି। ଆମ ନେତାମାନଙ୍କ ନିକଟରୁ ଆମେ ଏଭଳି ରାଷ୍ଟ୍ରନୀତିଜ୍ଞ ସଦୃଶ ଆଚରଣ ଆଶା କରୁଛି। ଏହା କହି ସେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାଲ୍ୟୁଟ୍‌ ଜଣାଇଛନ୍ତି।

ଏହି ପ୍ରସଙ୍ଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟୁ ସମାଲୋଚନା କରିଛି। ମୋଦୀଙ୍କ ହେଲିକପ୍ଟରରେ ସନ୍ଦେହଜନକ ବାକ୍ସ ରହିଥିଲା ବୋଲି ଅଭିଯୋଗ କରିଛି। ଦଳ କହିଛି ଯେ ୨୦୧୪ ଏପ୍ରିଲ ୧୦ ତାରିଖରେ ନିର୍ବାଚନ କମିସନଙ୍କ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଯାନବାହନ ଯାଞ୍ଚରୁ ବାଦ୍‌ ଦିଆଯାଇନାହିଁ। ଏଣୁ ନିଲମ୍ବିତ ଆଇଏଏସ୍‌ ଅଧିକାରୀଙ୍କୁ ପୁନଃ ଅବସ୍ଥାପିତ କରିବାକୁ କଂଗ୍ରେସ ଦାବି କରିଛି। ଏ ନେଇ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ କଥା ଉଠାଇଥିଲେ ଦଳୀୟ ଉପ ସଭାପତି ଯଜ୍ଞେଶ୍ବର ବାବୁ ଓ ଉପ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ।

ଅନୁରୂପ ଭାବେ ଗତ ୧୫ ତାରିଖରେ ବୁର୍ଲାର ଏମ୍‌ସିଏଲ୍‌ ହେଲିପ୍ୟାଡ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ‌ହେଲିକପ୍ଟର ଯାଞ୍ଚ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ କଂଗ୍ରେସ ଦଳ। ପୁଲିସ ଅଧିକାରୀମାନଙ୍କ ସହିତ ଧର୍ମେନ୍ଦ୍ର ଯୁକ୍ତିତର୍କ କରି ସେମାନଙ୍କୁ ହେଲିକପ୍ଟର ଯାଞ୍ଚ କରାଇ ଦେଇନଥିଲେ। ଫଳରେ ହେଲିକପ୍ଟରରୁ ସନ୍ଦେହଜନକ ବ୍ୟାଗ୍‌କୁ ବିନା ଯାଞ୍ଚରେ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଦଳ ପକ୍ଷରୁ ସ୍ମାରକପତ୍ର ସହିତ ଏକ ଭିଡିଓ କ୍ଲିପ୍‌ ସିଇଓଙ୍କୁ ଦେଇଛି କଂଗ୍ରେସ। ସେହି ବ୍ୟାଗ୍‌ରେ ବିପୁଳ ପରିମାଣର ନଗଦ ଟଙ୍କା ଥିବା ଦଳ ଅଭିଯୋଗ କରିଛି। ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଦର୍ଶାଇ ଲୋକ ପ୍ରତିନିଧି ଆଇନ ୧୯୫୧ ଓ ଲାଞ୍ଚ କାରବାର ନେଇ ଧାରା ୧୨୩(୧) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ସେପଟେ ୖରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ବା ଆପ୍ କହିଛି, ଚୌକିଦାର ବିମାନ ଯାଞ୍ଚ ପାଇଁ ସୁେଯାଗ ନ ଦେଇ କିଛି ଲୁଚାଇବାକୁ ଉଦ୍ୟମ କରୁଛନ୍ତି କି?

ଅନ୍ୟପକ୍ଷରେ ନିର୍ବାଚନ କମିସନଙ୍କ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସମାଲୋଚନ‌ା କରାଯାଇଛି। ଗଣମାଧ୍ୟମରେ କୁହାଯାଇଛି ଯେ ଏସପିଜି (ସ୍ବତନ୍ତ୍ର ନିରାପତ୍ତା ବାହିନୀ) ସୁରକ୍ଷାରେ ଥିବ‌ା ପ୍ରଧାନମନ୍ତ୍ରୀଙ୍କ ହେଲିକପଟର ଯାଞ୍ଚ ବେଆଇନ ନୁହେଁ। କାରଣ ଏହାକୁ ନେଇ ରହିଥିବା ପୁରୁଣା ଆଇନରେ ସଂଶୋଧନ କରାଯାଇଛି। ଏହାଛଡ଼ା ପ୍ରଧାନମନ୍ତ୍ରୀଙ୍କ ହେଲିକପଟର ଯାଞ୍ଚ ପାଇଁ ଏସପିଜି ଅନୁମତି ଦେଲା କେମିତି? ଯାହା ଜଣାପଡ଼ୁଛି ଯେ ପୂର୍ବରୁ ମଧ୍ୟ ଏସପିଜି ସୁରକ୍ଷାରେ ଥିବା ନେତାମାନଙ୍କର ଗାଡ଼ିର ଯାଞ୍ଚ ହୋଇଛି। ଏହି କାରଣରୁ ବୋଧହୁଏ ଏସପିଜି ଏହି ଯାଞ୍ଚକୁ ବିରୋଧ କରିନଥିଲା। ପୁଣି ସେହି ସମୟରେ ପ୍ରଧାନମନ୍ତ୍ରୀ ହେଲିକପଟରରେ ମଧ୍ୟ ନଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର