ଭୁବନେଶ୍ବର: ଓଡ଼ିଶା ଐତିହ୍ୟ, ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ଗନ୍ତାଘର। ଓଡ଼ିଶାରେ ବୈଷୟିକ ଜ୍ଞାନ, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି। ପ୍ରବାସୀ ଭାରତୀୟମାନେ ଏ ସବୁରେ ପୁଞ୍ଜିନିବେଶ କରିବା ସହ ଓଡ଼ିଶାରେ ବିକାଶ ଯାତ୍ରାରେ ସହଭାଗୀ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପ୍ରବାସୀ ଭାରତୀୟମାନଙ୍କୁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବରର ଜନତା ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ। ଏଥିରେ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଜି ଯୁବ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଦିବସକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଏହି ଅବସରରେ ଭାରତରେ କାହିଁକି ପ୍ରବାସୀ ଭାରତୀୟମାନେ ପୁଞ୍ଜିନିବେଶ କରିବେ ସେନେଇ ଉଦ୍‌ବୋଧନ ଦେବେ।

Advertisment

ଆଜି ଆୟୋଜିତ ଯୁବ ପ୍ରବାସୀ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଓଡ଼ିଶା ଏବେ ଖଣି, ଇସ୍ପାତ, ଆଲୁମିନିୟମ ଭଳି ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ। କ୍ରୀଡ଼ା, ଆଇଟି ଏବଂ ଦକ୍ଷତା ବିକାଶ ପାଇଁ ଏକ ହବ୍‌ରେ ପରିଣତ ହୋଇଛି। ଓଡ଼ିଶାରେ ଦକ୍ଷତା ବିକାଶ ଏବେ ସାରା ବିଶ୍ବରେ ବ୍ରାଣ୍ଡ ହୋଇଛି। ତେଣୁ ପ୍ରବାସୀମାନେ ସେମାନଙ୍କ ମୂଳ ସହ ପୁନଃସଂଯୋଗ ହୁଅନ୍ତୁ। ଓଡ଼ିଶାର ଯାଦୁକୁ ପୁଣି ଆବିଷ୍କାର କରିବାକୁ ସେମାନଙ୍କୁ ଖୋଲା ନିମନ୍ତ୍ରଣ କରୁଛି। ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ମନ୍ଦିର ମାଳିନୀ ସହରକୁ ସ୍ବାଗତ କରିବା ସହ ପୁରୀ, କୋଣାର୍କ, ଧଉଳି ଓ ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଓଡ଼ିଶାର ଗୌରବମୟ ଇତିହାସ ସମ୍ପର୍କରେ ଜାଣିବାକୁ କହିଛନ୍ତି। ଏହାସହ ଓଡ଼ିଶାର ସ୍ବାଦିଷ୍ଟ ଖାଦ୍ୟ ଡାଲମା, ରସଗୋଲା, ଛେନାପୋଡ଼ ଖାଇ ମଜା‌ ନେବାକୁ କହିଛନ୍ତି। 

ଆରମ୍ଭ ହେଲା ସମ୍ମେଳନ, ଝଲସୁଛି ରାଜଧାନୀ
ଓଡ଼ିଶା ବିକାଶରେ ସାମିଲ ହେବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
ବିକଶିତ ଭାରତ ନିର୍ମାଣରେ ଯୁବ ପ୍ରବାସୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ଜୟଶଙ୍କର

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ, ପ୍ରବାସୀ ଭାରତୀୟମାନେ କୃତ୍ରିମ ବୁଦ୍ଧିମତ୍ତା, ବିଦ୍ୟୁତ୍‌ ଯାନ, ଡ୍ରୋନ୍‌, ବୈଷୟିକ ଜ୍ଞାନକୌଶଳ, କାରିଗରୀ, ମହାକାଶ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି। ଭାରତ ସହ ସେମାନଙ୍କର ସହଭାଗିତା, ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଉଲ୍ଲେଖନୀୟ ଯୋଗଦାନ ହେବ। ଏହା ଠିକ୍ ଦିଗରେ ଯିବା ଦରକାର। ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ପାଇଁ ଆମର ଯୁବ ପ୍ରବାସୀଙ୍କୁ ଚିନ୍ତା କରିବାକୁ ପଡ଼ିବ। ଯୁବ ପ୍ରବାସୀମାନେ ଭାରତକୁ ଅଧିକରୁ ଅଧିକ ଜାଣିବା ଦରକାର। ଏଥିପାଇଁ ଭାରତର କୋଣ ଅନୁକୋଣକୁ ବୁଲି ଦେଖନ୍ତୁ। ବୈଷୟିକ ଜ୍ଞାନକୌଶଳ ସହ ଆମ ପରମ୍ପରାକୁ ଧ୍ୟାନରେ ରଖି ଆମକୁ ବିକଶିତ ଭାରତ ଗଠନ କରିବାକୁ ହେବ। ଭାରତକୁ ଏକ ପର୍ଯ୍ୟଟନ ହବ୍‌ରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଆମେ ସଫଳ କରିବାକୁ ହେବ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବ୍ୟାଡମିଣ୍ଟନ୍ ଖେଳାଳି ପି ଭି ସିନ୍ଧୁ କହିଥିବା ଏକ ଉକ୍ତିକୁ ମନେପକାଇ କହିଥିଲେ ମୋଦୀଙ୍କ ଯୋଗୁ ଆମ ଦେଶରେ ‘ଚଲ୍‌ତା ହୈରୁ ବଦଲ୍‌ତା ହୈ, ଏବେ ହୋଗା କୈସେ ନେହିଁ’ର ସମୟ ଆସିଛି। ପ୍ରବାସୀ ଭାରତୀୟମାନେ ନିଜ ଦେଶ ପାଇଁ ଯାହା କରିବାକୁ ଚାହୁଁଛନ୍ତି ତାହାକୁ ମୋଦୀଜୀ ନିଶ୍ଚିତ ସଫଳ କରିବେ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ କହିଥିଲେ, ବିକଶିତ ଭାରତ ଯୋଜନା‌ରେ ପ୍ରବାସୀ ଭାରତୀୟଙ୍କୁ ସାମିଲ କରିବାର ଉଦ୍ଦେଶ୍ୟ ହେଉଛି, ଆପଣ ଯେଉଁ ଦେଶରେ କାମ କରୁଛନ୍ତି ସେହି ଦେଶର ସବୁଠୁ ଭଲ କାର୍ଯ୍ୟକୁ ଆମ ଦେଶରେ ପ୍ରୟୋଗ କରିବା। ବିଦେଶର ଜ୍ଞାନ ଓ ଅନୁଭବକୁ ଆଣି ଆମ ଦେଶବାସୀଙ୍କ ସହ ବାଣ୍ଟିବା। ଏବେ ଭାରତରେ ୨୦ଜଣ ଯୁବକଙ୍କ ମଧ୍ୟରେ ୧୩ଜଣଙ୍କ ବୟସ ୩୫ ବର୍ଷରୁ କମ୍। ଆମ ଦେଶରେ ହାରାହାରି ବୟସ ୨୯ବର୍ଷ। ତେଣୁ ପ୍ରବାସୀ ଭାରତୀୟମାନେ ଭାରତରେ ନିବେଶ କରିବା ଅର୍ଥ ଯୁବପିଢ଼ିଙ୍କ ଉପରେ ନିବେଶ ସହ ସମାନ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା କହିଥିଲେ, ସବୁଠୁ ଅଧିକ ଯୁବବର୍ଗ ରହୁଥିବା ଭାରତରେ ପ୍ରବାସୀମାନେ ନିବେଶ କଲେ, ସେମାନଙ୍କ ଜ୍ଞାନକୌଶଳକୁ ଆମ ଦେଶରେ ପ୍ରୟୋଗ କଲେ ବିକାଶର ଏକ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ ହୋଇପାରିବ।  ଆମେରିକାର ‘ନ୍ୟୁଜ୍ ୱିକ୍‌’ର ସିଇଓ ଦେବ ପ୍ରଗଡ଼ କହିଥିଲେ, ପ୍ରବାସୀ ଭାରତୀୟ ଦିବସ ଆୟୋଜନ, ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସଂପର୍କର ସେତୁକୁ ଦୃଢ଼ କରିଛି। ନିର୍ଭୀକ ସାମ୍ବାଦିକତାକୁ ପ୍ରଶ୍ରୟ ଦିଆଯିବା ଦରକାର। ମୋ ନଜରରେ ଆପଣ ଯଦି ଭାରତୀୟ ତେବେ ଆପଣ କୌଣସି ବି କମ୍ପାନିର ସିଇଓ ହେବାକୁ ଯୋଗ୍ୟ। କାରଣ ଭାରତୀୟମାନେ କଠିନ ପରିଶ୍ରମୀ, କାର୍ଯ୍ୟ ପ୍ରତି ସମର୍ପିତ ଥା’ନ୍ତି। ଶେଷରେ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍‌ସେ ଧନ୍ୟବାଦ ଦେଇଥିଲେ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ: ଆଜି ପ୍ରବାସୀଙ୍କ ସହ ଆଲୋଚନା

ddfvv

ଭୁବନେଶ୍ବର: ଗୁରୁବାର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ବୁଧବାର ରାତି ପାଖାପାଖି ସାଢ଼େ ୮ଟା ସମୟରେ ପ୍ରଧାନମନ୍ତ୍ରୀ  ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଅଭିମୁଖେ ବାହାରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।