ଭୁବନେଶ୍ବର: ଭାରତୀୟମାନେ ସ୍ବାଭାବିକ ଭାବେ ବିବିଧତାକୁ ଗ୍ରହଣ କରନ୍ତି। ସେମାନେ ଯୁଆଡ଼େ ଯାଆନ୍ତି, ସେଠାରେ ସ୍ଥାନୀୟ ନିୟମ ଓ ପରମ୍ପରାକୁ ସମ୍ମାନ ଦେଇ ସେହି ସମାଜରେ ଯୋଗ ଦିଅନ୍ତି। ସେମାନେ ପ୍ରବାସରେ ସଚ୍ଚୋଟତାର ସହ ସେବା କରୁଛନ୍ତି। ସେଠାକାର ବିକାଶ ଓ ସମୃଦ୍ଧି ଦିଗରେ କାମ କରୁଛନ୍ତି ଏବଂ ଭାରତକୁ ହୃଦୟର ନିକଟତର କରି ରଖିଛନ୍ତି। ବିଶ୍ବର ବହୁ ନେତା ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ସାମାଜିକ ମୂଲ୍ୟବୋଧ ଏବଂ ନିଜ ନିଜ ସମାଜରେ ଅବଦାନ ପାଇଁ ପ୍ରଶଂସା କରନ୍ତି। ପ୍ରବାସୀ ଭାରତୀୟମାନେ ହେଲେ ଭାରତର ସଦ୍‌ଭାବନା ଦୂତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 

Advertisment

ଆଜି ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ। ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, ଚମତ୍କାର ସୂର୍ଯ୍ୟ ମନ୍ଦିର, ତାମ୍ରଲିପି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର ଆଦି ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ସେଠାରେ ଏହି ଗୌରବ ଅନୁଭବ କରିହେବ। ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଓ ବଣିକମାନେ ବାଲି, ସୁମାତ୍ରା ଓ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ। ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ସ୍ଥାନ ‘ଧଉଳି’ ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ବ ଯେତେବେଳେ ଖଡ୍‌ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧଙ୍କ ଉପରେ ନିର୍ଭର କରେ ବୋଲି ଭାରତର ଏହି ପରମ୍ପରା ବିଶ୍ବକୁ ବାର୍ତ୍ତା ଦେଉଛି। 

ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ସମ୍ପର୍କରେ ଉଲ୍ଲେଖ କରି ମୋଦୀ କହିଲେ, ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ଭାରତ ଖୁବ୍ ଶୀଘ୍ର ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥାରେ ପରିଣତ ହେବ। ଭାରତର ପ୍ରତ୍ୟେକ କ୍ଷେତ୍ର ଅକ୍ଷୟ ଶକ୍ତି, ବିମାନ ଚଳାଚଳ, ବୈଦ୍ୟୁତିକ ଗତିଶୀଳତା, ମେଟ୍ରୋ ନେଟ୍‌ୱର୍କ ଓ ବୁଲେଟ ଟ୍ରେନ୍ ପ୍ରକଳ୍ପରେ ରେକର୍ଡ ଭାଙ୍ଗି ନୂତନ ଉଚ୍ଚତାକୁ ଅଗ୍ରସର ହେଉଛି। ଭାରତ ଏବେ ‘ମେଡ୍ ଇନ୍ ଇଣ୍ଡିଆ ଯୁଦ୍ଧ ବିମାନ’ ଓ ପରିବହନ ବିମାନ ନିର୍ମାଣ କରୁଛି। ଆଧୁନିକ ଭାରତ ବିକାଶ ଓ ଐତିହ୍ୟର ମନ୍ତ୍ର ସହିତ ଆଗକୁ ବଢ଼ୁଛି। ଜି-୨୦ ବୈଠକ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଅଧିବେଶନମାନ ଆୟୋଜିତ ହୋଇଥିଲା। ଫଳରେ ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିମାନେ ଭାରତର ବିବିଧତାକୁ ପ୍ରତ୍ୟକ୍ଷ ଅନୁଭବ କରିପାରିଥିଲେ। ଭାରତର ଐତିହ୍ୟ ସ୍ଥଳଗୁଡ଼ିକୁ ଯୋଡ଼ିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ, ରାମାୟଣ ଏକ୍ସପ୍ରେସ୍ ପରି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକୁ ଭଗବାନ ରାମ ଓ ମାତା ସୀତାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଯାତାୟତ ସୁବିଧା ଯୋଗାଇଦେଇଛି। ଭାରତ ଗୌରବ ଟ୍ରେନ୍ ସାରା ଦେଶର ଗୁରୁତ୍ବପୂର୍ଣ୍ଣ ଐତିହ୍ୟସ୍ଥଳକୁ ସଂଯୋଗ କରିଛି। ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଭାରତର ପ୍ରମୁଖ ଐତିହ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିଛି। 

ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧଙ୍କଠାରେ ଅଛି 
ଓଡ଼ିଶାରେ ଆମେ ଐତିହ୍ୟକୁ ଅନୁଭବ କରିପାରିବା 
ଭାରତୀୟ ପ୍ରତିଭାକୁ ବୈଶ୍ବିକ ସ୍ବୀକୃତି ମିଳିଛି

ଭାରତୀୟ ପ୍ରତିଭାର ବୈଶ୍ବିକ ସ୍ବୀକୃତି ଉପରେ ଗୁରୁତ୍ବାରୋପ କରି ମୋଦୀ କହିଲେ, ଭାରତୀୟ ପେଶାଦାରମାନେ ପ୍ରମୁଖ କମ୍ପାନିଗୁଡ଼ିକ ମାଧ୍ୟମରେ ବୈଶ୍ବିକ ଅଭିବୃଦ୍ଧିରେ ଯୋଗଦାନ କରୁଛନ୍ତି। ବିଶ୍ବର ଦକ୍ଷତା ଚାହିଦା ପୂରଣ କରିବା ସହିତ ଭାରତ ଅନେକ ଦଶନ୍ଧି ଧରି ବିଶ୍ବର ସର୍ବକନିଷ୍ଠ ଓ ସବୁଠାରୁ କୁଶଳୀ ଜନସଂଖ୍ୟା ଥିବା ଦେଶ ହୋଇ ରହିବ। ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ସଙ୍କଟ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରିବା ଭାରତର ଦାୟିତ୍ବ। ଗତ ଦଶନ୍ଧି ମଧ୍ୟରେ ବିଶ୍ବବ୍ୟାପୀ ଭାରତୀୟ ଦୂତାବାସ ଓ କାର୍ଯ୍ୟାଳୟଗୁଡ଼ିକ ସମ୍ବେଦନଶୀଳ ଓ ସକ୍ରିୟ ରହିଆସିଛନ୍ତି। ପ୍ରବାସୀ ଭାରତୀୟମାନଙ୍କ ସଫଳତାକୁ ଭାରତୀୟ ଐତିହ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ବିବେଚନା କରାଯାଉଛି। ପ୍ରବାସୀ ଭାରତୀୟମାନେ ମଧ୍ୟ ଭାରତର ବିକାଶରେ ଯୋଗଦାନ ଜାରି ରଖିଛନ୍ତି। ଏହା ଦ୍ବାରା ଭାରତ ବିଶ୍ବରେ ସର୍ବାଧିକ ଅର୍ଥ ହସ୍ତାନ୍ତର ପ୍ରାପ୍ତ କରୁଥିବା ରାଷ୍ଟ୍ରରେ ପରିଣତ ହୋଇଛି। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି। ଭାରତ କେବଳ ପ୍ରମୁଖ ମେଟ୍ରୋ ସହରଗୁଡ଼ିକ ମଧ୍ୟରେ ସୀମିତ ନୁହେଁ। ଏହା ଅନ୍ୟ ସହର ଓ ଗାଁରେ ମଧ୍ୟରେ ବ୍ୟାପିଛି, ଯାହା ଭାରତର ଐତିହ୍ୟକୁ ପ୍ରଦର୍ଶିତ କରିଥାଏ। ପରବର୍ତ୍ତୀ ଭାରତ ଗସ୍ତ ସମୟରେ ଅତି କମ୍‌ରେ ପାଞ୍ଚ ଜଣ ବନ୍ଧୁଙ୍କୁ ଆଣି ଭାରତକୁ  ଜାଣିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କୁ ଆହ୍ବାନ ଦେଇଥିଲେ।  

ପ୍ରବାସୀଙ୍କୁ ମୋଦୀ ଆହୁରି ଆହ୍ବାନ ଦେଇଥିଲେ ଯେ ଭାରତୀୟ ଉତ୍ପାଦକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରବାସୀଙ୍କର ବଡ଼ ଭୂମିକା ରହିଛି। ସେମାନେ ‘ମେଡ୍ ଇନ୍ ଇଣ୍ଡିଆ’ ଖାଦ୍ୟ ପ୍ୟାକେଟ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନୀୟ କିମ୍ବା ଅନଲାଇନରେ କିଣନ୍ତୁ। ଏହି ଉତ୍ପାଦଗୁଡ଼ିକୁ ରୋଷେଇଘର, ଡ୍ରଇଂରୁମ୍ ଓ ଉପହାରରେ ଅନ୍ତର୍ଭୁକ୍ତ କରନ୍ତୁ। ସେମାନେ ରହୁଥିବା ଦେଶରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପୁରସ୍କାର ସମାରୋହର ଆୟୋଜନ କରି ସେଠାକାର ବିଶିଷ୍ଟ ବ୍ୟକ୍ତିଙ୍କୁ ପୁରସ୍କୃତ କରନ୍ତୁ। ଭାରତୀୟ ଦୂତାବାସ ସହାୟତାରେ ଏହି ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇପାରିବ। ଏହା ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସମ୍ପର୍କକୁ ବୃଦ୍ଧି କରିପାରିବ। ପ୍ରବାସୀମାନେ ଯେଉଁଠି ଥା’ନ୍ତି, ସେମାନଙ୍କ ମା’ଙ୍କ ନାମରେ ଏକ ଚାରା ଲଗାନ୍ତୁ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତ୍ରିନିବାଦ ଓ ଟବାଗୋର ରାଷ୍ଟ୍ରପତି କ୍ରିଷ୍ଟିନ୍ କାର୍ଲା କାଙ୍ଗାଲୁ ଆଭାସୀ ମାଧ୍ୟମରେ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରବାସୀ ଭାରତୀୟ ଦିବସର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ବିନୀ ବୈଷ୍ଣବ, ଶୋଭା କରନ୍ଦଲାଜେ, କୀର୍ତ୍ତି ବର୍ଦ୍ଧନ ସିଂ ଓ ପବିତ୍ର ମାର୍ଗେରିଟା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’କୁ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ‘ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା’ ଅଧୀନରେ ଏହି ଟ୍ରେନ୍ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ବାହାରି ତିନି ସପ୍ତାହ ପାଇଁ ପର୍ଯ୍ୟଟନ ଓ ଧାର୍ମିକ ଗୁରୁତ୍ବ ବହନ କରୁଥିବା ସ୍ଥାନକୁ ଯାତ୍ରା କରିବ।