ପିଏମ୍-କିଷାନ ସହାୟତା ପ୍ରସଙ୍ଗ : ୮୦ ହଜାର ଚାଷୀଙ୍କୁ ମିଳିନି ସହାୟତା ରାଶି

ବଢ଼ୁଛି ଅସନ୍ତୋଷ, ଆନ୍ଦୋଳନ ପାଇଁ ସଜବାଜ

ଅନୁଗୁଳ : ଚାଷୀଙ୍କ ପାଇଁ ସମସ୍ତେ କାନ୍ଦୁଛନ୍ତି। ଏପରିକି ସେମାନଙ୍କ ପ୍ରତି ସରକାରଙ୍କର ବି ବେଶ୍ ଦରଦ ରହିଥିବା ନେଇ ପ୍ରଚାରିତ ହେଉଛି। ହେଲେ ‘ପିଏମ୍-କିଷାନ’ ସହାୟତାରୁ ବଂଚିତ ଓଡ଼ିଶାର ୮୦ ହଜାର ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ତୁରନ୍ତ ସମାଧାନ ଦାବିରେ ସେମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

କେନ୍ଦ୍ର ସରକାର ଗରିବ ଚାଷୀମାନଙ୍କୁ ସହାୟତା ଯୋଗାଇବା ନିମନ୍ତେ ଗତ ୧ ଡିସେମ୍ବର ୨୦୧୮ରେ ‘ପିଏମ୍ କିଷାନ’ ଯୋଜନା ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଏହି ଯୋଜନାରୁ ସହାୟତା ମିଳିଥିଲା। ମାତ୍ର ମାର୍ଚ୍ଚ ୨୦୧୯ରୁ ଦେଶର ଉଚ୍ଚ ଆୟବର୍ଗର ଚାଷୀମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଚାଷୀ ଏହି ଯୋଜନାର ସୁଫଳ ପାଉଛନ୍ତି। ହିତାଧିକାରୀମାନଙ୍କୁ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ମିଳୁଛି। ଜାତୀୟକରଣ ବ୍ୟାଙ୍କଗୁଡ଼ିକରେ ଥିବା ଚାଷୀମାନଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ନିୟମିତ ଜମା ହେଉଥିବା ‌ବେଳେ ସମବାୟ ବ୍ୟାଙ୍କରେ ଆକାଉଣ୍ଟ ଥିବା ରାଜ୍ୟର ପ୍ରାୟ ୮୦ ହଜାର ଚାଷୀ ଏଥିରୁ ବଂଚିତ ହୋଇଛନ୍ତି। ବିଶେଷକରି ସମବାୟ ବ୍ୟାଙ୍କର ଆକାଉଣ୍ଟ ଥିବା ଅନୁଗୁଳ, ଢେଙ୍କାନାଳ, ବଲାଂଗୀର ଓ ବାଲେଶ୍ବର ଜିଲ୍ଲାର ଚାଷୀମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ୧୭ଟି ଶାଖାରେ ଖାତା ଥିବା ଜଣେ ବି ଚାଷୀ ଏପର୍ଯ୍ୟନ୍ତ ଅନୁଦାନର ଗୋଟିଏ ବି କିସ୍ତି ପାଇନାହାନ୍ତି। ଗୋଟିଏ ବ୍ୟାଙ୍କ ଶାଖା ପାଇଁ ଗୋଟିଏ ଆଇଏଫ୍ଏସ୍‌ସି କୋଡ୍ ଦିଆଯାଇଥାଏ। ରାଜ୍ୟର ବିଭିନ୍ନ ଜିଲ୍ଲାର ସମବାୟ ବ୍ୟାଙ୍କ ଶାଖାଗୁଡ଼ିକର ସମାନ ଆଇଏଫ୍‌ଏସ୍‌ସି କୋଡ୍ ରହିଛି। ଏକାଧିକ ବ୍ୟାଙ୍କ ଆଇଏଫ୍ଏସ୍‌ସି କୋଡ୍ ସମାନ ଥିବାରୁ ‘ପିଏମ୍-କିଷାନ’ ସହାୟତା ରାଶି ଟ୍ରାନ୍‌ସଫର୍ ହୋଇପାରୁନାହିଁ। ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ବ୍ୟାଙ୍କ ପାଇଁ ସ୍ବତନ୍ତ୍ର ଆଇଏଫ୍ଏସ୍‌ସି କୋଡ୍ ଜାରି କରିବାକୁ ଚାଷୀମାନେ ଦାବି କରି ଆସୁଛନ୍ତି।

ସମବାୟ ବ୍ୟାଙ୍କ ଆଇଏଫ୍‌ଏସ୍‌ସି କୋଡ୍ ସମସ୍ୟାର ସମାଧାନରେ ଅହେତୁକ ବିଳମ୍ବ ଘଟଣାକୁ ନେଇ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତୀବ୍ର ‌ଅସନ୍ତୋଷ ବ୍ୟକ୍ତ କରିବା ସହ ଗତ ୨ ଡିସେମ୍ବର ୨୦୨୦ରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କୁ ଏଥିନେଇ ଚିଠି ଲେଖିଥିଲେ। ଇତିମଧ୍ୟରେ ଏକ ମାସ ବିତି ଯାଇଛି। ତଥାପି ସମାଧାନ ହୋଇପାରି ନାହିଁ। ଯାହାକୁ ନେଇ ଅସନ୍ତୋଷ ବଢ଼ୁଛି, ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।

ସମ୍ବନ୍ଧିତ ଖବର