ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଓଡ଼ିଶା

ପ୍ରଥମ ପର୍ଯ୍ୟାୟ କାଳିଆ ହିତାଧିକାରୀଙ୍କ ତାଲିକା ପଠାଯିବ, କାଳିଆ ଛାତ୍ରବୃତ୍ତି ପାଇଁ ୧୩୭ଟି କଲେଜରୁ ମିଳିଛି ୨,୬୫୮ଟି ଦରଖାସ୍ତ

ଭୁବନେଶ୍ବର : ବରଗଡ଼ରେ କାଳିଆ ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ସହାୟତା ବଣ୍ଟନ କରିବା ଅବସରରେ ଚାଷୀଙ୍କୁ ୬ ହଜାର ପରିବର୍ତ୍ତେ ୧୦ ହଜାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ରୋକଠୋକ୍ ଶୁଣାଇଛନ୍ତି। ଅନ୍ୟପଟେ ପ୍ରଧାନ ମନ୍ତ୍ରୀ କିଷାନ ନିଧି ଯୋଜନାରେ ଓଡ଼ିଶା ସାମିଲ ହେବ ବୋଲି ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଳିଆ ଯୋଜନାର କାର୍ଯ୍ୟାନ୍ବୟନ ସମୀକ୍ଷା କରିବା ଅବସରରେ ଏହି ନିଷ୍ପତ୍ତି ହୋଇଛି। ଏଥିପାଇଁ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀଙ୍କ ତାଲିକା କେନ୍ଦ୍ରକୁ ପଠାଯିବ। କାଳିଆ ଯୋଜନାରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବାଦ ନ ପଡ଼ନ୍ତି ତାକୁ ଦୃଷ୍ଟି ଦେବାକୁ ମୁଖ୍ୟଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଣାପଡ଼ିଛି, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଓଡ଼ିଶାର କୃଷକମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେବା ସହ ଏ ସମ୍ପର୍କିତ ଆବଶ୍ୟକ ତଥ୍ୟ େଵବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ନାମକୁ କେନ୍ଦ୍ରକୁ ପଠାଯିବ ବୋଲି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଥିଲେ।

କାଳିଆ ଯୋଜନାର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ସଚିବ କହିଥିଲେ, କାଳିଆ ଯୋଜନାରେ ପ୍ରଥାମ ପର୍ଯ୍ୟାୟ ଆର୍ଥିକ ସହାୟତା ବଣ୍ଟନ ଆରମ୍ଭ ହେବା ଦିନଠାରୁ ଏବେ ସୁଦ୍ଧା ୧୩ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩ ଲକ୍ଷ ୨୦ ହଜାର ଭୂମିହୀନ କୃଷି ଶ୍ରମିକ ପରିବାରକୁ କାଳିଆ ଯୋଜନାରେ ସହାୟତା ଦିଆଗଲାଣି। ଦ୍ବିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ ୨୦ ହଜାର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି। ବୈଠକରେ କୃଷି ନିର୍ଦ୍ଦେଶକ ମୁଥୁ କୁମାର ଜଣାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କାଳିଆ ଛାତ୍ରବୃତ୍ତି ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଛାତ୍ରବୃତ୍ତି ୧୮୧ଟି ସରକାରୀ ଶିକ୍ଷାନୁଷ୍ଠାନରେ ୧୩ଟି ବୈଷୟିକ, ୧୧ଟି ଡିପ୍ଲୋମା ଓ ଆଇ.ଟି.ଆଇ ପାଠ୍ୟକ୍ରମରେ ପଢ଼ୁଥିବା କାଳିଆ ହିତାଧିକାରୀଙ୍କ ପିଲାମାନଙ୍କୁ ପ୍ରଦାନ କରାଯିବ। ଏହିସବୁ ଶିକ୍ଷାନୁଷ୍ଠାନମାନଙ୍କରେ ସିଟ୍ ସଂଖ୍ୟା ୩୫ ହଜାର ୫୦୨। ଏହାସହିତ ଦ୍ବିତୀୟ ଏବଂ ପରବର୍ତ୍ତୀ ବର୍ଷମାନଙ୍କରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ କାଳିଆ ଛାତ୍ର ବୃତ୍ତି ପାଇବେ। ଅନ୍ୟ କୌଣସି ବୃତ୍ତି ପାଉଥିବା ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପାଇବେ ନାହିଁ। ଏଥିପାଇଁ ଅନଲାଇନ ପୋର୍ଟାଲ ଖୋଲାଯାଇଛି। ଛାତ୍ରଛାତ୍ରୀମାନେ ଏଥିରେ ନାମ, ଶିକ୍ଷାନୁଷ୍ଠାନ, ଆଧାର ନମ୍ବର, ବାପା ଓ ମାଙ୍କ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ, ଶିକ୍ଷାଗତ ବିବରଣୀ ଦେଇ ନିର୍ଦ୍ଧାରିତ ଫର୍ମରେ ଅନଲାଇନରେ ଦରଖାସ୍ତ କରିପାରିବେ। ଏବେସୁଦ୍ଧା ରାଜ୍ୟର ୧୩୭ଟି କଲେଜରୁ ୨ ହଜାର ୬୫୮ଟି ଦରଖାସ୍ତ ମିଳିଛି।

କାଳିଆ ଯୋଜନାରେ ଭୂମିହୀନ କୃଷି ଶ୍ରମିକମାନଙ୍କୁ ଜୀବିକା ନିର୍ବାହ ପାଇଁ ପ୍ରଥମ ପର୍ଯ୍ୟାୟ ସହାୟତା ଓ ତାଲିମ ବିଷୟରେ ବି ବୈଠକରେ ଆଲୋଚନା ହୋଇଥିଲା। ସେମାନଙ୍କର ବୃତ୍ତି ଚୟନ, ତାଲିମ ଓ ବୈଷୟିକ ସହାୟତା ଆଦି ଦିଗରେ କାଳିଆ ସାଥୀମାନେ ପରାମର୍ଶଦାତା ଓ ସଂଯୋଗୀକରଣ ଭାବେ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି। ଆସନ୍ତା ଅଗଷ୍ଟ ମାସ ମଧ୍ୟରେ ସମସ୍ତ ବୃତ୍ତି ଚୟନ ଓ ତାଲିମ ଆଦି ଶେଷ କରିବାକୁ ବୈଠକରେ ସ୍ଥିର ହୋଇଥିଲା।

ସମୀକ୍ଷା ବୈଠକରେ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, କୃଷି ଉନ୍ନୟନ କମିସନର ଗଗନ ବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ ସମେତ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର