କାଳିଆ ଯୋଜନା ପରି ଦିଶାହୀନ ନୁହେଁ ପିଏମ୍‌-କିଷାନ ଯୋଜନା : ପ୍ରଦୀପ

ପିଏମ୍‌-କିଷାନ ଯୋଜନାର ଉଦ୍ଦେଶ୍ୟ ବିଷୟରେ ବିଜେଡି ନେତା ଅବଗତ ହୁଅନ୍ତୁ

ଭୁବନେଶ୍ୱର : ବିଜେଡି ନେତା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ ଜରିଆରେ ପିଏମ୍‌-କିଷାନ ଯୋଜନା ଉପରେ ନିଜ ମତ ରଖିବା ପୂର୍ବରୁ ଏହି ଯୋଜନାର ଉଦ୍ଦେଶ୍ୟ, ଦୂରଦୃଷ୍ଟି ବିଷୟରେ ଅବଗତ ରହିବା ନିହାତି ଆବଶ୍ୟକ। ପିଏମ୍‌-କିଷାନ ଯୋଜନା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଉଦ୍ଦିଷ୍ଟ। ଏହା କାଳିଆ ଯୋଜନା ପରି ଦିଶାହୀନ ନୁହେଁ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ କାଳିଆ ଯୋଜନାରେ କେତେ ଚାଷୀଙ୍କୁ ଟଙ୍କା କିମ୍ବା ଆର୍ଥିକ ସହାୟତା ଦିଆଯିବ, ତାହାର ଏ ଯାଏ କୌଣସି ସ୍ପଷ୍ଟତା ନାହିଁ। ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ଜିତିବା ପରେ ପାଖାପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହା ପାଖରେ ପହଞ୍ଚିଲା ନାହିଁ। ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣା ସଦୃଶ। ପୂର୍ବରୁ ଓଡିଶା ସରକାର ଦେଇଥିବା କାଳିଆ ସହାୟତା ରାଶି ଓଡ଼ିଆ ଚାଷୀ ମାଗି ନ ଥିଲେ ବରଂ ରାଜ୍ୟ ସରକାର ଯାଚିକି ଦେଇଥିଲେ। କିନ୍ତୁ ପରବର୍ତୀ ସମୟରେ ନିଜେ ଭୂତ ହିତାଧିକାରୀ ତାଲିକା ତିଆରି କରି ପୁଲିସ ଲଗାଇ ଚାଷୀଙ୍କୁ ବଳପୂର୍ବକ ଧମକ ଦେଲେ ଏବଂ ପଇସା ଫେରାଇବାକୁ ଦାବି କରି ଥିଲେ। ଏହା ଚାଷୀକୂଳ ପାଇଁ ଅପମାନ। କାଳିଆ ଯୋଜନାରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବା ପାଇଁ ସରକାର ଘୋଷଣା କରିଥିଲେ । ମାତ୍ର ଦୁଃଖର ବିଷୟ ରାଜ୍ୟ ନିଜେ ଦେଉଥିବା ପ୍ରତିଶ୍ରୁତିକୁ ରକ୍ଷା କରି ନପାରି ଏବେ ୪୨ ଲକ୍ଷ ଚାଷୀଙ୍କୁ ଟଙ୍କା ପ୍ରଦାନ କରିଛନ୍ତି । ବିଜେଡି ନେତା ଜାଣିବା ଉଚିତ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କାଳିଆ ଯୋଜନା ଅନ୍ତର୍ଗତ ଚିହ୍ନଟ କରାଯାଇଥିବା କ୍ଷୁଦ୍ର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମଧ୍ୟ ପଞ୍ଜୀକୃତ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ ହେବା ଦିନଠାରୁ ଓଡିଶାର ଚାଷୀଙ୍କୁ ୩୮୩୦.୮୫ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି । ଏହି ଯୋଜନାରେ ୪୦.୫୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି, ମାତ୍ର ୨୭.୮୩ ଲକ୍ଷ ଚାଷୀ ଲାଭ ପାଇଛନ୍ତି। ପିଏମ୍‌-କିଷାନ ଯୋଜନାର ଟଙ୍କା ଯୋଗ୍ୟ ଚାଷୀଙ୍କୁ ଲଟ୍‌ ଓପନିଂରେ ବିଳମ୍ବ, ଟ୍ରାଞ୍ଜାକ୍ସନ ଫେଲୱର, ଆଧାର କାର୍ଡରେ ପଞ୍ଜୀକୃତ ନାମ ଓ ଚାଷୀଙ୍କ ନାମରେ ପାର୍ଥକ୍ୟ, ଏଲ୍‌ଜିଡି କୋଡ୍‌ରେ ତ୍ରୁଟି ତଥା ବ୍ୟାଙ୍କ ସହିତ ଜଡ଼ିତ ଅନ୍ୟ କାରଣ ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପଇସା ପହଞ୍ଚି ପାରୁ ନାହିଁ।

ସମ୍ବନ୍ଧିତ ଖବର