ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବା‌ରାଣସୀରେ ଦେଶର ୯.୭ କୋଟି ଚାଷୀଙ୍କୁ ପିଏମ୍‌ କିଷାନ ସହାୟତା ରାଶି ବାବଦକୁ ୬୯୭କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଭୁବନେଶ୍ବର ଉପକଣ୍ଠସ୍ଥ ଆଇସିଏଆର୍-ସିଫାଠାରେ ଆୟୋଜିତ ରାଜ୍ୟସ୍ତରୀୟ ପିଏମ୍‌ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୪ଲକ୍ଷ ୮୫ହଜାର ୮୮୧ଜଣ ଚାଷୀଙ୍କୁ ୨ହଜାର ଟଙ୍କା ହିସାବରେ ମୋଟ୍ ୬୯୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। 

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ପିଏମ୍‌ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ମୋର ଲକ୍ଷ୍ୟ। କୌଣସି ଯୋଗ୍ୟ ଚାଷୀ ଯେପରି ଏହି ଯୋଜନାରୁ ବଞ୍ଚିତ ହେବେନି ସେଥିପାଇଁ ରାଜ୍ୟର ସମସ୍ତ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ପ୍ରଧାନମନ୍ତ୍ରୀ ଆପଣମାନଙ୍କ ପାଇଁ କରିଥିବା ଅନେକ ଯୋଜନାରୁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା, ଯେଉଁଥିରେ ଆପଣମାନେ ସିଧାସଳଖ ଅର୍ଥରାଶି ପାଉଛନ୍ତି। ନିୟମିତ କୃଷି କାର୍ଯ୍ୟ ସହିତ ଆପଣମାନେ ଫସଲରେ ବିବିଧକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ। ମତ୍ସ୍ୟ ଚାଷ, ପଶୁପାଳନ ଭଳି ଲାଭଦାୟକ ଚାଷ କରନ୍ତୁ। ଏହାଦ୍ୱାରା ଅଧିକ ଅମଳ କରିପାରିବେ ଓ ଆର୍ଥିକ ସ୍ତରରେ ଲାଭବାନ ମଧ୍ୟ ହୋଇପାରିବେ। ଚାଷ କ୍ଷେତ୍ରରେ ଆପଣମାନଙ୍କ ରୋଜଗାର ଦୁଇଗୁଣିତ ନୁହେଁ ବରଂ ବହୁଗୁଣିତ ହେବ। ଏହି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ଅଛି, ତାହା ନିଶ୍ଚିତ ପୂରଣ ହେବ।

ସମସ୍ତ ଯୋଗ୍ୟ ଚାଷୀଙ୍କୁ ସାମିଲ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଫସଲର ବିବିଧକରଣ କରି ରୋଜଗାର ବଢ଼ାଇବାକୁ ଚାଷୀଙ୍କୁ ଆହ୍ୱାନ
ଚାଷୀ ଭାଇ ପଇସା କମାଇବା ସହ ସ୍ବାସ୍ଥ୍ୟ ଉପରେ ବି ଧ୍ୟାନ ଦିଅନ୍ତୁ: କନକବର୍ଦ୍ଧନ

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଚାଷୀ ଭାଇଭଉଣୀଙ୍କ ସରକାର। ସିଏମ୍‍ କିଷାନରେ ଆମ ରାଜ୍ୟର ୫୦ଲକ୍ଷରୁ ଅଧିକ ଚାଷୀ ବର୍ଷକୁ ୪୦୦୦ ଟଙ୍କା ଲେଖାଏ ସହାୟତା ପାଉଛନ୍ତି। ପିଏମ୍‌‍ କିଷାନ ଓ ସିଏମ୍‍ କିଷାନକୁ ମିଶାଇ ଚାଷୀଭାଇଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏ ସହାୟତା ମିଳୁଛି। ଏହାସହ ସମୃଦ୍ଧ କୃଷକ ଯୋଜନାରେ ଆପଣମାନଙ୍କୁ ସରକାର ଧାନ କ୍ୱିଣ୍ଟାଲ୍‌ ପିଛା ଅତିରିକ୍ତ ୮୦୦ ଟଙ୍କା ଇନ୍‌ପୁଟ୍ ସହାୟତା ପ୍ରଦାନ କରୁଛନ୍ତି। ଗତ ବର୍ଷ ଖରିଫରେ ପ୍ରାୟ ୧୭ ଲକ୍ଷ ଚାଷୀଙ୍କୁ ପ୍ରାୟ ୬ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିବାବେଳେ ରବି ଋତୁରେ ମଧ୍ୟ ୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୬୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହା ଆମ ପାଇଁ ଖୁସିର କଥା। ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତି ଚଳିତ ବର୍ଷ ଅପ୍ରେଲରୁ ଜୁଲାଇ ଅବଧି ପାଇଁ ପ୍ରଦାନ କରାଯାଉଛି।  ଏଥିରେ ସମସ୍ତ ଚାଷୀ- ସେ କ୍ଷୁଦ୍ରଚାଷୀ ହୁଅନ୍ତୁ, ବା ମଧ୍ୟମ କିମ୍ୱା ବଡ଼ ଚାଷୀ, ସମସ୍ତଙ୍କୁ ଏହାର ସୁଫଳ ମିଳୁଛି। ସହରାଞ୍ଚଳର ଚାଷୀମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଜିର ଏହି ଦିନକୁ ଆମେ ‘ପିଏମ୍‌ କିଷାନ ଦିବସ’ ଭାବେ ସାରା ଦେଶ ତଥା ରାଜ୍ୟରେ ପାଳନ କରୁଛୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆମ ଦେଶ କୃଷି କ୍ଷେତ୍ରରେ ମଧ୍ୟ ବିକଶିତ ରାଷ୍ଟ୍ରମାନଙ୍କ ସହିତ ଧୀରେ ଧୀରେ ସମକକ୍ଷ ହେଲାଣି। ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍‍ ହେବା, ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନରେ ଆମର ଯୋଗଦାନ ରଖିବା।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ଆଜି ପ୍ରାୟ ୩୫ ଲକ୍ଷ ଚାଷୀଙ୍କୁ ଯେଉଁ ସହାୟତା ମିଳିଲା ସେଥିରେ ସେମାନେ ବିହନ, ସାର କିଣିବେ। ରାଜ୍ୟ ସରକାର କୃଷକଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ଚେଷ୍ଟିତ। ଆମ ସରକାର ଧାନର କ୍ରୟ ମୂଲ୍ୟ ୩୧୦୦ ଟଙ୍କା କରି ଚାଷୀଙ୍କ ଆୟ ବଢ଼ାଇଛି। ଚାଷୀଭାଇମାନେ କେବଳ ଧାନ ଚାଷ ନ କରି ବିଭିନ୍ନ ପ୍ରକାର ତୈଳବୀଜ ଚାଷ କରିବା ସହିତ ମୃତ୍ତିକା ସଂରକ୍ଷଣ ପାଇଁ ବିକଳ୍ପ ଶସ୍ୟ ଉତ୍ପାଦନ କରନ୍ତୁ। ପଇସା କମେଇବା ସହିତ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଜୈବିକ ଉପାୟରେ ଚାଷ କରିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ଆଇସିଏଆର୍‌ର ଡେପୁଟି ଡାଇରେକ୍ଟର ଜେନେରାଲ ଜେ.କେ.ଜେନା,  ଆଇସିଏଆର୍-ସିଫା ନିର୍ଦ୍ଦେଶକ ପି.କେ ସାହୁ, ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ୠତୁରାଜ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।