ନୂଆଦିଲ୍ଲୀ: ଓଡ଼ିଶାର ତିରିଶଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କିସ୍ତି ତୁଳନାରେ ଦ୍ବିତୀୟ କିସ୍ତିରେ ହିତାଧିକାରୀଙ୍କ ସଂଖ୍ୟା କମିଛି। କେନ୍ଦ୍ର କୃଷି ମନ୍ତ୍ରାଳୟ ତଥ୍ୟରୁ ଏହା ଜଣାପଡିଛି। ତଥ୍ୟ ଅନୁସାରେ, ୨୦୨୨-୨୩ର ପିଏମ୍ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡ଼ିଶାର ମୋଟ ୩୦ଟି ଜିଲ୍ଲାରେ ସମୁଦାୟ ୩୩,୧୦,୬୧୯ ହିତାଧିକାରୀଙ୍କ ଖାତାକୁ ଅର୍ଥରାଶି ସ୍ଥାନାନ୍ତର ହୋଇଥିବା ବେଳେ ଦ୍ବିତୀୟ କିସ୍ତିରେ ୨୧,୪୮,୦୦୩ ହିତାଧିକାରୀଙ୍କୁ ଅର୍ଥ ସ୍ଥାନାନ୍ତର ହୋଇଥିଲା। ପ୍ରଥମ କିସ୍ତି ତୁଳନାରେ ଦ୍ବିତୀୟ କିସ୍ତିରେ ୧୧,୬୨,୬୧୨ ଜଣ ହିତାଧିକାରୀ କମିଛନ୍ତି। ହିତାଧିକାରୀଙ୍କ ସଂଖ୍ୟା କାହିଁକି କମିଛି ତାହାର କାରଣ ଜଣାପଡିନାହିଁ।
କେନ୍ଦ୍ର କୃଷି ମନ୍ତ୍ରାଳୟର ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କିସ୍ତିରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ୧୦୪,୫୬୦,୦୨୩ ହିତାଧିକାରୀଙ୍କ ଖାତାକୁ ଅର୍ଥ ସ୍ଥାନାନ୍ତର କରାଯାଇ ଥିବାବେଳେ ଦ୍ବିତୀୟ କିସ୍ତିରେ ୮୪,୭୮୨,୬୧୯ ଜଣଙ୍କୁ ଟଙ୍କା ଦିଆଯାଇଛି। ପ୍ରଥମ କିସ୍ତିରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାର ୨୨୫,୫୨୧,୧୨୦,୦୦୦ ଟଙ୍କା ଟ୍ରାନସଫର କରିଥିବାବେଳେ ଦ୍ବିତୀୟ କିସ୍ତିରେ ୧୭୬,୯୧୩,୩୮୬,୦୦୦ ଟଙ୍କା ଟ୍ରାନସଫର କରିଛନ୍ତି।
ସୂଚନାଯୋଗ୍ୟ, ପିଏମ୍ କିଷାନ ଯୋଜନା ଅଧୀନରେ ପ୍ରତିବର୍ଷ ଯୋଗ୍ୟ ଚାଷୀଙ୍କ ଖାତାକୁ ୩ ଥର ୨୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ସ୍ଥାନାନ୍ତର କରାଯାଇଥାଏ। ଏହାଦ୍ବାରା ବର୍ଷକୁ ହିତାଧିକାରୀମାନେ ମୋଟ ୬୦୦୦ ଟଙ୍କା ପାଇଥାନ୍ତି। ୨୦୧୮-୧୯ରେ ଏହି ସ୍କିମ୍ ଆରମ୍ଭ ହୋଇଥିଲା କିନ୍ତୁ ୨୦୧୮ ଡିସେମ୍ବରରୁ ହିଁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନା ଅର୍ନ୍ତଗତ ୧୨ଶ କିସ୍ତି ରିଲିଜ୍ କରିସାରିଛନ୍ତି।