କଟକ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାରେ ଲାଭ ଉଠାଇବାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ‘ଏପିକେ’ ଫାଇଲକୁ ଏବେ ଅସ୍ତ୍ର କରିଛନ୍ତି ସାଇବର ଅପରାଧୀ। ଏହି ଫାଇଲକୁ ଡାଉନଲୋଡ୍ କରି ନାଁ ପଞ୍ଜୀକରଣ କଲେ ସାଇବର୍ ଅପରାଧୀ ସେହି ଫାଇଲ୍ ମାଧ୍ୟମରେ ହିତାଧିକାରୀଙ୍କ ମୋବାଇଲ୍ ଫୋନ ହ୍ୟାକ୍ କରିନେଉଛନ୍ତି। ସାଇବର୍ ଅପରାଧୀ ହିତାଧିକାରୀଙ୍କ ମୋବାଇଲରେ ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପରେ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେଉଛନ୍ତି। ଏଭଳି ଠକେଇ ଘଟଣା ଏବେ ଚିନ୍ତାର କାରଣ ହୋଇଛି।
ସୂଚନା ଅନୁଯାୟୀ, ଦେଶରେ ପାଖାପାଖି ୯ କୋଟି ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରାଯାଇଛି। ଏବେ ସାଇବର୍ ଅପରାଧୀ ଫେସବୁକ ଓ ହ୍ବାଟସଆପରେ ଏକ ଏପିକେ ଫାଇଲ୍ ଭାଇରାଲ୍ କରୁଛନ୍ତି। ଏହାକୁ କ୍ଲିକ୍ କରି ପିଏମ୍ କିଷାନ ଯୋଜନା ଆପ୍ଲିକେସନ ଡାଉନଲୋଡ୍ କରି ନାଁ ପଞ୍ଜୀକରଣ ପରେ ଅର୍ଥରାଶି ନେବାକୁ ପରାମର୍ଶ ଦିଆଯାଉଛି। ହିତାଧିକାରୀ ଏହାକୁ କ୍ଲିକ୍ କରିବା ପରେ ସାଇବର୍ ଅପରାଧୀଙ୍କ ଏହି ନକଲି ଆପ୍ଲିକେସନ୍ ମୋବାଇଲରେ ଡାଉନଲୋଡ୍ ହୋଇଯାଉଛି। ପରେ ସାଇବର୍ ଅପରାଧୀ ହିତାଧିକାରୀଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ନେଇଯାଉଛନ୍ତି। ଏହାପରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରି ମୋବାଇଲକୁ ଆସୁଥିବା ଓଟିପି ବି ସଂଗ୍ରହ କରିନେଉଛନ୍ତି। ଓଟିପି ପାଇବା ମାତ୍ରକେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉଠାଇ ନେଉଛନ୍ତି।
ସାଇବର୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଯୋଜନାରେ ଲାଭ ଉଠାଇବାକୁ ହେଲେ ହିତାଧିକାରୀ ସିଧାସଳଖ ୱେବସାଇଟ୍ https://pmkisan.gov.in/ କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରୁ ଏହାର ଆପ୍ଲିକେସନ ଡାଉନଲୋଡ୍ କରିବା ଉଚିତ। ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କୌଣସି ଏପିକେ ଫାଇଲ୍ ଡାଉନଲୋଡ୍ କରି ହିତାଧିକାରୀ ଭାବେ ନାଁ ପଞ୍ଜୀକରଣ କରିବାକୁ ଉଦ୍ୟମ କଲେ ଠକେଇର ଶିକାର ହେବାର ଆଶଙ୍କା ରହିଛି। ଯଦି କେହି ସାଇବର୍ ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ସାଇବର ଅପରାଧ ସହାୟତା ନମ୍ବର ୧୯୩୦ କିମ୍ବା https://cybercrime.gov.in/ ରେ ତୁରନ୍ତ ଅଭିଯୋଗ ପଞ୍ଜୀକରଣ କରିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ସଫ୍ଟୱେର ଡେଭଲପରମାନେ ନିଜର ସଫ୍ଟୱେର ଗୁଗୁଲ ପ୍ଲେ’ ଷ୍ଟୋର ମାଧ୍ୟମରେ ବଜାରକୁ ଛାଡ଼ିଲେ ଏଥିପାଇଁ ଦେୟ ଲାଗିଥାଏ। ସେଥିପାଇଁ ଅନେକ ‘ଏପିକେ’ ଫାଇଲ୍ ମାଧ୍ୟମରେ ବଜାରକୁ ଛାଡ଼ିଥାନ୍ତି। ସାଇବର୍ ଅପରାଧୀମାନେ ଏହି ଏପିକେ ଫାଇଲକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହାରି ମାଧ୍ୟମ ବିଭିନ୍ନ ସରକାରୀ ଯୋଜନାରେ ନାଁ ପଞ୍ଜୀକରଣ କରିବା ଆଳରେ ଏପିକେ ଫାଇଲ ଜରିଆରେ ଜାଲ୍ ଆପ୍ଲିକେସନ୍ ଛାଡ଼ି ହିତାଧିକାରୀଙ୍କ ମୋବାଇଲ କ୍ୟାମେରା, ଷ୍ଟୋରେଜ୍, ଏସଏମଏସ ଇତ୍ୟାଦି ନିଜ ନିୟନ୍ତ୍ରଣକୁ ନେଇଯାଉଛନ୍ତି। ସରକାରୀ ଯୋଜନାରେ ନାଁ ପଞ୍ଜୀକରଣ କରିବାକୁ ହେଲେ ଏହି ବ୍ୟବସ୍ଥା ସରକାରୀ ୱେବସାଇଟ୍ କିମ୍ବା ଗୁଗୁଲ ପ୍ଲେ’ ଷ୍ଟୋର ଥାଏ। ଏଭଳି ‘ଏପିକେ’ ଫାଇଲରେ କୌଣସି ସାମାଜିକ ଗଣମାଧ୍ୟମରେ ମିଳି ନଥାଏ। ସାଇବର୍ ଅପରାଧୀଙ୍କ ଏଭଳି କାରନାମା ପ୍ରତି ସତର୍କ ରହିବା ସହିତ ତାହାକୁ ଡାଉନଲୋଡ୍ ନକରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।