ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତ ନେଇ ଭାରତୀୟ ଜନତା ପାର୍ଟିର ତତ୍ପରତା ଦେଖାଯାଇଛି। ମୋଦିଙ୍କ ସଭା ପାଇଁ ଖୋର୍ଦ୍ଧାରେ ଗୋଶାଳା ପଡ଼ିଆ କେମିତି ପ୍ରସ୍ତୁତି ଚାଲିଛି ରବିବାର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଅନୁସୂଚିତ ଜାତି ଓ ଅନୁସୂଚିତ ଜାତି ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଗୋଶାଳା ପଡ଼ିଆ ପହଂଚି ପ୍ରସ୍ତୁତି ସଂପର୍କରେ ବୁଝାସୁଝା କରିଛନ୍ତି। ସେହିପରି ସେମାନେ ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ପାଇଁ କ’ଣ କରାଯାଇଛି, ତାହା ଉଚ୍ଚପଦାଧିକାରୀ (ପ୍ରଶାସନ ଓ ପୁଲିସ)ଙ୍କ ସହିତ ଆଲୋଚନା କରିଛନ୍ତି।
ଓଡ଼ିଶାରେ ୩ ଘଂଟାର ରହଣି ସମୟରେ ମୋଦି ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ନରେନ୍ଦ୍ର ମୋଦି ଦିନ ୧ଟା ୫ମିନିଟରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ୧ଟା ୪୦ମିନିଟ ସମୟରେ ଭୁବନେଶ୍ୱର ଆଇଆଇଟି ଯିବେ । ୧ଟା ୪୦ରୁ ୨ଟା ୨୦ ମିନିଟ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ତା’ପରେ ଖୋର୍ଧା ନାଇଜର ଷ୍ଟାଡିୟମରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଦିନିକିଆ ଓଡିଶା ଗସ୍ତ ବେଳେ ୧୪ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।