ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା: ଘଟଣାସ୍ଥଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, କଟକ ବଡ଼ଡାକ୍ତରଖାନାରେ ଆହତଙ୍କୁ ଭେଟିବେ
ଭୁବନେଶ୍ବର/ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଦୁର୍ଘଟଣା ନେଇ ସାରା ଦେଶ ଅବଗତ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘଟଣାସ୍ଥଳକୁ ଆସୁଛନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ୍ କରି ଏହି ସୂଚନା ଦେଇଛି।
PM Narendra Modi will go to Odisha today. First, he will visit the site of the accident in Balasore and then he will visit the hospital in Cuttack: Sources#BalasoreTrainAccident pic.twitter.com/vzQhN2e5yB
— ANI (@ANI) June 3, 2023
ପ୍ରଧାନମନ୍ତ୍ରୀ ମୋଦୀ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିବେ। ଏଠାରୁ ଏକ ହେଲିକପ୍ଟର ଯୋଗେ ପ୍ରଥମେ ବାଲେଶ୍ବର ଜିଲ୍ଲାର ବାହାନଗାସ୍ଥିତ ଦୁର୍ଘଟଣାସ୍ଥଳକୁ ଯିବେ। ଏହା ପରେ ସେଠାରୁ ସେ କଟକ ବଡ଼ଡାକ୍ତରଖାନା ଗସ୍ତ କରି ଆହତମାନଙ୍କୁ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରେନ୍ ଦୁର୍ଘଟଣା ନେଇ ସମୀକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ତେବେ ମୋଦୀଙ୍କ ଅଚାନକ ଓଡ଼ିଶା ଗସ୍ତ ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳ ଓ ଗୁରୁତରମାନଙ୍କୁ ଭେଟିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳୁ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲା ପରେ ସେଠାରେ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆହତଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିବା ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଘଟଣାରେ ଏପର୍ଯ୍ୟନ୍ତ ୨୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପ୍ରାୟ ୭୦୦ ଲୋକଙ୍କର ଚିକିତ୍ସା ଜାରି ରହିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ଆହୁରି ୩ ଘଣ୍ଟା ଲାଗିପାରେ। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଇଛି।