ପାରଳାଖେମୁଣ୍ଡି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଜପତି ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ପ୍ରଶାସନ ଶିକ୍ଷାର ବିକାଶ ପାଇଁ ନେଇଥିବା ପଦକ୍ଷେପକୁ ଏହି ପ୍ରଶଂସା ମିଳିଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତାକୁ ନିତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।
ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ମୋ ସ୍କୁଲ କାର୍ଯ୍ୟକ୍ରମରେ ‘ଟିଚ୍ ଗଜପତି’ ଆରମ୍ଭ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡାକ୍ତର, ଇଞ୍ଜିନିୟର, ବ୍ୟାଙ୍କ, ପ୍ରାଶାସନିକ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀ ସ୍ବେଚ୍ଛାକୃତ ଭାବରେ ଶିକ୍ଷାଦାନ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଉପାନ୍ତ ଅଞ୍ଚଳରେ ଥିବା ଶିକ୍ଷକ ଅଭାବକୁ ଦୂର କରିବା ପାଇଁ ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରୟାସ ଆରମ୍ଭ କରିଥିଲେ। ଯାହା ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରୟୋଗ ଥିଲା ଏବଂ ଏହା ସଫଳ ମଧ୍ୟ ହୋଇଥିଲା।
ସୂଚନାଯୋଗ୍ୟ, ଗଜପତି ଜିଲ୍ଲାପାଳ ଭାବେ ଅନୁପମ ସାହା ଦାୟିତ୍ୱ ଗ୍ରହଣ କରିବା ପରେ ଗତ ୨୯ ଜୁନ ୨୦୧୮ ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଥମେ ଜିଲ୍ଲାପାଳ ନିଜେ ପାରଳାଖେମୁଣ୍ଡି ମହେନ୍ଦ୍ରଗିରି ହାଇସ୍କୁଲରେ ଶିକ୍ଷାଦାନ କରି ଏହାର ଶୁଭାରମ୍ଭ କରିଥିଲେ। ଯାହା ସାରା ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରିଥିଲା। ଏହା ଭିତରେ ଗୋଟିଏ ବର୍ଷ ବିତିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୫୩ଟି ବିଦ୍ୟାଳୟର ୩୧୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ପ୍ରାୟ ୫୭୨ ଶ୍ରେଣୀରେ ଶିକ୍ଷାଦାନ କରି ପରୀକ୍ଷା ମଧ୍ୟ କରାଯାଇଛି। ଯାହାର ସଫଳ ରୂପାୟନର ସମୀକ୍ଷା ପାଇଁ ପୂର୍ବରୁ କେନ୍ଦ୍ର ଶିକ୍ଷା ବିଭାଗର ଏକ ଦଳ ଗଜପତି ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/pmo-4-1529245874.jpg)