ଭୁବନେଶ୍ବର: ଓଡ଼ିଶା ପାଇଁ ଆଜି ଐତିହାସିକ ଦିନ। ଏଥି ପାଇଁ ରାଜ୍ୟର ଭାଇ ଓ ଭଉଣୀମାନେ ଆଶୀର୍ବାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିଛି। ଏହି ଅବସରରେ ମୁଁ ଭୁବନେଶ୍ବରରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା କନକବର୍ନ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଉଛି। ଶପଥ ଗ୍ରହଣ କରିଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ମୁଁ ଦୃଢ଼ତାର ସହିତ କହିବି ଏହି ଟିମ୍ ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେବେ। ତୃଣମୂଳ ସ୍ତରର ଲୋକଙ୍କର ଜୀବନ ଉନ୍ନତିରେ ସହାୟକ ହେବେ।
ସୂଚନାଯୋଗ୍ୟ, ଓଡ଼ିଶାରେ ବିଜେପି ସରକାର ଗଢ଼ିଛି। ଓଡ଼ିଶା ବିଧାନସଭା-୨୦୨୪ରେ ବିଜେପି ୭୮ଟି ଆସନରେ ବିଜୟୀ ହୋଇଛି। ଆଜି ସ୍ଥାନୀୟ ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ, ୨ ଜଣ ଉପମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିତିନ ଗଡ଼କରୀ, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ମାଝୀ, ନବନିର୍ବାଚିତ ସାଂସଦ ଓ ବିଧାୟକ, ରାଜ୍ୟ ବିଜେପି ସଭାପତି, ନେତା, କର୍ମୀ ଓ ଜନତା ପ୍ରମୁଖ ଉପସ୍ଥିତ ଥିଲେ।