ପ୍ରବାସୀଙ୍କ ପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି କରୁ କେନ୍ଦ୍ର
ଅଧିକ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା ଲାଗି ଦାବି
୯ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

Advertisment

ଭୁବନେଶ୍ବର : ମେ’ ୩ ତାରିଖ ପରେ ଲକ୍‌ଡାଉନ୍ ଅବଧି ବଢ଼ିବ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଏଭଳି ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ଆଗକୁ ଲକ୍‌ଡାଉନ ଉପରେ କଣ ପଦକ୍ଷେପ ନେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କେତେକ ପ୍ରସଙ୍ଗ ଉଠାଇଛନ୍ତି। ଓଡ଼ିଶା ବାହାରେ ଥିବା ପ୍ରାୟ ୪ଲକ୍ଷରୁ ଅଧିକ ଲୋକ ଏବେ ଫେରିବା ପାଇଁ ଆଗ୍ରହ ଦେଖାଇଛନ୍ତି। ପଞ୍ଜୀକରଣ କରିସାରିଲେଣି। ହେଲେ ଏତେ ସଂଖ୍ୟକ ଲୋକ କିଭଳି ଫେରିବେ, ତାହା ଏବେ ଚ୍ୟାଲେଞ୍ଜ ହୋଇଛି। କାରଣ କେଉଁ ରାଜ୍ୟ କିଭଳି ଢଙ୍ଗରେ ଲୋକଙ୍କୁ ପଠାଇବେ, ଅନ୍ୟ ରାଜ୍ୟରୁ ଲୋକମାନେ କେଉଁଥିରେ ଫେରିବେ, ବସ୍, ଟ୍ରେନ୍ ନା ବିମାନ, ସର୍ବୋପରି ଫେରିବା ବେଳେ କି କି ନିୟମ ସେମାନଙ୍କୁ ମାନିବାକୁ ପଡ଼ିବ ସେ ସଂପର୍କରେ କେନ୍ଦ୍ର ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ବା ଏସ୍‌ଓପି ଜାରି କରିବା ଦରକାର। କେବଳ ସେତିକି ନୁହେଁ, ଲୋକମାନେ ବସ କିମ୍ବା ଟ୍ରେନ୍‌ରେ େଫରିବା ବେଳେ ସେମାନେ ବାଟରେ କିଭଳି ଖାଇବେ, କେଉଁଠାରେ ସେମାନଙ୍କର ଟେଷ୍ଟ ହେବ ଏଭଳି ଅନେକ କଥା ରହିଛି। ଯଦି କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ ନ କରିବେ, ତେବେ କୌଣସି ରାଜ୍ୟ ଭିତରେ ଏ ସଂକ୍ରାନ୍ତରେ ସମନ୍ବୟ ରହିପାରିବ ନାହିଁ। ଏଣୁ କେନ୍ଦ୍ର ସରକାର ଏ କ୍ଷେତ୍ରରେ ହସ୍ତକ୍ଷେପ କରିବା ଦରକାର ଯାହାଦ୍ବାରା ରାଜ୍ୟର କୌଣସି ଲୋକ ଫେରିବା ବେଳେ ଆଦୌ ସମସ୍ୟାେର ନ ପଡ଼ନ୍ତି ବା ଏହି ପ୍ରକ୍ରିୟାରେ ସଂକ୍ରମଣ ନ ବଢ଼େ।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ଯେ ଅଧିକ ସଂଖ୍ୟକ ନମୁନା ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଉ। ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଲୋକ ଆସିବେ। ଏଥିପାଇଁ ଏହା ଅପରିହାର୍ଯ୍ୟ। ଓଡ଼ିଶାକୁ ଯେଉଁମାନେ ଫେରୁଛନ୍ତି, ସେସବୁ ରାଜ୍ୟରେ ସଂକ୍ରମଣ ଅଧିକ ରହିଛି। ଏଣୁ ସେମାନଙ୍କର ଯଦି ସ୍ବାବ୍ ଟେଷ୍ଟ କରାନଯିବ ତେବେ ସଂକ୍ରମିତ ବ୍ୟକ୍ତି ସଙ୍ଗରୋଧ କେନ୍ଦ୍ରରେ ଅନ୍ୟମାନଙ୍କୁ ଭୂତାଣୁ ବାଣ୍ଟିଚାଲିବେ ଓ ସ୍ଥିତି ଅଣାୟତ୍ତ ହୋଇଯାଇପାରେ। ରାଜ୍ୟରେ ବର୍ତମାନ ହାରାହାରି ୨୦୦୦ ନମୁନା ପରୀକ୍ଷା ହେଉଥିବା ବେଳେ ମେ’ ମାସରେ ଯଦି ୨ଲକ୍ଷ ଲୋକ ଆସନ୍ତି, ତେବେ ଏହି ସଂଖ୍ୟାକୁ କେତେ ଗୁଣ ବଢାଇବାକୁ ପଡ଼ିବ।

ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମରେ ମଧ୍ୟ ନବୀନ ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସଂପର୍କରେ ଅନେକ ତଥ୍ୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଓଡ଼ିଶା ସମେତ କିଛି ରାଜ୍ୟ ତାଲାବନ୍ଦ ବଢିବା ପ୍ରସଙ୍ଗରେ କିଛି ଅତିରିକ୍ତ ସର୍ତ୍ତ କଥା ଠାରିଛନ୍ତି। କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ସହିତ ସାଧାରଣ ସଭା, ଧାର୍ମିକ କାର୍ଯ୍ୟକ୍ରମ ଆଦି ନିଶ୍ଚିତ ଭାବେ ବନ୍ଦ ରହିବା ଦରକାର। ସେହିଭଳି ଯେହେତୁ କରୋନାର ମୁକାବିଲା କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କରୁଛନ୍ତି, ଏଣୁ ରାଜ୍ୟର ଅର୍ଥନୀତିରେ କିଭଳି ସୁଧାର ଆସିବ ସେ ନେଇ କେନ୍ଦ୍ର ସରକାର ଦାୟିତ୍ବ ନେବା ଆବଶ୍ୟକ। ଏଭଳି ସଙ୍ଗିନ୍ ସମୟରେ ଅର୍ଥନୀତିରେ ପରିବର୍ତନ ଲାଗି ନିତି ଆୟୋଗ ସ୍ବତନ୍ତ୍ର ପ୍ରସ୍ତାବ ଧରି ସାମ୍ନାକୁ ଆସିବା ଦରକାର।

ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂରେ ଓଡ଼ିଶା ସମେତ ମେଘାଳୟ, ମିଜୋରାମ, ପୁଡୁଚେରି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଗୁଜରାଟ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ତେବେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଅନ୍ୟପଟେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଥିଲେ ଯେ ଲକ୍‌ଡାଉନ୍ ବଢିବ କି ନାହିଁ, ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ହେଲେ ବାହାର ରାଜ୍ୟରୁ ଆସୁଥିବା ଓଡିଆଙ୍କୁ ସେହି ରାଜ୍ୟରେ କରୋନା ପରୀକ୍ଷା କରାଯିବା ଦରକାର। ଏ ସଂକ୍ରାନ୍ତରେ ଏକ ପ୍ରମାଣପତ୍ର ମଧ୍ୟ ସେମାନଙ୍କୁ ଦିଆଯିବା ଉଚିତ୍।