‘ସଂକ୍ରମଣ ରୋକିବାରେ ସଚେତନତା ସୃଷ୍ଟି କରୁ ଗଣମାଧ୍ୟମ’, ଖବରକାଗଜ ସମ୍ପାଦକଙ୍କ ସହ ଆଲୋଚନା କଲେ ମୋଦୀ

ସୌମ୍ୟରଂଜନଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ଛାପା ଗଣମାଧ୍ୟମ ସମ୍ପାଦକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏଥିରେ ଦେଶର ୧୪ଟି ସ୍ଥାନରୁ ଉଭୟ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମର ସମ୍ପାଦକମାନେ ଯୋଗ ଦେଇଥିଲେ। ଓଡିଶାରୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ ଓ ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର କୋଣ ଅନୁକୋଣରେ ଗୁରୁତ୍ବପୂର୍ଣ୍ଣ ସୂଚନା ପହଞ୍ଚାଇବାରେ ଗଣମାଧ୍ୟମ ପ୍ରଶଂସାଯୋଗ୍ୟ ଭୂମିକା ତୁଲାଉଛି। କରୋନା ସଂକ୍ରମଣ ରୋକିବା ନେଇ ତୃଣମୂଳସ୍ତରର ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚାଇ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଭୂମିକା ପ୍ରଶଂସନୀୟ। ଖବର କାଗଜଗୁଡିକ ସୂଚନା ପ୍ରସାରଣର ନିର୍ଭରଯୋଗ୍ୟ ମାଧ୍ୟମ। ଆଞ୍ଚଳିକ ଖବର କାଗଜଗୁଡ଼ିକୁ ତୃଣମୂଳ ସ୍ତରରେ ସହଜରେ ପହଞ୍ଚିଥାଏ। କରୋନା ସଂକ୍ରମଣ ରୋକିବା ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଯେପରିକି, କେଉଁଠାରେ ଭୂତାଣୁ ସଂକ୍ରମିତଙ୍କ ପରୀକ୍ଷା କରାଯିବ, କାହାକୁ ପରୀକ୍ଷା କରାଯିବ, ପରୀକ୍ଷା ପାଇଁ କାହାକୁ ଯୋଗାଯୋଗ କରାଯିବ ଓ ଗୃହ ସଙ୍ଗରୋଧର ନିୟମାବଳୀ ଏବଂ ବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ନେଇ ଖବର ଆଞ୍ଚଳିକ ପୃଷ୍ଠାରେ ସ୍ଥାନ ପାଇବା ଉଚିତ ବୋଲି ଏହି ସମ୍ପାଦକମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭୂତାଣୁ ସଂକ୍ରମଣ ରୋକିବା, ସାମାଜିକ ଦୂରତ୍ବର ଭୂମିକା ଏବଂ ବିଭିନ୍ନ ରାଜ୍ୟମାନେ ଘୋଷଣା କରିଥିବା ବନ୍ଦ ସମ୍ପର୍କିତ ମାର୍ଗଦର୍ଶିକା ଉପରେ ଏହି ଖବରକାଗଜ ସଚେତନତା ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ। ମିଥ୍ୟା ଓ ନକାରାତ୍ମକବାଦୀ ସୂଚନା ପ୍ରସାରଣ ଠାରୁ ସଂସ୍ଥା ଦୂରେଇ ରହିବା ଜରୁରୀ। କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଭୂତାଣୁ ସଂକ୍ରମଣ ରୋକିବା ଅଭିଯାନର ସଫଳ ନେତୃତ୍ବ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଗଣମାଧ୍ୟମ ସମ୍ପାଦକମାନେ ପ୍ରଶଂସା କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ପ୍ରେରଣାଦାୟୀ ଓ ସକାରାତ୍ମକ ଖବର ପରିବେଷଣ କରିବେ ବୋଲି କହିଥିଲେ। ଛାପା ଗଣମାଧ୍ୟମର ପ୍ରତିଶ୍ରୁତିବଦ୍ଧତା ଉପରେ ଆସ୍ଥା ପ୍ରକଟ କରିଥିବାରୁ ସମ୍ପାଦକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ମତ ବିନିମୟ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ।

ସୌମ୍ୟରଂଜନଙ୍କୁ ଫୋନ୍‌ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ଏହି ଆଲୋଚନା ବେଳେ ସମୟ ଅଭାବରୁ ଯେଉଁ ସମ୍ପାଦକମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ ସମ୍ଭବ ହୋଇ ନଥିଲା, ସେମାନଙ୍କ ସହ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିବା ଜଣାଯାଇଛି। ଏହି କ୍ରମରେ ଶ୍ରୀ ମୋଦୀ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଫୋନ୍‌ କରି ‘କରୋନା’ ସଚେତନତା ପ୍ରସାରରେ ‘ସମ୍ବାଦ’ର ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ। ସେହିପରି ଏପରି ଏକ ଜାତୀୟ ବିପତ୍ତି ମୁକାବିଲା କରିବାରେ ଗଣମାଧ୍ୟମ ଉପରେ ପ୍ରଧାନମନ୍ତ୍ରୀ ‌ଭରସା କରିଥିବାରୁ ଶ୍ରୀ ପଟ୍ଟନାୟକ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ରାଷ୍ଟ୍ରକୁ ବଞ୍ଚାଇବାର ଏକ ବିରାଟ ବଡ଼ ପରୀକ୍ଷାର ଆମେ ସମ୍ମୁଖୀନ ହୋଇଛେ। ଯଦି ସମସ୍ତେ ଏକାଠି ମିଶି କାମ କରିବେ ଭାରତ ଏପରି ଦୁଃସ୍ଥିତିରୁ ମୁକୁଳି ପାରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଏକମତ ହୋଇଥିଲେ। ଆଗକୁ ଦେଶ ଗମ୍ଭୀର ଆର୍ଥିକ ଦୁଃସ୍ଥିତି ଭୋଗିବାକୁ ଯାଉଥିବାରୁ ଏବେଠାରୁ ସେ ନେଇ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଲକ୍‌ ଆଉଟ୍‌ ସମୟରେ ଖଟିଖିଆ, ଦିନମଜୁରିଆଙ୍କ ପାଇଁ ଯେଉଁ ସମସ୍ୟା ଆସିବ ସେ ନେଇ ମଧ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦିଷ୍ଟ ଭାବେ କିଛି ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସେହିପରି ଖବର କାଗଜ ଛପା ହେଲେ ମଧ୍ୟ ତାକୁ ହକରମାନେ ବାଣ୍ଟିବାରେ ସମସ୍ୟା ସୃ‌ଷ୍ଟି ହୋଇଥିବା ନେଇ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାରୁ ସେ ଏହି ସମସ୍ୟା କିଛି ଦିନ ପରେ ଦୂର ହୋଇଯିବା ନେଇ ଶ୍ରୀ ମୋଦୀ ଆଶା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର