ବାହାନଗାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ; ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିବେ, ରୋଗୀଙ୍କୁ ଭେଟିବେ

ଭୁବନେଶ୍ବର/ବ‌ାଲେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାନଗ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ନଆସି ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାର‌ ଫୋର୍ସ ଷ୍ଟେସନ୍‌ରେ ପହଞ୍ଚିଥିଲେ। ସେଠାରୁ ସେ ଏକ ବାୟୁସେନାର ହେଲିକପ୍ଟର ଯୋଗେ ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ଘଟିଥିବା ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଡାକ୍ତରଖାନାରେ ଆହତଙ୍କୁ ଭେଟିବେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂର୍ବାହ୍‌ଣରେ ଟ୍ରେନ୍‌ ଦୁର୍ଘଟଣା ନେଇ ସମୀକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ। ଏହି ବୈଠକ‌ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୋଦୀଙ୍କ ଅଚାନକ ଓଡ଼ିଶା ଗସ୍ତ ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଗୁରୁତରମାନଙ୍କୁ ଭେଟିଥିଲେ।

Image Courtesy of NDTV

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚି ଥିଲା ବେଳେ ଆହୁରି ୭୦୦ ଆହତଙ୍କର ଚିକିତ୍ସା ବାଲେଶ୍ବର ଓ କଟକ ସମେତ ଅନ୍ୟ ଡାକ୍ତରଖାନାରେ ଜାରି ରହିଛି। ସେମାନଙ୍କର ମଧ୍ୟରୁ ଶତାଧିକ ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି।

ସମ୍ବନ୍ଧିତ ଖବର