୧୫ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେଲା ଭୁବନେଶ୍ବର ଆଇଆଇଟି
ଓଡିଶାରେ ଖୋଲିବ ୧୧୫୦ଟି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର
ଜଗଦୀଶପୁର-ଧାମରା ଗ୍ୟାସ ପାଇପ ଲାଇନ ଯୋଗୁଁ ଓଡିଶାର ୫ ଜିଲ୍ଲା ଉପକୃତ
୧୦ ହଜାର କିମି ସଡକ ନେଟୱାର୍କ ନିର୍ମାଣ ପାଇଁ ଲକ୍ଷ୍ୟ
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ମିଳୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସ˚କଳ୍ପବଦ୍ଧ। ଯେଉଁଥିପାଇଁ ଆଜି ରାଜ୍ୟର ୧୪ ହଜାର ୫୨୩ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବା ସହ କେତେକ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ, ଗ୍ୟାସ ଯୋଗାଣ, ସଡକ ଓ ସା˚ସ୍କୃତିକ ଐତିହ୍ୟ ପରିଯୋଜନା ରାଜ୍ୟର ପ୍ରଗତିକୁ ସୁଗମ କରିବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂଆ ଭାରତ ସୃଷ୍ଟିରେ ଓଡ଼ିଶା ଇଞ୍ଜିନ୍‌ ପାଲଟିବ। ଏହି ବିକାଶ ପ୍ରକ୍ରିୟାରେ ରାଜ୍ୟବାସୀ ସକ୍ରିୟ ଯୋଗଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ‌ଦେଇଛନ୍ତି।

ଆଇଆଇଟି ଭୁବନେଶ୍ବରର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ଆଇଆଇଟିର ଉନ୍ନତି ପାଇଁ ବର୍ତମାନ ସୁଦ୍ଧା ପ୍ରାୟ ୧୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଓଡିଶା ସମେତ ପୂର୍ବ ଭାରତର ବିକାଶକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି। ପୂର୍ବ ଭାରତକୁ ଦକ୍ଷିଣ ଏସିଆର ପ୍ରବେଶ ଦ୍ବାର ରୂପେ ଗଢ଼ି ତୋଳିବା ଲାଗି ଉଦ୍ୟମ ହେଉଛି। ଏଦିଗରେ ଆଇଆଇଟି ଭଳି ପ୍ରତିଷ୍ଠାନ ଓଡିଶାର ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଉପଯୋଗ ଦିଗରେ ଉଚ୍ଚତର ଗବେଷଣା କରିବ ଓ ଯୁବଛାତ୍ର ଗୋଷ୍ଠୀକୁ ନବସୃଜନ ଦିଗରେ ଅନୁପ୍ରାଣିତ କରିବ। ଆଇଆଇଟି ଦ୍ବାରା ନୂଆ ଉଦ୍ୟମୀ ଓ ଷ୍ଟାର୍ଟଅପ ସୃଷ୍ଟି ହୋଇପାରିବ। ଆଇଆଇଟି, ନାଇଜର ଓ ଆଇଜର ପରି ଶିକ୍ଷାନୁଷ୍ଠାନ ଅଧୁନିକ ଜ୍ଞାନକୌଶଳ ଉଦ୍‌ଭାବନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

‌ସେ ଆହୁରି କହିଲେ, ଭୁବନେଶ୍ବରରେ ଥିବା ଇଏସଆଇ ହସ୍ପିଟାଲକୁ ଶହେ ଶଯ୍ୟା ବିଶିଷ୍ଟ କରାଯାଇଛି। ଏବେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ଆସନ୍ତା ଗୋଟିଏ କିମ୍ବା ଦୁଇ ବର୍ଷରେ ଓଡିଶାରେ ୧୧୫୦ଟି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିବ। ରାଜ୍ୟର ଦୁର୍ଗମ ଅଞ୍ଚଳକୁ ବ୍ୟାପକ ସଡକ ନେଟୱାର୍କ ହେଉଛି। ପ୍ରାୟ ୪୫୦୦ କୋଟି ଟଙ୍କାର ସଡ଼କ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। କେନ୍ଦ୍ର ସରକାର ଓଡିଶାରେ ୧୦ ହଜାର କିଲୋମିଟର ସଡ଼କ ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡିଶାରେ ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗର ଉଜ୍ବଳ ଭବିଷ୍ୟତ ରହିଛି। ଶିଳାନ୍ୟାସ ହୋଇଥିବା ପାରାଦୀପ-ହାଇଦ୍ରାବାଦ ପାଇପ୍‌ ଲାଇନ ବ୍ରହ୍ମପୁର, ବିଶାଖାପାଟଣା, ବିଜୟୱାଡା, ରାଜମହେନ୍ଦ୍ରୀ ଦେଇ ହାଇଦ୍ରାବାଦରେ ପହଞ୍ଚିବ। ଏହାଦ୍ବାରା ଲୋକେ ସୁବିଧାରେ ପେଟ୍ରୋଲ, ଡିଜେଲ ଓ କିରୋସିନ ପାଇପାରି‌ବେ। ପେଟ୍ରୋଲିୟମ ଶିଳ୍ପର ପ୍ରମୁଖ ହବ୍‌ ହେବାକୁ ଯାଉଥିବା ଓଡ଼ିଶାରେ ପାରାଦୀପ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ଉତ୍ତର ପ୍ରଦେଶରୁ ଓଡିଶା ପର୍ଯ୍ୟନ୍ତ ପାଇପ ଲାଇନ ଟଣା ଯାଉଛି। ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ସେକ୍ସନ ଅନ୍ତର୍ଗତ ବୋକାରୋ-ଅନୁଗୁଳ ସେକ୍ସନ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ଦ୍ବାରା ଓଡିଶାର ୫ ଓ ଝାଡଖଣ୍ତର ୬ଟି ଜିଲ୍ଲା ଉପକୃତ ହେବେ।

ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହର ନାୟକ ବକ୍ସି ଜଗବନ୍ଧୁଙ୍କ ଅବଦାନକୁ ସ୍ମରଣ କରିବା ସହ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ଏକ ଡାକ ଟିକଟ ଓ ସ୍ବତନ୍ତ୍ର ସ୍ମାରକୀ ମୁଦ୍ରାକୁ ଉନ୍ମୋଚନ କରିଥିଲେ। ଏଥିସହ ଉତ୍କଳ ବିଶ୍ବବିଦ୍ୟାଳୟରେ ଏକ ସ୍ବତନ୍ତ୍ର ଚେୟାର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଏହି ଚେୟାର ମାଧ୍ୟମରେ ରାଷ୍ଟ୍ରବାଦୀ ଆନ୍ଦୋଳନ ଓ ଓଡିଶାର ଆଦିବାସୀମାନଙ୍କ ସାମାଜିକ-ଆର୍ଥିକ ପରିବର୍ତନ ଉପରେ ଗବେଷଣା କରାଯିବ। ସେହିପରି ୯.୫ କୋଟି ଟଙ୍କା ବ୍ୟୟରେ ଲଳିତଗିରିରେ ପ୍ରତ୍ନତତ୍ତ୍ବ ସ˚ଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଚଣ୍ତିଖୋଲ-ଭଦ୍ରକ ସେକ୍ସନକୁ ୬ ଲେନ କରିବା, ଖଣ୍ତଗିରି ଫ୍ଲାଏଓଭର ବ୍ରିଜ୍‌, କଟକ-ଅନୁଗୁଳ ସେକ୍ସନର ୪ ଲେନ କାର୍ଯ୍ୟ ଓ ଟାଙ୍ଗି-ପୁଇଁତଳା ସେକ୍ସନର ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକ ବିଦ୍ରୋହର ସ୍ମରଣ କରିଥିଲେ। କହିଲେ ବୀର ମାଟି ଖୋର୍ଧାର ସ୍ବାଭିମାନ ପାଇଁ ତାଙ୍କ ଲଢ଼େଇର ତୁଳନା ନାହିଁ। ବକ୍ସିଙ୍କ ସ୍ମୃତିରେ ରାଜ୍ୟ ସରକାର ବସୁଧା ପାଇପ ଜଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପାଇକ ବିଦ୍ରୋହ କେବଳ ଓଡ଼ିଶା ନୁହେଁ, ବ୍ରିଟିସ୍ ଶାସନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ତେଣୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣିଥରେ ଦାବି କରୁଛି। ଏହା ହିଁ ହେବ ବକ୍ସିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଖୁସିର କଥା ପାଇକ ବିଦ୍ରୋହ ସ୍ମୃତିରେ କେନ୍ଦ୍ର ସରକାର ବରୁଣେଇଠାରେ ଏକ ସ୍ମାରକୀ କରିବାକୁ ସ୍ଥିର କରିଛନ୍ତି। ପ୍ରସ୍ତାବକୁ ସ୍ବାଗତ କରୁଛି। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ସହ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣରେ କହିଲେ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ପାଇକମାନଙ୍କ ଦ୍ବାରା ପ୍ରକୃତ ମୁକ୍ତି ସ˚ଗ୍ରାମ ବରୁଣେଇ ପାହାଡ ପାଖରୁ ଆରମ୍ଭ ହୋଇଥିଲା। ଏହି ସ୍ମାରକୀର ୨୦୦ ବର୍ଷ ପୂର୍ତି ପାଳନ କରାଯାଉଛି। ଏହି ମାଟିରୁ ଓଡିଶା ବିକାଶର ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାର ୪ର୍ଥ ଶିଳ୍ପ ବିପ୍ଳବରୁ ପଞ୍ଚମ ପିଢ଼ି ଆଡକୁ ଅଗ୍ରସର ହେଉଛନ୍ତି। ଆଇଆଇଟି ଭୁବନେଶ୍ବର ଜ୍ଞାନ ଓ ଗବେଷଣାର ନୂତନ କେନ୍ଦ୍ର ହେବାକୁ ଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର