୧୬ରେ ମୋଦୀଙ୍କ ଜନସମାବେଶ ଓ ରୋଡ୍‌ ସୋ’

ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍‌ ଫୋର୍ସ, ୩ ଶହ ଅଫିସର

ଭୁବନେଶ୍ବର : ବରମୁଣ୍ଡା ପଡ଼ିଆରେ ୧୬ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’ କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିର ରଖି କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ହଜାର ହଜାର ଲୋକଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଏହି ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବାକୁ ପୁଲିସ ସମସ୍ତ ପ୍ରକାର ବ୍ୟବସ୍ଥା ଆପଣାଇଛି। ପାଖାପାଖି ୭୦ ପ୍ଲାଟୁନ୍‌ ଫୋର୍ସ, ୩ ଶହ ଅଫିସର ଓ ୪ ଡିସିପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯିବାର ଯୋଜନା କରାଯାଇଛି।

ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ ସାହୁଙ୍କ ସମେତ ଟ୍ରାଫିକ ଡିସିପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ଉପରେ ସମୀକ୍ଷା କରିଛନ୍ତି।

ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇବା ପରେ ସ୍ବତନ୍ତ୍ର କାର୍‌ରେ ସଡ଼କପଥରେ ବରମୁଣ୍ଡା ପଡ଼ିଆ ଆସିବେ। ଏଥିପାଇଁ ୩ଟି ରାସ୍ତାକୁ ପୁଲିସ ନିଜ ନିୟନ୍ତ୍ରଣକୁ ନେଇଛି। ସେଗୁଡ଼ିକ ହେଲା ଓୟୁଏଟି ରୋଡ୍‌, କାର୍ଗିଲ ବସ୍ତି‌ରୋଡ୍‌ ଏବଂ ଫାୟାରଷ୍ଟେସନ୍‌ ରୋଡ୍‌। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗରେ ଆଡ୍‌ଭାନ୍ସ ପାଇଲଟ୍‌, ତା’ ପଛକୁ ଟେକ୍‌ନିକାଲ୍‌ କାର(ଯେଉଁଥିରେ ଏସ୍‌ପିଜି, ଜାମର୍‌ ଓ ବମ୍‌ ଡିସପୋଜାଲ୍‌ ସ୍କ୍ବାଡ୍‌ ରହିବ), ଏହା ପରେ ପାଇଲଟ୍‌, ଭିଆଇପି, ଭିଭିଆଇପି କାର‌୍‌, ଏସକର୍ଟ-୧, ଏସକର୍ଟ-୨, ଏସକର୍ଟ-୩, ସ୍ପେୟାର କାର‌୍‌, ଏହା ପଛକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଅନୁଯାୟୀ ଗାଡ଼ି, ଏହା ପଛକୁ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ରହିବ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ବିମାନବନ୍ଦରଠାରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ୪ ଜଣ ଏସ୍‌ପିଜି ଆଇଜି ସୁରକ୍ଷା ଦାୟିତ୍ବରେ ରହିବେ। ପ୍ରଧାନମନ୍ତ୍ରୀଙ୍କ ରୁଟ୍‌ଲାଇନ୍‌ରେ ମଧୢ ଜଣେ ଏସ୍‌ପିଜି ଆଇଜି ରହିବେ। ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ବାହ୍ୟ ସୁରକ୍ଷା ଦେବା ପାଇଁ କମିସନରେଟ୍‌ ପୁଲିସ ଛଡ଼ା ୨ କମ୍ପାନି ସଶସ୍ତ୍ର ସିଆର୍‌ପିଏଫ୍‌, ୫ ୟୁନିଟ-ଏସ୍‌ଓଜି ଯବାନ ମୁତୟନ ରହିବେ। ରାଜ୍ୟର ପାଖାପାଖି ୨୦ ଜଣ ବଛା ବଛା ଆଇପିଏସ୍‌ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିବେ। ପ୍ରଧାନମନ୍ତ୍ରୀ ଯେଉଁ ସବୁ ରାସ୍ତାରେ ଯିବେ ସେହି ରାସ୍ତାକୁ ସ˚ଯୋଗ କରୁଥିବା ଅନ୍ୟ ରାସ୍ତାକୁ ପ୍ରାୟ ଅଧ ଘଣ୍ଟା ପୂର୍ବରୁ ସିଲ୍‌ କରି ଦିଆଯିବ। ସଭାସ୍ଥଳରେ ମଧୢ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଲାଗି ରହିଥିବା ଉଚ୍ଚ ଅଟ୍ଟାଳିକା ଉପରେ ସଶସ୍ତ୍ର ପୁଲିସ ମୁତୟନ ହେବେ। ସଭା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମେଟାଲ ଡିଟେକ୍ଟର୍‌ରେ ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ। ସଭାସ୍ଥଳର ୫୦ ମିଟର ସମ୍ମୁଖ ଭାଗକୁ ନୋ-ମ୍ୟାନ ଲ୍ୟାଣ୍ତ୍‌ ଭାବେ ଘୋଷଣା କରାଯିବ। ଅନ୍ୟପକ୍ଷରେ ଆଜିଠାରୁ ଭୁବନେଶ୍ବରରେ ଥିବା ସମସ୍ତେ ଗେଷ୍ଟ ହାଉସ, ହୋଟେଲ, ଲଜ୍‌ରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ବିଳମ୍ବିତ ରାତିରେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ଲକି˚ ହେବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର