ତାଳଚେର ସାର କାରଖାନାର ଶିଳାନ୍ୟାସ : ୩୬ ମାସରେ କାମ ସରିବ, ଉଦ୍‌ଘାଟନ ପାଇଁ ଆସିବି – ମୋଦୀ

ଉତ୍ପାଦିତ ୟୁରିଆର ୫୦% ଓଡ଼ିଶା ଚାଷୀଙ୍କୁ ଦିଆଯାଉ: ନବୀନ

ଭୁବନେଶ୍ୱର/ଅନୁଗୁଳ : ବହୁପ୍ରତୀକ୍ଷିତ ତାଳଚେର ସାର କାରଖାନାର ପୁନରୁଦ୍ଧାର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗରେ କୋଇଲାରୁ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ ଓ ସେହି ବାଷ୍ପକୁ ବ୍ୟବହାର କରି ରସାୟନିକ ସାର ପ୍ରସ୍ତୁତ ହେବ। ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ ଟନ୍‌ ୟୁରିଆ ଉତ୍ପାଦନ ହୋଇପାରିବ। ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ୩୬ ମାସରେ କାରଖାନାର କାମ ସରିବ। ଆଉ ମୁଁ ପୁଣି ଏଠାକୁ ଆସିବି ଓ କାରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବି।

ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସମୀକ୍ଷା କରି ଦେଖିଲେ ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧପନ୍ତରିଆ ଅଥବା ପୁନରୁଦ୍ଧାର ଅପେକ୍ଷାରେ ପଡ଼ି ରହିଛି। ତାହା ମଧ୍ୟରେ ତାଳଚେର ସାର କାରଖାନା ଅନ୍ୟତମ। ତାଙ୍କ ସରକାର ଏହି ପ୍ରକଳ୍ପକୁ ପୁଣି ଥରେ ଆଧୁନିକ ଜ୍ଞାନକୌଶଳରେ ନିର୍ମାଣ କରିବା ଲାଗି ସଂକଳ୍ପ ନେଲେ। ଓଡ଼ିଶା ଓ ଦେଶର ଚାଷୀ ଏହି ସାର କାରଖାନା ଦ୍ୱାରା ଉପକୃତ ହେବେ। ଏହି ପ୍ରସ୍ତାବିତ ସାର କାରଖାନାରେ ସାଢ଼େ ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏବେ ବିଦେଶରୁ ୟୁରିଆ ଆମଦାନୀ ହେଉଛି। ଏଥିଲାଗି ଦେଶକୁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି। ତାଳଚେର ସାର କାରଖାନା ଦ୍ୱାରା ଓଡ଼ିଶା ଓ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ କହିଲେ, ୟୁରିଆ ସାର
କାରଖାନା କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ସ୍ୱପ୍ନ ପୂରଣ ହେବ। ଏହାଦ୍ୱାରା ଓଡ଼ିଶାର ଚାଷୀମାନଙ୍କୁ ୟୁରିଆ ଉପଲବ୍ଧ ହେବା ସହ କୃଷିର ବିକାଶରେ ସହାୟକ ହେବ। ଓଡ଼ିଶାର ଚାଷୀମାନେ ଅଧିକ ୟୁରିଆ ବ୍ୟବହାର କରନ୍ତି। କିନ୍ତୁ ବର୍ତ୍ତମାନ ହେକ୍ଟର୍‌ ପିଛା ୬୮ କେଜି ୟୁରିଆ ବ୍ୟବହାର ହେଉଛି, ଯାହା କି ଜାତୀୟ ହାରର ୫୦ ପ୍ରତିଶତ। ଯେହେତୁ ପୂର୍ବ ଭାରତରେ ୟୁରିଆ କାରଖାନା ନାହିଁ, ତେଣୁ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରୁ ୟୁରିଆ ଆଣିବାକୁ ପଡ଼ିଉଛି। ଏତେ ଦୂରରୁ ଆସୁଥିବାରୁ ଠିକ୍‌ ସମୟରେ ୟୁରିଆ ଉପଲବ୍ଧ ହେବାରେ ସମସ୍ୟା ସୃଷ୍ଟି ହେଉଛି। ତାଳଚେର ସାର କାରଖାନାରୁ ଉତ୍ପାଦିତ ହେବାକୁ ଥିବା ୟୁରିଆର ୫୦ ପ୍ରତିଶତ ଓଡ଼ିଶାର ଚାଷୀମାନଙ୍କ ପାଇଁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଠିକ୍‌ ସମୟରେ କାର୍ଯ୍ୟକ୍ଷମ କରାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସାଂସଦ ତଥାଗତ ଶତପଥୀ ଓ ତାଳଚେର ବିଧାୟକ ବ୍ରଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର