ଓଡ଼ିଶାରେ ମୋଦୀଙ୍କ ନିର୍ବାଚନୀ ପ୍ରଚାର : ମଜବୁର ନୁହଁ, ମଜଭୁତ ସରକାର ଦରକାର

ଓଡ଼ିଶାର ବିକାଶ ପାଇଁ ଡବଲ୍ ଇଂଜିନ ସରକାର , ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ପାକ୍‌ ଶବ ଗଣୁଛି, ଆମ ବିରୋଧୀ ପ୍ରମାଣ ମାଗୁଛି

ଜୟପୁର : ଦେଶରେ ମଜବୁର ନୁହେଁ, ମଜଭୁତ ସରକାର ଦରକାର। ଓଡ଼ିଶାର ବିକାଶ ପାଇଁ ଦରକାର ଡବଲ ଇଞ୍ଜିନ୍‌ ସରକାର। ଏହିଭଳି ଆହ୍ବାନ ନେଇ ଓଡ଼ିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାଷଣରେ ସେ ବିରୋଧୀ ଦଳ ଉପରେ ମନଇଚ୍ଛା ବର୍ଷିଛନ୍ତି। ବିଶେଷକରି, ସୁରକ୍ଷା ପ୍ରସଙ୍ଗରେ ନିଜ ସରକାରର ପାରଦର୍ଶିତା ବଖାଣିବା ସହିତ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଶାଣିତ ସମାଲୋଚନାରୁ ରାଜ୍ୟ ସରକାର ବି ବାଦ୍‌ ପଡ଼ିନାହାନ୍ତି। ସେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ସାମ୍‌ନାକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନ ନେଇ ତାଙ୍କ ସରକାରକୁ ହଟାଇବା ପାଇଁ ଆହ୍ବାନ ଦେଇଛନ୍ତି।

ଆଜି ଜୟପୁରର ଏକମ୍ବା ବାଙ୍କବିଜା ପଡ଼ିଆଠାରେ ବିଜେପି ପକ୍ଷରୁ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାଷଣ ଆରମ୍ଭରେ ‘ଜୟ ଜୟନ୍ନାଥ’ ନାରା ଦେଇଥିଲେ। ନିଜକୁ ଚୌକିଦାର ବୋଲି ସମ୍ବୋଧନ କରି କୋରାପୁଟ ମାଟିର ସନ୍ତାନ ସହିଦ ଲକ୍ଷ୍ମଣ ନାୟକ, ରାଧାକୃଷ୍ଣ ବିଶ୍ବାସରାୟ ଏବଂ ରାଧାମୋହନ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ଅଭିଭାଷଣ ପ୍ରଥମ କେଇ ପଦ ଥିଲା ପୂରା ଓଡ଼ିଆ। ଏହାପରେ ଏହି ମାଟିର ସନ୍ତାନ ପଦ୍ମଶ୍ରୀ କମଳା ପୂଜାରୀ କେବଳ ଦେଶର ନୁହଁ ବରଂ ବିଶ୍ବକୁ ପରିଚୟ ଦେଇଛନ୍ତି ବୋଲି କହିଥିଲେ।

ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟ ସରକାର ଏବଂ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ ଯେ, ଗତ ୫ବର୍ଷ ମଧ୍ୟରେ ଦେଶରେ ବିକାଶର ଧାରା ଆରମ୍ଭ ହୋଇଛି। ୮ଲକ୍ଷ ଗରିବଙ୍କୁ ପକ୍କା ଘର, ୪୦ଲକ୍ଷ ଲୋକଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ଓ ଚୁଲା, ୩୦୦୦ ଗ୍ରାମର ୨୪ଲକ୍ଷ ଘରେ ବିଜୁଳି ପହଞ୍ଚି ପାରିଛି। ସରକାର ପଞ୍ଚଧାରାକୁ ନେଇ କାମ କରୁଛନ୍ତି। ପିଲାଙ୍କ ପାଇଁ ପାଠପଢ଼ା ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାକୁ ଔଷଧ, ଯୁବକଙ୍କୁ କର୍ମନିଯୁକ୍ତି, କୃଷକଙ୍କ ଉତ୍ପାଦିତ ମୂଲ୍ୟର ସହାୟକ ମୂଲ୍ୟ ବୃଦ୍ଧି ସମେତ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇଆସିଛି। ଓଡ଼ିଶାର ବିକାଶ ପାଇଁ ବି କେନ୍ଦ୍ର ସରକାର ଯଥେଷ୍ଟ କାମ କରିଛନ୍ତି। ଗ୍ୟାସ ସଂଯୋଗ ପ୍ରଦାନ ହେଉ କିମ୍ବା ରେଳ ଯୋଗାଯୋଗକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଇତିମଧ୍ୟରେ ମାଲକାନଗିରି ଓ ନବରଂଗପୁର ଜିଲ୍ଲାକୁ ରେଳ ସଂଯୋଗ ପାଇଁ କାମ ଆରମ୍ଭ କରିଛି। ରାୟଗଡ଼ାରେ ରେଳବାଇର ସ୍ବତନ୍ତ୍ର ଡିଭିଜନ କରାଯାଇଛି। ଦୁଇ ଦିନ ପୂର୍ବରୁ ଓଡ଼ିଶା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛି। ଅନ୍ତରୀକ୍ଷ ପରୀକ୍ଷାରେ ସଫଳତା ଭାରତବାସୀଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଆତଙ୍କବାଦ ବିରୋଧରେ ସେନା ଓ ବୈଜ୍ଞାନିକ କାମ କରୁଥିବା ବେଳେ ବିରୋଧୀ ପ୍ରମାଣ ମାଗି କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆତଙ୍କବାଦୀଙ୍କୁ କଡ଼ା ଉତ୍ତର ଦେବା ପାଇଁ ଘରେ ପଶି ମାରିବାର ଆବଶ୍ୟକତା ରହିଛି ନା’ ନାହିଁ ବୋଲି ପ୍ରଶ୍ନ କରିଥିଲେ। ୧୦ ପାଦ ଚାଲିବା ପାଇଁ ୧୦ ମିନଟ ଲାଗୁଥିବା ସରକାର ଆବଶ୍ୟକ ନାହିଁ ବୋଲି କହି ଦେଶରେ ମଜଭୁତ ସରକାର ନା’ ମଜବୁର ସରକାର ଦରକାର ବୋଲି ମୋଦୀ ପ୍ରଶ୍ନ କରିଥିଲେ।

ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ପ୍ରାକୃତିକ ସଂପତ୍ତି ଓଡ଼ିଶାରେ ଭରପୂର ହୋଇ ରହିଛି। ଭୂ-ସଂପଦ, ଜଳସଂପଦ ଭର୍ତି ହୋଇ ରହିଥିବା ବେଳେ ଏଠିକାର ଲୋକେ ଗରିବ କାହିଁକି ବୋଲି ପ୍ରଶ୍ନ କରିଥିଲେ। ତେଣୁ ଓଡ଼ିଶାର ବିକାଶ ପାଇଁ ଡବଲ୍ ଇଂଜିନର ସରକାର ଦରକାର। ଯାହାକି ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଆସିଲେ ବିକାଶ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ନୂଆ ଓଡ଼ିଶା ଓ ନୂଆ ଭାରତ ଗଠନ କରିବାକୁ ଆହ୍ବାନ ଦେଇଥିଲେ। ବିଜେପି ସରକାରକୁ ଆସିଲେ ଆଦିବାସୀ, କୃଷକ, ଯୁବକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସମ୍ବୋଧନ କରିଥିଲେ। କାହାର ନାମ ନନେଇ ପରୋକ୍ଷରେ ଦୀର୍ଘ ଦିନ ଧରି ଶାସନରେ ରହିଥିବା କଂଗ୍ରେସ ଓ ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଏଠାରେ ଚିଟଫଣ୍ଡରେ ଲୋକେ କ୍ଷତିଗସ୍ତ ହୋଇଥିବା ବେଳେ ମହିଳା ସୁରକ୍ଷିତ ନୁହନ୍ତି। ମୃତ୍ୟୁ ପରେ ଶବକୁ ବି ସମ୍ମାନ ମିଳୁନାହିଁ। ଦୀର୍ଘ ବର୍ଷ ଧରି କଂଗ୍ରେସ ଓ ବିଜେଡି ଶାସନ କରିବା ପରେ ବି ଗରିବୀ ହଟୁନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବି ଓଡ଼ିଶା ପଛରେ ରହିଛି। ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୫୦କୋଟି ଜନତା ଉପକୃତ ହୋଇଛନ୍ତି। କିନ୍ତୁ ଓଡ଼ିଶାରୁ ଜଣେ ବି ଉପକୃତ ହୋଇପାରିନାହାନ୍ତି। ରାଜ୍ୟ ସରକାର ଏହି ଯୋଜନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଓଡ଼ିଶାରେ କ’ଣ ଜଣେ ବି ରୋଗୀ ନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ। କୃଷକଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ଚାହୁଁଥିବା ବେଳେ ଓଡ଼ିଶା ସରକାର ତାଲିକା ଦେଉନାହାନ୍ତି। ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ବନଜାତ ଦ୍ରବ୍ୟର ସହାୟକ ମୂଲ୍ୟ ତିନି ଗୁଣ ବୃଦ୍ଧି କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ। କୋରାପୁଟ ଜିଲ୍ଲାରେ ବହୁ ଖଣିଜ ସଂପତ୍ତି ରହିଛି। ଖଣି ଖାଦନରୁ ଆସୁଥିବା ଅର୍ଥର ଏକ ଭାଗ ସଂପୃକ୍ତ ଜିଲ୍ଲାରେ ଖର୍ଚ୍ଚ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଡିଏମଏଫ୍ (ଜିଲ୍ଲା ଖଣିଜ ପାଣ୍ଠି) ସଂପୃକ୍ତ ଜିଲ୍ଲାରେ ଖର୍ଚ୍ଚ କରାଯିବାକୁ କୁହାଯାଇଛି। ଏ ବାବଦରେ ୬,୫୦୦ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ମାତ୍ର ୧ ହଜାର ଟଙ୍କା ଖର୍ଚ୍ଚ କରି ବଳକା ଟଙ୍କା ଖର୍ଚ୍ଚ କରିପାରି ନହାନ୍ତି। ତେଣୁ ରାଜ୍ୟର ବିକାଶ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇଟି ଲୋକସଭା ଆସନର ପ୍ରାର୍ଥୀ ଏବଂ ୧୪ଟି ବିଧାନସଭା ଆସନ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ନିର୍ଦ୍ଧାରିତ ସମୟ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ସଭାସ୍ଥଳ ନିକଟରେ ପହଞ୍ଚି ୧୨ଟା ବେଳେ ଫେରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ର ଉପସଭାପତି ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ମନମୋହନ ସାମଲ, ଗିରିଧର ଗମାଂଗଙ୍କ ସମେତ ଦୁଇ ଲୋକସଭା ପ୍ରାର୍ଥୀ ଜୟରାମ ପାଙ୍ଗି, ବଳଭଦ୍ର ମାଝୀ ଓ ୧୪ଟି ବିଧାନସଭା ଆସନର ସମସ୍ତ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର