ବଦଳିଲେ ମୋଦୀ : ମାପିଚୁପି କହିଲେ

ନବୀନ କି ବିଜେଡିର ନାଁ ନେଲେନି, ୮ ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଲେ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବେକାରୀ ସମସ୍ୟାଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ୍, ଚାଷ ପର୍ଯ୍ୟନ୍ତ। ୮ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ବିଫଳ ବୋଲି ଇଙ୍ଗିତ ଦେଲେ। ଲୋକଙ୍କ ନାଁ ନେଇ ପ୍ରଶ୍ନ କଲେ। ସ୍ପଷ୍ଟୀକରଣ ମାଗିଲେ। କିନ୍ତୁ କେଉଁଠି ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ଶାସକ ବିଜେଡିର ନାଁ ନେଲେନି। କି ପ୍ରଚଣ୍ଡ ରୂପ ବି ଦେଖାଇଲେ ନାହିଁ। କିଛି ଦିନ ତଳେ ତାଳଚେର ଓ ଝାରସୁଗୁଡ଼ାରେ ମୋଦୀ ଯେଉଁ ଫଁ ଦେଖାଇଥିଲେ, ଆଜି ଖୋର୍ଧାରେ ମଧ୍ୟ ସେଭଳି ପରିଲକ୍ଷିତ ହୋଇନଥିଲା। ବରଂ ଅରୁଗୁଳ ସଭା ମଞ୍ଚରେ ମୋଦୀ ଓ ନବୀନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହସ ହସ ମୁହଁରେ କଥାବାର୍ତାର ପ୍ରଭାବ ଖୋର୍ଧ‌ା ସଭାରେ ଦେଖିବାକୁ ମିଳିଥିଲା। ସମ୍ଭବତଃ ଏହି କାରଣରୁ ବିଜେପି ନେତା ଓ କର୍ମୀ ମୋଦୀଙ୍କ ଭାଷଣରେ ନବୀନଙ୍କ ପ୍ରତି ଅପେକ୍ଷାକୃତ କୋହଳ ହୋଇଥିବାର ଆଭାସ ପାଇଥି‌େଲ। ନିର୍ବାଚନ ବର୍ଷରେ ଏହା ସେମାନଙ୍କୁ ପୁଣି ଦ୍ବନ୍ଦ୍ବରେ ପକାଇଥିବା କୁହାଯାଉଛି। ତେବେ ମୋଦୀଙ୍କ ମୁହଁରେ ସରକାରଙ୍କ ବିଫଳତାର ତାଲିକାକୁ ନେଇ କର୍ମୀମାନେ ମନ ବୁଝାଇ ଫେରିଥିଲେ।

ବରୁଣେଇ ନିକଟରେ ମୁକୁନ୍ଦପ୍ରସାଦ ଗୋଶାଳା ପଡ଼ିଆରେ ବିଜେପିର ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ବିଜେପି ଓ କେନ୍ଦ୍ର ସରକାରଙ୍କ ବିକାଶ ଆଭିମୁଖ୍ୟକୁ ଜଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତାର ଏକ ତାଲିକା ରଖି ତାହାର ସ୍ପଷ୍ଟ ଉତ୍ତର ଦେବାକୁ ଆହ୍ବାନ ଦେଇଥିଲେ।

ମୋଦୀ କହିଥିଲେ, ସାରା ଦେଶ ସ୍ବଚ୍ଛତାରେ ୯୭ ପ୍ରତିଶତ ଲକ୍ଷ୍ୟ ହାସଲ କରିସାରିଲା ବେଳେ ଓଡ଼ିଶା କାହିଁକି ପଛରେ ପଡ଼ିଛି? ଏବେ ବି ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ହୋଇପାରୁ ନାହିଁ। ନିଜ ଜୀବନ ଜୀବିକା ପାଇଁ ଏଠାକାର ଯୁବପିଢ଼ି ରାଜ୍ୟ ବାହାରକୁ ଯାଉଛନ୍ତି। ଏଠାରେ ବହୁ ଲୋକ ଓ ପିଲା ଅପପୁଷ୍ଟିର ଶିକାର। ବହୁ ଡାକ୍ତର ପଦବି ରାଜ୍ୟରେ ଖାଲି ପଡ଼ିଛି। ଶୁଦ୍ଧ ପିଇବା ପାଣି ସମସ୍ତଙ୍କୁ ମିଳୁନି। ଶିକ୍ଷକମାନେ ସେମାନଙ୍କ ଦରମା ପାଉ ନାହାନ୍ତି, ଯେଉଁଥି ପାଇଁ ସେମାନଙ୍କୁ ଧାରଣା ଦେବାକୁ ପଡ଼ୁଛି।

ଚାଷ ପ୍ରସଙ୍ଗ ବି ଉଠାଇବାକୁ ଭୁଲି ନ ଥିଲେ ମୋଦୀ। ରାଜ୍ୟକୁ ଦୋଷ ଦେଇ କହିଥିଲେ, ରାଜ୍ୟରେ ଚାଷ ଓ ଚାଷୀଙ୍କ ସ୍ଥିତି ଭଲ ନାହିଁ। ରାଜ୍ୟର ୭୦ ପ୍ରତିଶତରୁ ଅଧିକ ଜମି ଜଳସେଚିତ ହୋଇପାରି ନାହିଁ। ୨୦୧୪ ନିର୍ବାଚନରେ ଏଠାରେ ପ୍ରତିଶ୍ରୁତି ଦିଆଯାଇଥିଲା ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨୨ ହଜାର
ହେକ୍ଟର ଜମି ଜଳସେଚିତ ହୋଇଛି। ବହୁ ବୃହତ ଜଳସେଚନ ପ୍ରକଳ୍ପର କାମ ସରୁନି। ଚାଷୀ ମଧ୍ୟ ତା’ ଉତ୍ପାଦର ଠିକ୍ ମୂଲ୍ୟ ପାଉ ନାହିଁ। ଚିଟ୍‌ଫଣ୍ଡ୍ ଓ ପିସି ସଂସ୍କୃତି ଏଠାରେ ମାଡ଼ି ଗଲାଣି। ଭ୍ରଷ୍ଟାଚାର ଓଡ଼ିଶାରେ ଶକ୍ତିଶାଳୀ ହେବାକୁ ଲାଗିଛି। ଏହି ଦାନବକୁ କିଏ ଦାନାପାଣି ଦେଉଛି, ତାହା ଓଡ଼ିଶାବାସୀ ଜାଣିସାରିଲେଣି। ଏସବୁ ପ୍ରଶ୍ନର ଉତ୍ତର ଲୋକମାନେ ମାଗିବା ଆରମ୍ଭ କଲେଣି।

ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯାଉ ନ ଥିବାରୁ ପୁଣି ସମାଲୋଚନା କରିଛନ୍ତି ମୋଦୀ। କହିଛନ୍ତି, ଆଜି ଓଡ଼ିଶାର ଲୋକ ପ୍ରଶ୍ନ କରୁଛନ୍ତି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହ ଓଡ଼ିଶା କାହିଁକି ଯୋଡ଼ି ହୋଇ ନାହିଁ । ଯଦି ଓଡ଼ିଶା ଯୋଡ଼ି ହୋଇଥା’ନ୍ତା, ତେବେ ଓଡ଼ିଶାର ଲୋକମାନେ ସାରା ଦେଶର ଯେ କୌଣସି ସ୍ଥାନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା‌ ପାଇପାରନ୍ତେ। ୧୦୦ ଦିନରେ ୬ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ଚିକିତ୍ସା ସୁବିଧା ପାଇଛନ୍ତି। କିନ୍ତୁ ସେହି ତାଲିକାର ଓଡ଼ିଶାର ଜଣେ ବି ନାହାନ୍ତି। ରାଜ୍ୟ ସରକାର ଏହା କ’ଣ ବୁଝିପାରୁ ନାହାନ୍ତି ?

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରି ମୋଦୀ ପ୍ରଥମେ ଓଡ଼ିଆରେ କହିଥିଲେ। ଖୋର୍ଦ୍ଧାକୁ ବୀର ମାଟି ବୋଲି ଅଭିହିତ କରି ସେ କହିଥିଲେ, ପାଇକ ବିଦ୍ରୋହର କେନ୍ଦ୍ରଭୂମି ବରୁଣେଇ ପାଦ ଦେଶରୁ ସମସ୍ତଙ୍କୁ ଜଣାଉଛି। ୩ ମାସରେ ଓଡ଼ିଶାକୁ ଦୁଇ ଥର ଆସିବାର ସୌଭାଗ୍ୟ ମିଳିଛି। ମହାପ୍ରଭୁ ଜଗନ୍ନା‌ଥଙ୍କ ଆଶୀର୍ବାଦ ସହ ଲୋକମାନଙ୍କ ଭଲ ପାଇବା ମୋତେ ଟାଣି ଆଣୁଛି। ବୀରତା, ଶୌର୍ଯ୍ୟ, ସାହାସ, ବଳିଦାନର ପବିତ୍ର ମାଟି ଖୋର୍ଦ୍ଧା ଆସି ଧନ୍ୟ ହୋଇଛି।

ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ମୋଦୀ କହିଥିଲେ, ଓଡ଼ିଶା ପ୍ରତି ଅଟଳଜୀଙ୍କୁ ସ୍ବତନ୍ତ୍ର ଶ୍ରଦ୍ଧା ଥିଲା। ଓଡ଼ିଶାବାସୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ତାଙ୍କ ସମୟରେ ଆରମ୍ଭ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଏବେର ଏନ୍‌ଡିଏ ସରକାର ଆହୁରି ଆଗକୁ ନେଉଛନ୍ତି। ଓଡ଼ିଶାର ଚତୁର୍ଦ୍ଦିଗରୁ ବିକାଶ ଆମର ଲକ୍ଷ୍ୟ। ଉଚ୍ଚଶିକ୍ଷା, ଶିଳ୍ପ, ଚାଷ ସବୁ କ୍ଷେତ୍ରରେ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଓଡ଼ିଶାରେ ବିକାଶର ନୂଆ ଦିଗ ଦେଖାଇବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ଓଡ଼ିଶାରେ ଲମ୍ବା ସାମୁଦ୍ରିକ ତଟ ଥିବାରୁ ବହୁ ମତ୍ସ୍ୟଜୀବୀ ଏଠାରେ ରହିଛନ୍ତି। କେନ୍ଦ୍ର ସରକାର ସେମାନଙ୍କ ଉନ୍ନତି ପାଇଁ ନେଇଥିବା ପଦକ୍ଷେପରୁ ଓଡ଼ିଶା ବେଶ୍ ଲାଭବାନ ହେବ। ଆଜିର ଜନସମାଗମ ଯେପରି ହୋଇଛି, ସେଥିରୁ ଆଗାମୀ ଦିନରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି। ଆଜି ଏହି ସଭାକୁ ଆସିଥିବା ‌ପ୍ରତ୍ୟେକଟି ବ୍ୟକ୍ତି ପରିବର୍ତ୍ତନର ବାର୍ତ୍ତା ନେଇ ଘରେ ଘରେ ପହଞ୍ଚାଇବାକୁ ମୋଦୀ ଆହ୍ବାନ ଦେଇଥିଲେ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧ‌େର୍ମନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ମଞ୍ଚରେ ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, କନକ ବର୍ଦ୍ଧନ ସିଂହଦେଓ, ଗିରିଧର ଗମାଙ୍ଗୋ, ପ୍ରତାପ ଷଡ଼ଙ୍ଗୀ, ସୁରମା ପାଢ଼ୀ, ମନମୋହନ ସାମଲ, ବିଭୂତି ହରିଚନ୍ଦନ, ସମ୍ବିତ ପାତ୍ର, ସୁରେଶ ପୂଜାରୀ ଓ ବିଷ୍ଣୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର