ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ଓଡ଼ିଶା ସମେତ ଆନ୍ଧପ୍ରଦେଶ ଓ ପଶ୍ଚିମବଙ୍ଗରେ ପ୍ରକୃତି ତାଣ୍ଡବ ରଚିବାର ଆଶଙ୍କା ରହିଛି। ଧନଜୀବନ ବଞ୍ଚାଇବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିଲା ବେଳେ କେନ୍ଦ୍ର ସରକାର ବି ସହଯୋଗର ହାତ ବଢ଼ାଇଛନ୍ତି। ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥିତିର ସମୀକ୍ଷା କରିଛନ୍ତି। ବାତ୍ୟା ଦ୍ବାରା ପ୍ରଭାବିତ ରାଜ୍ୟଗୁଡ଼ିକ ସହ ଯୋଗାଯୋଗରେ ରହି ସମସ୍ତ ପ୍ରକାର ସହାୟତା ତତ୍‌କାଳ ଯୋଗାଇଦେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ମୋଦୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅଧିକାରୀମାନେ ଅବଗତ କରାଇଥିଲେ।

କ୍ୟାବିନେଟ୍‌ ସଚିବ ପି କେ ସିହ୍ନା ଆଜି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି(ଏନ୍‌ସିଏମ୍‌ସି)ର ଏକ ଜରୁରୀ ବୈଠକରେ ଫନି ଦ୍ବାରା ସୃଷ୍ଟି ହେବାକୁ ଥିବା ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିଲେ।

ଓଡ଼ିଶା ପକ୍ଷରୁ କୁହାଯାଇଥିଲା, ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ଥଇଥାନ କରିବା ପାଇଁ ୯୦୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଜରୁରୀ ଖାଦ୍ୟ ବିତରଣ ଲାଗି ରାଜ୍ୟକୁ ଦୁଇଟି ହେଲିକପ୍ଟର୍ ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଆବଶ୍ୟକତା ପୂରଣ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଶ୍ରୀ ସିହ୍ନା ନି‌େର୍ଦ୍ଦଶ ଦେଇଥିଲେ। ଯେ କୌଣସି କ୍ଷୟକ୍ଷତିର ମୁକାବିଲା କରି ତୁରନ୍ତ ସେମାନଙ୍କ ସେବାକୁ କାର୍ଯ୍ୟକ୍ଷମ କରିବାକୁ ରେଳବାଇ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଜାହଜ ଚଳାଚଳ ମନ୍ତ୍ରଣାଳୟକୁ କ୍ୟାବିନେଟ୍‌ ସଚିବ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ପୁଣି ହେବ ବୋଲି ସୂଚନା ମିଳିଛି।

ବାତ୍ୟା ପରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌)ର ୨୮ଟି ଦଳକୁ ଓଡ଼ିଶାରେ ନିୟୋଜିତ କରାଯାଇଥିଲା ବେଳେ ଆନ୍ଧ୍ରପ୍ରଦେଶରେ ୧୨ଟି ଓ ପଶ୍ଚିମବଙ୍ଗରେ ୬ଟି ଦଳକୁ ନିୟୋଜିତ କରାଯାଇଛି। ଅତିରିକ୍ତ ୩୨ଟି ଦଳକୁ ପ୍ରସ୍ତୁତ ରଖାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୌସେନା, ବାୟୁସେନା ଓ ତଟରକ୍ଷୀ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ଅପରେସନ୍‌ରେ ସହଯୋଗ କରିବା ପାଇଁ ବାୟୁସେନାକୁ ତୁରନ୍ତ ନି‌େୟାଜିତ କରାଯିବ। ଅତ୍ୟାବଶ୍ୟକ ରିଲିଫ୍ ସହାୟତା, ଉଦ୍ଧ‌ାର କାର୍ଯ୍ୟ ପାଇଁ ରିଲିଫ୍ ସାମଗ୍ରୀ ସହ ବିଶାଖାପାଟଣାରେ ଜାହାଜ ପ୍ରସ୍ତୁତ ହୋଇ ରହିଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଉଦ୍ଧାର ଓ ରିଲିଫ୍ ସହାୟତା କାର୍ଯ୍ୟ ଲାଗି ବୁଡ଼ାଳୀ ଓ ଚିକିତ୍ସକ ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି। ସେହିପରି ରାଜ୍ୟ ପ୍ରଶାସନ ସହ ଯୋଗାଯୋଗ ରକ୍ଷା କରି ଉଦ୍ଧାର ଓ ପ୍ରଶମନ କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶା ଓ ପଶ୍ଚିମବଙ୍ଗ ତଟରେ ୫ଟି ଜାହାଜ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ପୁଡ଼ୁଚେରୀ ତଟରେ ୯ଟି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ପ୍ରସ୍ତୁତ ଅଛି ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର