ରାୟଗଡ଼ା/ଭୁବନେଶ୍ବର: ଓଡିଶା-ଆନ୍ଧ୍ର ସୀମାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କାଣ୍ଟକାପାଲିରେ ଘଟିଥିବା ଏହି ଦୁର୍ଘଟଣାର ସ୍ଥିତି ଉପରେ ନଜର ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ତା ସହିତ ଆହତମାନଙ୍କର ସୁସ୍ଥ ଆରୋଗ୍ୟ କାମନା କରିଛନ୍ତି ମୋଦୀ । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

Advertisment

ଟ୍ରେନ୍‌ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଅଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ସହିତ କଥା ହୋଇଛି। ଆହତମାନଙ୍କ ପାଇଁ ବିଶାଖାପାଟଣାରେ ‌ଡାକ୍ତରଖାନାଗୁଡ଼ିକ ପ୍ରସ୍ତୁତ ରଖାଯାଇଛି।

ଟ୍ରେନ୍‌ ଦୁର୍ଘଟଣା ନେଇ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ଙ୍କ ପକ୍ଷରୁ ରାୟଗଡ଼ା ଓ କେରାପୁଟ ଜିଲ୍ଲା ପ୍ରଶାସନକୁ ହସ୍‌ପିଟାଲଗୁଡ଼ିକ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛ।

ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଟ୍ରେନ୍‌ ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୩୮ ଜଣ ଆହତ ହୋଇଛନ୍ତି। ପୂର୍ବତଟ ରେଳପଥ ପକ୍ଷରୁ‌ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ଉଦ୍ଧାର ପାଇଁ ଭୁବନେଶ୍ୱରରୁ ଏକ ଟିମ୍‌ ବିଶାଖାପାଟଣା ଅଭିମୁଖେ ବାହାରିଛି। ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ, ସେମାନଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଛି। ୨ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

publive-image

ସୂଚନା ଅନୁସାରେ ବିଶାଖାପାଟଣା-ରାୟାଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍‌କୁ ପଛପଟରୁ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନ ଧକ୍କା ଦେଇଥିଲା। ଫଳରେ ବିଶାଖାପାଟଣା-ରାୟାଗଡା ଟ୍ରେନ୍‌ର ତିନୋଟି ବଗି ଯାହାକି ଭାଙ୍ଗି ଚୁର ମାର ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ଜୀବନ ବଞ୍ଚାଇବା ଲାଗି ବହୁ ଯାତ୍ରୀ ଅନ୍ଧାର ଭିତରେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ି ଏଣେତେଣେ ଦୌଡ଼ି ପଳାଇଥିଲେ। ଏହି ଦୁର୍ଘଟଣାରେ ଶତାଧିକ ଆହତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ରାତିର ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଯାତ୍ରୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଡିଆରଏମ ସୌରଭ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟ ଚାଲିଥିବା ରେଳ ବିଭାଗ କହିଛି।

ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଘଟିଥିବା ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣା ନେଇ ପୂର୍ବତଟ ରେଳପଥ ପକ୍ଷରୁ  ୩ଟି ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି। ସେଗୁଡ଼ିକ ହେଲା ୦୬୭୪-୨୩୦୧୬୨୫, ୨୩୦୧୫୨୫ ଓ ୨୩୦୩୦୬୯। 

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ ବିଜୟନଗରମ୍‌ ଟ୍ରେନ୍‌ ଦୁର୍ଘଟଣା ନେଇ ଅବଗତ ହୋଇଛନ୍ତି। ଦୁର୍ଘଟଣାରେ ପୀଡିତ ଲୋକଙ୍କ ସହାୟତା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।